ଭୁବନ,୦୯/୦୫/୨୦୨୬ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ବାଲି ମାଫିଆ ଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ କୋଟି କୋଟି ଟଙ୍କାର ବାଲି ଚୋରା ଚାଲାଣ ହୋଇ ରାଜସ୍ବ ହାନୀ ହେଉଥିବା ଅଭିଯୋଗ ହୋଇଛି । ପି ସି କୁ ନେଇ ବାରମ୍ବାର ତହସିଲଦାରଙ୍କ ବଦଳି ସାଙ୍ଗକୁ ଦୀର୍ଘଦିନ ହେଲା ତହସିଲଦାର ପଦବୀ ଫାଙ୍କା ପଡ଼ିଥିବାରୁ ଏହାର ସୁଯୋଗରେ ବାଲି ମାଫିଆ ମାନେ ଦିନ ଦ୍ୱିପ୍ରହରରେ ଶହ ଶହ ଟ୍ରିପ ବାଲି ଉତ୍ତୋଳନ କରି ଟ୍ରାକ୍ଟର ଏବଂ ହାଇୱା ଗାଡ଼ି ସାହାଯ୍ୟରେ ପଡ଼ୋଶୀ ସୁକିନ୍ଦା ଏବଂ ଟାଟା ମାଇନିଙ୍ଗକୁ ଚାଲାଣ କରୁଛନ୍ତି । ଢେ଼ଙ୍କାନାଳ ଏବଂ ତାଳଚେର ଖଣି ବିଭାଗର ଏଥିପ୍ରତି ଆଦୌ ନିଘା ନଥିବା ବେଳେ ସଂପୃକ୍ତ ବିଭାଗ ମଧ୍ୟ ନିଦାବିଷ୍ଣୁ ସାଜିଛି ।
ଏଭଳି ସ୍ଥିତିରେ ଭୁବନ ଥାନାର ଆରକ୍ଷୀ ନିରୀକ୍ଷକ ରେଣୁବାଳା ସାହୁ ଦୁଇଟି ଟିମ୍ ଗଠନ କରି କଣପାଳ ଏବଂ ଜୟପୁର ଠାରେ ଅଚାନକ ଚଢ଼ାଉ କରି ବାଲି ଚୋରା ଚାଲାଣ କରୁଥିବା ଦୁଇଟି ଟ୍ରାକ୍ଟର କୁ ଜବତ କରି ଥାନାକୁ ଆଣିଥିଲେ। ତେବେ ଚଢ଼ାଉ ସମୟରେ ଗିରଫ ଭୟରେ ଚାଳକ ମାନେ ଗାଡ଼ି ଛାଡ଼ିଦେଇ ଦୌଡି ପଳାଇ ଯାଇଥିଲେ ବୋଲି ପୋଲିସ କହିଛି।
ଜବତ ହୋଇଥିବା ଦୁଇଟି ଟ୍ରାକ୍ଟର ମଧ୍ୟରୁ ଗୋଟିଏରେ ଲାଗିଥିବା ନମ୍ବର ପ୍ଲେଟ୍ (ଓ ଆର ୦୨ ଏ ଡବ୍ଲ୍ୟୁ ୧୨୩୪ ) ଏକ କାର ନମ୍ବର ବୋଲି ଜଣାପଡ଼ିଛି । ଜାଲ ନମ୍ବର ପ୍ଲେଟ ରେ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବାରୁ ଏହା ପଛରେ ଏକ ବଡ ରାକେଟ କାମ କରୁଥିବା ସନ୍ଦେହ ଉପୁଜିଛି । ଜନ ସାଧାରଣରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି ହୋଇଛି ।
