ମିଲିଂ ଖର୍ଚ୍ଚ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଜଣାଇଲେ ଧନ୍ୟବାଦ
ଭୁବନେଶ୍ୱର,୦୯/୦୬/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସହ ଓଡିଶା ରାଇସ ମିଲର୍ସ ସଂଘ ପ୍ରତିନିଧି ମାନେ ସାକ୍ଷାତ କରିଛନ୍ତି । ମନ୍ତ୍ରୀଙ୍କ ସରକାରୀ ବାସଭବନରେ ଏହି କର୍ମକର୍ତ୍ତା ମାନେ ସାକ୍ଷାତ କରି ମିଲିଂ ଖର୍ଚ୍ଚ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏଥିସହ କର୍ମକର୍ତ୍ତା ମାନେ ଖୁସିବ୍ୟକ୍ତ କରିବା ସହ ଆଗାମୀ ଦିନରେ ସହଯୋଗ ଜାରି ରହିବ ବୋଲି କହିଥିଲେ ।
ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମିଲିଂ ଦରକୁ ଦୁଇଗୁଣା ବୃଦ୍ଧି କରିଛନ୍ତି । ଉଷୁନା ଚାଉଳର ମିଲିଂ ଦର ପୂର୍ବରୁ କ୍ୱିଣ୍ଟାଲ ପିଛା ୨୦ ଟଙ୍କା ଥିବା ବେଳେ ଏହାକୁ ୪୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଅରୁଆ ଚାଉଳର ମିଲିଂ ଦର କ୍ୱିଣ୍ଟାଲ ପିଛା ୧୦ ଟଙ୍କା ଥିବା ବେଳେ ଏହାକୁ ୨୦ ଟଙ୍କାକୁ ବୃଦ୍ଧି କରାଯାଇଛି ।
ଗତ କିଛି ବର୍ଷ ମଧ୍ୟରେ ଶ୍ରମିକ ମଜୁରୀ, ଇନ୍ଧନଏବଂ ଅନ୍ୟାନ୍ୟ ମିଲିଂ ସାମଗ୍ରୀର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ମିଲିଂ ଦର ବୃଦ୍ଧି କରାଯାଇଛି । ଏହାଦ୍ୱାରା ମିଲର ମାନଙ୍କ ସମସ୍ୟା ଦୂର ହେବା ସହ ଚାଷୀ ମାନଙ୍କ ଠାରୁ ସୁରୁଖୁରରେ ଧାନ ସଂଗ୍ରହ ହୋଇପାରିବ । ଏଥିସହ ରାଜ୍ୟର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ଆଶା କରାଯାଉଛି ।
ଏହି ଅବସରରେ ଓଡିଶା ରାଇସ ମିଲର୍ସ ଆସୋସିଏସନ ସାଧାରଣ ସମ୍ପାଦକ ଶ୍ରୀ ଲକ୍ଷ୍ମୀନାରାୟଣ ଦୀପକ ରଞ୍ଜନ ଦାସଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
