ଭୁବନେଶ୍ୱର, ୦୩/୦୪/୨୦୨୪ (ଓଡ଼ିଶା ସମାଚାର)- ଆଜି ଶଙ୍ଖ ଭବନରେ ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ବେହେରା । କିଛି ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ସେ କଟକ ସଦର ବିଜେପି ସଭାପତି ଥିଲେ। ୨୦୧୪ରେ ସେ କଂଗ୍ରେସ ଟିକେଟରୁ ଜିତି ସାଲେପୁର ବିଧାୟକ ହୋଇଥିଲେ। ହେଲେ ୨୦୧୯ ରେ ବିଜେପି ଟିକେଟରୁ ପରାଜୟ ବରଣ କରିଥିଲେ। ଆଜି ସେ ତାଙ୍କ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେଡିର ଯୋଗ ଦେଇଛନ୍ତି।
ସାଂସଦ ମାନସ ରଞ୍ଜନ ମଙ୍ଗରାଜ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ପ୍ରକାଶ ଓ ତାଙ୍କ ସମର୍ଥକଙ୍କୁ ଦଳକୁ ସ୍ୱାଗତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ବିଜେଡି ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ମାହାଙ୍ଗା ବିଧାୟକ ପ୍ରତାପ ଜେନା, ସାଂସଦ ସସ୍ମିତ ପାତ୍ର ଓ ବିଜେଡି ମିଡ଼ିଆ ସଂଯୋଜକ ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ।
ସାଂସଦ ମାନସ ମଙ୍ଗରାଜ କହିଥିଲେ ଯେ, ଆଜି ପ୍ରକାଶ ଚନ୍ଦ୍ର ବେହେରା ବିଜେପି ଛାଡି ବିଜେଡିରେ ବିଧିବଦ୍ଧ ଭାବେ ଯୋଗଦାନ କରୁଛନ୍ତି। ତାଙ୍କ ଯୋଗଦାନରେ ବିଜେଡି କଟକ ଜିଲ୍ଲା ଓ ସାଲେପୁରରେ ଆହୁରି ସଶକ୍ତ ହେବ। ତାଙ୍କ ସହ ଅନେକ ପଂଚାୟତ ନେତା ମଧ୍ୟ ଯୋଗ ଦେଇଛନ୍ତି। ଶ୍ରୀଯୁକ୍ତ ମଙ୍ଗରାଜ ସମସ୍ତଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ ।
ପ୍ରତାପ ଜେନା କହିଥିଲେ, ଆଜି ଶଙ୍ଖ ଭାବନରେ କେବଳ ମିଶ୍ରଣ ନୁହେଁ, ମହାମିଶ୍ରଣ ପର୍ବ ହୋଇଛି। ପୂର୍ବତନ ବିଧାୟକ ପ୍ରକାଶ ବେହେରା ମୋ ସାନ ଭାଇ ବିଜେଡିରେ ମିଶିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକାଭିମୁଖୀ କାର୍ୟ୍ୟକ୍ରମରେ ଆକର୍ଷିତ ହୋଇ ପ୍ରକାଶଙ୍କ ସହ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଜେପି ନେତା ବିଜେଡିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ଦ୍ୱାରା ବିଜେଡି ଆହୁରି ଶକ୍ତିଶାଳୀ ହେବ।
ପ୍ରକାଶ ବେହେରା କହିଥିଲେ ଯେ, ଆଜି ନିଶ୍ଚିତ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଓଡ଼ିଶାକୁ ଶୀର୍ଷରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚେଷ୍ଟା କରି ଚାଲିଛନ୍ତି। ତାଙ୍କ ପାଇଁ ବିଜେଡିରେ ଯୋଗ ଦେଲୁ। ମୁଁ ଅତ୍ୟନ୍ତ ଖୁସି ବିଜେଡିରେ ମୋତେ ଗ୍ରହଣ କରାଯାଇଥିବାରୁ। ଏଥି ପାଇଁ ଦଳର ସଭାପତି, ସଂଗଠନ ସମ୍ପାଦକ ଓ ନେତୃ ମଣ୍ଡଳୀକୁ କୃତଜ୍ଞତା ଜଣାଇଥିଲେ। ସମସ୍ତେ ତୃଣମୂଳ ସ୍ତରରେ ଲୋକଙ୍କ ପାଇଁ କାମ କରିବା । ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତି ଓ ବିକାଶ କାର୍ୟ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଥିବା କଥା ସେ କହିଛନ୍ତି। ସାଲେପୁର ବିକାଶ ପାଇଁ କାମ କରିବା। ମୁଁ ଜଣେ ରାଜନୈତିକ କର୍ମୀ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଆମେ ମାନିବୁ ବୋଲି ପ୍ରକାଶ ବେହେରା କହିଥିଲେ।