ବିଜେଡିରୁ ଇସ୍ତଫା ଦେଇ ବିଜେପି ରେ ଯୋଗଦେଲେ  ଉତ୍ତର ଭୁବନେଶ୍ବରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର

ଭୁବନେଶ୍ବର, ୩୦ /୦୩/୨୦୨୪ (ଓଡ଼ିଶା ସମାଚାର)- ବିଜେଡି ଛାଡ଼ିଲେ ଉତ୍ତର ଭୁବନେଶ୍ବରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର। ଦଳରେ ଲଗାତାର ଅବହେଳା ଅଭିଯୋଗ କରି ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ଦଳର ସଭାପତିଙ୍କ ପାଖକୁ ପଠାଇଛନ୍ତି। ପ୍ରିୟଦର୍ଶୀ ମିଶ୍ର ୨୦୧୪ରୁ ୨୦୧୯ ଯାଏ ଉତ୍ତର ଭୁବନେଶ୍ବରର ବିଧାୟକ ଥିଲେ। ୨୦୧୯ ପରଠାରୁ ତାଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉନଥିଲା। ୨୦୧୯ରେ ଦଳ ଉତ୍ତର ଭୁବନେଶ୍ୱରରୁ ସୁଶାନ୍ତ ରାଉତଙ୍କୁ ଟିକେଟ୍ ଦେଇଥିଲା । ସେ ହେଉଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀଙ୍କ ଜାମାତା। ପ୍ରିୟଦର୍ଶୀ ମିଶ୍ର ବିଜେପିରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ମଧ୍ୟ ଗୋଟିଏ ମହଲରେ ଆଲୋଚନା ହେଉଛି।

ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଦଳ ଛାଡିବା ପରେ କହିଛନ୍ତି ବିଜେଡି ଛାଡିବାର କାରଣ । ସେ କହିଛନ୍ତି ଯେ, ଦଳରେ କୁଚକ୍ରି ଗୋଷ୍ଠୀ କାମ କରୁଛନ୍ତି । ସେମାନେ ପୁରୁଣା ଲୋକଙ୍କୁ ହଟାଇବାକୁ ଚାହୁଁଛନ୍ତି । ନୂଆ ଯେଉଁମାନେ ଆସିଛନ୍ତି ସେମାନେ କ୍ଷମତା ରାଜନୀତି କରୁଛନ୍ତି । ଦଳରେ ତାଙ୍କୁ ଘୋର ଅଣଦେଖା କରାଯାଇଛି । ପ୍ରିୟଦର୍ଶୀ ଆହୁରି ମଧ୍ୟ କହିଛନ୍ତି ଯେ, ସେ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ କାମ କରିଥିଲେ । ହେଲେ ୨୦୧୯ରେ ତାଙ୍କୁ ଟିକେଟରୁ ବଞ୍ଚିତ କରାଗଲା । ୨୦୨୪ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲେ ବି ଦଳର କୌଣସି କାର୍ୟ୍ୟରେ ତାଙ୍କୁ ନିୟୋଜିତ କରାଗଲା ନାହିଁ କି ତାଙ୍କୁ ଖୋଜାଗଲା ନାହିଁ । ଦଳରେ ତାଙ୍କୁ ଆଉ ଆବଶ୍ୟକ ମନେକରାଗଲା ନାହିଁ । ତେଣୁ ସେ ଦଳ ଛାଡିଲେ ବୋଲି କହିଛନ୍ତି ।

ତେବେ ଆଜି ସକାଳ ପାଖାପାଖି ୧୦ଟା ସମୟରେ ଉତ୍ତର ଭୂବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡି ଛାଡ଼ିଥିଲେ। ମାତ୍ର ୨ ଘଣ୍ଟା ଭିତରେ ରାଜ୍ୟ ବିଜେପି କାର୍ୟ୍ୟାଳୟକୁ ଯାଇ ବିଜେପିରେ ସାମିଲ ହୋଇଛନ୍ତି।

ରାଜ୍ୟ ବିଜେପି କାର୍ୟ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ନିର୍ବାଚନ ପ୍ରଭାରୀ, ସଭାପତି ମନମୋହନ ସାମଲ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ, ପୂର୍ବତନ ବିଧାୟକ ପ୍ରଶାନ୍ତ ଜବଦ୍ଦେବ ଓ ବରିଷ୍ଠ ନେତା ସଜ୍ଜନ ଶର୍ମାଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି। ବିଜେଡିରେ ତାଙ୍କୁ ଉଚିତ ସମ୍ମାନ ନମିଳିବାରୁ ସେ ବାଧ୍ୟ ହୋଇ ଦଳ ଛାଡିଥିବା କହିଥିଲେ।

Leave a Reply

Your email address will not be published. Required fields are marked *