ପ୍ରସିଦ୍ଧ ଭରତପୁର ମକ୍କଦ୍ଧମ ଦୋଳମେଲଣ ଅନୁଷ୍ଠିତ

କେନ୍ଦ୍ରାପଡ଼ା,୨୯/୦୩/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମରେ ପ୍ରସିଦ୍ଧ ଭରତପୁର ମକ୍କଦ୍ଧମ ଦୋଳମେଲଣ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଶ୍ରୀ ଗୋପାଳଜୀଉଙ୍କ ମକ୍କଦ୍ଧମ ଦୋଳମେଲଣ ଶ୍ରୀଦଧିବାବନଜୀଉଙ୍କ ମନ୍ଦିର ସମ୍ମୁଖ ଠାକୁରଦାଣ୍ଡରେ ବୁଧବାର ରାତିରେ ଅନୁଷ୍ଠିତ ହୋଇଥିବା ବେଳେ ଗୁରୁବାର ସୀତାରାମ ମଠ ପଡିଆରେ ପ୍ରବୋଧ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଦୋଳ ମେଲଣରେ ପ୍ରାୟ ୧୮ଟି ବିମାନ ବାଜା ବଜାଇ, ବାଣ ଫୁଟାଇ ରୋଷଣୀକରି ମେଲଣ ପଡିଆରେ ପହଂଚି ଥିଲେ । ଗତ ୨ଶହ ୫୬ବର୍ଷ ଧରି ଏହି ପରମ୍ପରା ଚାଲିଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ରୀତିନୀତି ଅନୁଯାଇ ବିମାନ ମାନଙ୍କରେ ଥିବା ଠାକୁରମାନଙ୍କୁ ପୂଜାର୍ଚ୍ଚନା ପରେ ଭୋଗଲାଗି କରାଯାଇଥିଲା । ବିମାନ ପୂଜା କାର୍ଯ୍ୟକ୍ରମରେ ଅଧିକାରୀ ରାଜେନ୍ଦ୍ର ଚନ୍ଦ୍ର ଦାଶ, ଅଧିକାରୀ ରସାନନ୍ଦ ଦାଶ ଓ ସରୋଜ କାନ୍ତ ପତି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ମେଲଣରେ ରାମଲୀଳା ପରିବେଷଣ କରିଥିଲେ ବାଲିଚନ୍ଦ୍ରପୁର ଖଡିଅଙ୍ଗ ମହାବୀର ରାମଗଣନାଟ୍ୟର ସତ୍ୱାଧିକାରୀ ପବିତ୍ର କୁମାର ଦାସ ଓ ସାଥିମାନେ ଏବଂ ପାରମ୍ପାରିକ ଲୋକକଳା ଘୋଡାନାଚ ପରିବେଷଣ କରିଥିଲେ ଆରିପଦାର ମା’ଦୁର୍ଗେ ସାହାରା ସୁନ୍ଦରୀ ଘୋଡାନାଚ ଦଳର ବିମ୍ବାଧର ବେହେରା ଓ ସାଥିମାନେ । ୨୫୬ବର୍ଷ ଦୋଳ ମେଲଣ ମହୋତ୍ସବ ଅବସରରେ ଉଭୟ ପବିତ୍ର କୁମାର ଦାସ ଓ ବିମ୍ବାଧର ବେହେରାଙ୍କୁ ମାନପତ୍ର , ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ବିଜୟ କିଶୋର ଦାସ, ଚିତରଞ୍ଜନ ଦାସ, ସୁଶାନ୍ତ କୁମାର ଦାସ, ଧରଣୀଧର ମହାନ୍ତି, ଅରବିନ୍ଦ ମହାନ୍ତି, କାହ୍ନୁଚରଣ ବେହେରା, ଶ୍ରୀଚରଣ ବେହେରା, ଆକୁଳାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *