ଅନୁଭବ ଓ ଅଧ୍ୟୟନ ଜଣେ ଲେଖକର ସମ୍ବଳ
ଭୁବନେଶ୍ୱର, ୩୦ /୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଅନୁଭବ ଓ ଅଧ୍ୟୟନ ଜଣେ ଲେଖକର ଶ୍ରେଷ୍ଠ ସମ୍ବଳ । ବୃତ୍ତି ଓ ପ୍ରବୃତ୍ତି ମଧ୍ୟରେ ସମନ୍ୱୟ ରକ୍ଷା କରି ଜଣେ ଲେଖକ ସାଧନା ଜାରି ରଖେ । ଜୀବନରୁ ତଥା ବିଭିନ୍ନ ପରିବେଶରୁ ସେ ସାହିତ୍ୟର ଉପାଦାନ ସଂଗ୍ରହ କରେ ବୋଲି ବିଶିଷ୍ଟ ଗାଳ୍ପିକ ରବି ସ୍ୱାଇଁ ଉଲ୍ଲେଖ କରିଛନ୍ତି । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଜୟଦେବ ଭବନଠାରେ ଅନୁଷ୍ଠିତ ‘ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ସ୍ୱାଇଁ ନିଜ ଅନୁଭବକୁ ଅନୁସରଣ କଲେ ଜଣେ ଲେଖକ ସାର୍ଥକ ରଚନା ସୃଷ୍ଟି କରିପାରିବ ବୋଲି ମତ ଦେଇଛନ୍ତି ।
ଶ୍ରୀ ସ୍ୱାଇଁ ତାଙ୍କ କଥାଯାତ୍ରାର ବିସ୍ତୃତ ବିବରଣୀ ଦେଇ ନିଜର ସୁଶିକ୍ଷିତା ମା’, ଶିକ୍ଷକ ଜୀବନ, ନାଗରିକ ସମାଜରେ ଅନୁଭୂତି ଇତ୍ୟାଦି ତାଙ୍କୁ ସାହିତ୍ୟ ରଚନା ପାଇଁ ପ୍ରେରଣା ଯୋଗାଇଛି ବୋଲି କହିଥିଲେ ।
ଗଳ୍ପ ରଚନା ବ୍ୟତୀତ ସେ ନାଟକ, ଉପନ୍ୟାସ, ସମାଲୋଚନା ଇତ୍ୟାଦି ଲେଖିଥିଲେ ମଧ୍ୟ ଜଣେ କଥାକାର ଭାବରେ ବିଶେଷ ଉଦ୍ୟମ କରିଛନ୍ତି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଶ୍ରୀ ରକ୍ଷକ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ପାଇଁ ମନୋନିତ ଶ୍ରୀ ବଙ୍ଗାଳୀ ନନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଶ୍ରୀ ନନ୍ଦ ସମ୍ବର୍ଦ୍ଧନାର ଉତ୍ତର ଦେଇ ଅନୁଷ୍ଠାନକୁ କୃତଜ୍ଞତା ଜଣାଇଥିଲେ । କାର୍ଯ୍ୟକ୍ରମରେ ଖ୍ୟାତିସଂପନ୍ନ ଭାଷାବିତ୍ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ଶ୍ରୀ ନନ୍ଦଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏ ମାସର କଥାକାର ଭାବରେ ଶ୍ରୀ ରଞ୍ଜନ କୁମାର ପାତ୍ର ଯୋଗଦେଇ ସ୍ୱରଚିତ ଗଳ୍ପ ପାଠ କରିଥିଲେ ।
ଡ. ଅଭୟ ନାରାୟଣ ନାୟକ ଓ ବିଜନବାଳା ପାଟ୍ଟଯୋଶୀଙ୍କ ମିଳିତ ସଂଯୋଜନାରେ ବିଭୂତି ପାଣିଗ୍ରାହୀ, ଅଲେଖ ଚରଣ ରାଉତ, ରଜନୀକାନ୍ତ ପଟ୍ଟନାୟକ, ନିବାସ ଚନ୍ଦ୍ର ଜେନା, ସୁଷମା ଦାଶ, ମିହିରକାନ୍ତି ଦାସ, ସଂଜୁଲତା ମହାନ୍ତି (ପଟ୍ଟନାୟକ), କୁମୁଦିନୀ ଜୀ, ସଂଯୁକ୍ତା ପରିଡ଼ା, ଶୈଳେନ୍ଦ୍ର ଜେନା, ବିଧୁଭୂଷଣ ତି୍ରପାଠୀ, ଶାକ୍ୟସିଂହ ମହାପାତ୍ର, ପ୍ରମୁଖ କବିତା ପାଠ କରିଥିଲେ । ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଆରମ୍ଭରେ ଡା. ଜୀବନକୃଷ୍ଣ ମିଶ୍ର ବେଦପାଠ କରିଥିବାବେଳେ ଶେଷରେ ଡ. ଅଶୋକ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।
