ଭୁବନେଶ୍ୱର,୦୩/୦୪/୨୦୨୪ (ଓଡ଼ିଶା ସମାଚାର)- ଆଜି ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଭୃଗୁ ବକ୍ସିପାତ୍ର। ସାଂସଦ ମାନସ ରଞ୍ଜନ ମଙ୍ଗରାଜ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ତାଙ୍କୁ ଦଳକୁ ସ୍ୱାଗତ କରିଥିଲେ । ଭୃଗୁ ବକ୍ସିପାତ୍ର ୨୩ ବର୍ଷ ଧରି ବିଜେପି ର ଉପସଭାପତି, ସାଧାରଣ ସମ୍ପାଦକ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଆକୃଷ୍ଟ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହପୁର ବିଧାୟକ ବିକ୍ରମ ପଣ୍ଡା, ସାଂସଦ ସସ୍ମିତ ପାତ୍ର, ମିଡ଼ିଆ ସଂଯୋଜକ ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ।
ଚନ୍ଦ୍ରଶେଖର ସାହୁ କହିଥିଲେ ଯେ, ଭୃଗୁ ବାବୁଙ୍କୁ ସ୍ୱାଗତ। ତାଙ୍କ ବାପା ହରିଶ ବକ୍ସିପାତ୍ର ମୋ ଘନିଷ୍ଠ ଓ ବିଜୁ ବାବୁ ଙ୍କ ସହ ଥିଲେ। ଭୃଗୁ ନବୀନ ଆଦର୍ଶ ଓ ବିକାଶ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି। ଏହା ବିଜେଡିକୁ ଆହୁରି ଶକ୍ତିଶାଳୀ କରିବ। ବିକ୍ରମ ପଣ୍ଡା କହିଥିଲେ, ଆଜି ଖୁସିର ଦିନ। ମହାମିଶ୍ରଣ ଯୋଗୁଁ ବିଜେଡି ଦକ୍ଷିଣ ଓଡ଼ିଶାରେ ଆହୁରି ସୁସଂଗଠିତ ହେବ। ତାଙ୍କ ଆହୁରି ସମର୍ଥକ ବି ସାମିଲ ହେବେ। ସମସ୍ତେ ମିଳିମିଶି କାମ କରିବୁ। ଏହି ମିଶ୍ରଣ ପର୍ବରେ ସସ୍ମିତ ପାତ୍ର କହିଥିଲେ ଯେ, ଭୃଗୁଙ୍କ ରାଜନୈତିକ ଓ ସଂଗଠନ ଦକ୍ଷତା ସମସ୍ତେ ଜାଣିଛନ୍ତି। ଦକ୍ଷିଣ ଓଡ଼ିଶାରେ ସାଙ୍ଗଠନିକ ଦକ୍ଷତା ୨୦୩୬ ଭିଜନ ସାକାର କରିବାରେ ସହାୟକ ହେବ।
ଭୃଗୁ ବକ୍ସିପାତ୍ର ବିଜେଡିରେ ମିଶିବା ପରେ ସେ ବ୍ରହ୍ମପୁରରୁ ସାଂସଦ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି।