ଅବକାରୀ ଅଧିକ୍ଷକଙ୍କ ଲାଂଚ ଦାବି କରୁଥିବା ଟେଲିଫୋନ ବାର୍ତା ଭାଇରାଲ
କେନ୍ଦ୍ରାପଡ଼ା, ୦୮/୦୪/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଅବକାରୀ ଅଧିକ୍ଷକଙ୍କ ମନମାନୀ ଯୋଗୁଁ ଦେଶୀ ଓ ବିଦେଶୀ ମଦ ଦୋକାନୀ ବହୁ ସମସ୍ୟାର ସମ୍ମୁଖୀନ ହୋଇ ନ୍ୟାୟ ପାଇବା ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ୍ୟ ହୋଇଥିବା ଜଣାଯାଇଛିି । ଅଭିଯୋଗ ଅନୁଯାୟୀ ବବିତା ମହାନ୍ତି ନାମଙ୍କ ଜନୈକ ବିଦେଶୀ ମଦ ଦୋକାନୀ ୨୦୨୪-୨୫ବର୍ଷ ପାଇଁ ତାଙ୍କ ଦୋକାନର ରିନୁ୍ୟଆଲ କରିବାକୁ ଅନ୍ ଲାଇନରେ ଆବଶ୍ୟକ ସରକାରୀ ଦେୟ ଓ କାଗଜାଦ ଗତ ମାର୍ଚ୍ଚମାସ ୩୧ତାରିଖରେ ଅପଲୋଡ କରିବା ପରେ ଅନ୍ ଲାଇନ ରସିଦ ଓ କାଗଜପତ୍ର ନେଇ କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ଦେବୀପ୍ରସାଦ ମିଶ୍ରଙ୍କୁ ସାକ୍ଷାତ କରିଥିଲେ । କିନ୍ତୁ ଅବକାରୀ ଅଧିକ୍ଷକ ଶ୍ରୀ ମିଶ୍ର ତାଙ୍କୁ କହିଲେ ଯେ ତମର ପେମେଂଟ ଅବକାରୀ ସାଇଡରେ ଦେଖାଯାଉନଥିବାରୁ ତମ ଦୋକାନ ସିଲକୁ ସିଲ କରାଯିବ । ଏହାପରେ ବବିତା ତାଙ୍କ ଆକାଉଂଟ ଷ୍ଟେଟମେଂଟ ସହିତ ଅବକାରୀ ଅଧିକ୍ଷକଙ୍କୁ ଭେଟି ସମସ୍ତ କାଗଜପତ୍ର ଦେଖାଇବାରେ ଅଧିକ୍ଷକ ସେସବୁ ନଦେଖିବା ସହ ବବିତାଙ୍କୁ ଖରାପ ବ୍ୟବହାର କରି ତାଙ୍କ ଦୋକାନ ସିଲ କରିଦେଇଥିବା ଅଭିଯୋଗ ହୋଇଛି । ଅନ୍ୟ କୌଣସି ଉପାୟ ନପାଇ ବବିତା ପୁନର୍ବାର ଚଳିତମାସ ୩ତାରିଖରେ ସରକାରୀ ଦେୟ ଅନ୍ ଲାଇନରେ ଜମା କରି ରସିଦ ସହିତ ଅବକାରୀ ଅଧିକ୍ଷକଙ୍କୁ ଭେଟି ଏସମ୍ପର୍କରେ ଜଣାଇଥିଲେବି ତାଙ୍କ ଦୋକାନରୁ ସିଲ ନହଟାଇ ବନ୍ଦ ରଖିଥିବା ସେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏଥିସହିତ ଅବକାରୀ ଅଧିକ୍ଷକ ଦୋକାନ ପିଛା ଲାଇସେନ୍ସ ରିନୁ୍ୟଆଲ କରିବାକୁ ଏକଲକ୍ଷ ଟଙ୍କା ଦାବି କରୁଥିବା ସେ ଅଭିଯୋଗ କରିଛନ୍ତି । ଏହାବ୍ୟତିତ ଆଶିଷ ମିଶ୍ର ନାମକ ଅନ୍ୟଜଣେ ଦେଶୀ ମଦ ଦୋକାନୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପିତା ଚିତରଞ୍ଜନ ମିଶ୍ରଙ୍କ ନାମରେ ପଟ୍ଟାମୁଣ୍ଡାଇ ଓ ମାର୍ଶାଘାଇରେ ଦୁଇଟି ଲାଇସେନ୍ସପ୍ରାପ୍ତ ଦେଶୀ ମଦ ଦୋକାନ ରହିଛି । ତାଙ୍କ ବାପାଙ୍କ ଦେହ ଅସୁସ୍ଥ ହୋଇପଡିବାରେ ଉକ୍ତ ଦୁଇଟି ଦୋକାନର ଲାଇସେନ୍ସ କୁ ତାଙ୍କ ପିତା ଚିତରଞ୍ଜନ ମିଶ୍ର ପୁତ୍ର ଆଶିଷ ମିଶ୍ରଙ୍କ ନାମକୁ ସ୍ଥାନାନ୍ତର କରିବା ନିମନ୍ତେ ଆବେଦନ କରିବା ପରେ ଅବକାରୀ କମିଶନର, କଟକ ସେହି ଦରଖାସ୍ତକୁ କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ଶ୍ରୀ ମିଶ୍ରଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଥିଲେ । କିନ୍ତୁ ଅବକାରୀ ଅଧିକ୍ଷକ ଦୁଇଟି ଦୋକାନର ସ୍ଥାନାନ୍ତର ପାଇଁ ୩ଲକ୍ଷ ଟଙ୍କା ଦାବି କଲେ । ଏତେଟଙ୍କା ଦେବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ଆଶିଷ କହିବାରେ ଅଧିକ୍ଷକ ମାସିକିଆ ୩୦ହଜାର ଟଙ୍କା ପିସି ନଦେଲେ ଦୋକାନ ଖୋଲିପାରିବ ନାହିଁ ବୋଲି ସଫା କହିଦେଇଥିଲେ । ଆଶିଷ ଅନ୍ୟ ଉପାୟ ନପାଇ ବାଧ୍ୟ ହୋଇ ମାସକୁ ୩୦ହଜାର ଟଙ୍କା ଅଧିକ୍ଷକଙ୍କୁ ଦେଇ ଆସୁଥିଲେ । ୨୦୨୪-୨୫ବର୍ଷ ନିମନ୍ତେ ଦୋକାନର ଲାଇସେନ୍ସ ରିନୁ୍ୟଆଲ କରିବାକୁ ଅଧିକ୍ଷକଙ୍କ ଠାରୁ ଚିଠି ପାଇବା ପରେ ଆଶିଷ ଗତ ମାର୍ଚ୍ଚମାସ ୩୦ତାରିଖରେ ଅନ୍ ଲାଇନରେ ଦରଖାସ୍ତ ଓ ସରକାରୀ ଦେୟ ଦାଖଲ କରିବା ପରେ ରସିଦ ଓ ଆବେଦନ ପତ୍ର ସମେତ ସମସ୍ତ କାଗଜପତ୍ର ସହିତ ସେହିଦିନ ଅବକାରୀ ଅଧିକ୍ଷକଙ୍କୁ ଦେଖା କରି ପ୍ରଦାନ କରିଥିଲେ । କିନ୍ତୁ ଅଧିକ୍ଷକ ତାଙ୍କୁ କହିଲେ ଯେ ତମର ପେମେଂଟ ଅନଲାଇନରେ ଶୋ କରୁନଥିବାରୁ ତମ ଦୋକାନ ସିଲ କରିଦେବି । ଆଶିଷ ତାଙ୍କର ଆକାଉଂଟ ଷ୍ଟେଟମେଂଟ ସହିତ ପୁନର୍ବାର ଅଧିକ୍ଷଖଙ୍କୁ ଦେଖାକରିବାରେ ସେ କିଛି ନକହି ତାଙ୍କ ଦୋକାନକୁ ସିଲ କରିଦେଇଥିଲେ । ଆଶିଷ ପୁଣିଥରେ ଚଳିତମାସ ୨ତାରିଖରେ ଲାଇସେନ୍ସ ରିନୁ୍ୟଆଲ ପାଇଁ ସରକାରୀ ଦେୟ ପଇଠ କରି ତାଙ୍କ ଦୋକାନ ଦୁଇଟିର ସିଲ ଉଦେଶ୍ୟମୂଳକ ଭାବେ ଖୋଲାଯାଉନଥିବା ସେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଧିକ୍ଷକ ଶ୍ରୀ ମିଶ୍ର ଆଶିଷଙ୍କୁ ବିଭିନ୍ନ ସମୟରେ ତାଙ୍କ ଦୋକାନ ବନ୍ଦ କରିଦେବା ଓ ମିଥ୍ୟା ମାମଲା ରୁଜୁ କରିବାର ଧମକ ଦେଇଆସୁଥିବା ଆଶିଷ ଅଭିଯୋଗ କରିଛନ୍ତି । ଏହାବ୍ୟତିତ ଅଧିକ୍ଷକ ଶ୍ରୀ ମିଶ୍ର ଆଶିଷଙ୍କ ମଦ ଦୋକାନର ସେଲସମ୍ୟାନଙ୍କୁ ଦେଖା କରିବାକୁ କହି ଡକାଇଥିଲେ । ତାଙ୍କୁ ଗିରଫ କରି ଅଟକ ରଖିବା ସହ ତାଙ୍କ ଦୋକାନ ମାଲିକଙ୍କ ନାମରେ ଥାନାରେ ବେଆଇନ ଅଭିଯୋଗ କରିଥିବା ଆଶିଷ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ଉଭୟ ବବିତା ଓ ଆଶିଷ ଜିଲାପାଳଙ୍କ ସମେତ ଅବକାରୀ କମିଶନରଙ୍କୁ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ଅବକାରୀ ଅଧିକ୍ଷକ ଶ୍ରୀ ମିଶ୍ରଙ୍କ ଏକ ମୋବାଇଲ ବାର୍ତା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଅଧିକ୍ଷକ ଶ୍ରୀ ମିଶ୍ର ଜଣେ ବିଭାଗୀୟ ଅଧସ୍ତନ କର୍ମଚାରୀଙ୍କ ସହ ଉତ୍କୋଚ ଦାବି କରୁଥିବା ଶୁଣାଯାଉଛି । ଏଭଳି ଜଣେ ସରକାରୀ ଅଧିକାରୀଙ୍କ ଦ୍ୱାରା ଉଦେଶ୍ୟମୂଳକ ଭାବେ ଲାଂଚ ଦାବି କରି ମଦ ଦୋକାନୀଙ୍କୁ ହଇରାଣ କରାଯିବା ଓ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଲାଂଚସମ୍ପର୍କିତ ଅଧିକ୍ଷକଙ୍କ କଥାବାର୍ତା ଉପରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଇଛି ।