ରେଣ୍ଟା ଜଙ୍ଗଲରୁ ବେଆଇନି ମାଟି ଚାଲାଣ,    ଠିକାଦାର ପ୍ରଶାସନ ମଧୁ ଚନ୍ଦ୍ରିକା 

ମାହାଙ୍ଗା,୨୯/୦୩/୨୦୨୪(ଓଡିଶା ସମାଚାର /ଅଭୟ ଜେନା) ମାହାଙ୍ଗା ତହସିଲ ଅନ୍ତର୍ଗତ ଭଉଁରୀଆ ପଞ୍ଚାୟତର ମନୋରମ ପୀଠ ରେଣ୍ଟା ଜଙ୍ଗଲ ଅସୁରକ୍ଷିତ ହୋଇପଡିଛି । କେତେବେଳେ ଏହି ରେଣ୍ଟା ଜଙ୍ଗଲ ଭିତରୁ ମୂଲ୍ୟବାନ ଗଛ କାଟିନିଆଯାଉଛି ତ’ ଆଉ କେତେବେଳେ ଜଙ୍ଗଲରେ ନିଆଁ ଲଗେଇ ଦିଆଯାଉଛି । ଏପରିକି ଏଠାରୁ ଅବାଧରେ ଓ ବେଧଡକ ଭାବେ ଚାଲିଛି ଚୋରା ମାଟି ଚାଲାଣ  । ପୂର୍ବତନ ଆରଡ଼ିସି ଅନିଲ ସାମଲଙ୍କ ଉଦ୍ୟମ ଯୋଗୁଁ ଏହି ରେଣ୍ଟା ଜଙ୍ଗଲ ଭିତରେ ବିଭିନ୍ନ କିସମର ବୃକ୍ଷ ରୋପଣ ହୋଇପାରିଥିଲା  । ରେଣ୍ଟାର ପ୍ରସିଦ୍ଧ ବନଦୁର୍ଗା ପୀଠକୁ ବହୁ ପର୍ୟ୍ୟଟକ ଆସୁଥିଲେ । ଏପରିକି ପିକନିକ୍ ସ୍ପଟ ଭାବେ ରେଣ୍ଟାକୁ ବଣଭୋଜି ପାଇଁ ଦୂର ଦୁରାନ୍ତରୁ ଲୋକମାନେ ଆସିବା ଦେଖିବାକୁ ମିଳେ  । କିନ୍ତୁ ଆଶ୍ଚର୍ୟ୍ୟର କଥା ନିକଟସ୍ଥ ନାହାଙ୍ଗ ଗ୍ରାମ ପଞ୍ଚାୟତ ଏବଂ ଏହାର ଆଖପାଖ ପଞ୍ଚାୟତରେ ବିଭିନ୍ନ ସରକାରୀ କାର୍ୟ୍ୟରେ ମାଟିର ଆବଶ୍ୟକ ପଡୁଥିବାରୁ, ମାଟି ମାଫିଆଙ୍କ ଦ୍ୱାରା ଏଠାରୁ ମାଟି ଚୋରେଇ ନିଆଯାଉଛି  । ତହସିଲ ପ୍ରଶାସନର ଅଗୋଚରରେ ଜେସିବି ଲଗାଇ ଦୈନିକ ଶହଶହ ଟ୍ରିପ ମାଟି ଚୋରା ଚାଲାଣ କରାଯାଉଛି  । ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱଫାଙ୍କି  ଚୋରା ମାଟି ଚାଲାଣ ପଛରେ ଏକ ବଡ଼ ରକେଟ କାମ କରୁଥିବା ଅଭିଯୋଗ ହେଉଛି  । ଶୁକ୍ରବାର ମାଧ୍ୟାହ୍ନରେ ଭଉଁରୀଆ ପଞ୍ଚାୟତର ବହୁ ବୁଦ୍ଧିଜୀବୀ, ସଚେତନ ନାଗରିକ ଏବଂ ଯୁବକ ମାନେ ଏକତ୍ରିତ ହୋଇ ରେଣ୍ଟା ଜଙ୍ଗଲ ଭିତରୁ ବେଆଇନ ମାଟି ଚାଲାଣକୁ ତୀବ୍ର ବିରୋଧ କରିବା ଦେଖିବାକୁ ମିଳିଥିଲା  । ମାହାଙ୍ଗା ତହସିଲଦାର, ସ୍ଥାନୀୟ ରାଜସ୍ବନିରୀକ୍ଷକ କିମ୍ବା ବନବିଭାଗର କୌଣସି ଅଧିକାରୀଙ୍କ ଅନୁମତି ନଥାଇ ଗୋଚର ତଥା ଜଙ୍ଗଲ ଜମିରୁ ମାଟି ଚାଲାଣ କିପରି ହେଉଛି, ସେ ନେଇ ବହୁ ଚାଷୀ, କୃଷକ ତଥା ବୁଦ୍ଧିଜୀବୀ ମାନେ ଘଟଣା ସ୍ଥଳୀରେ ପହଂଚି ମାଟି ମାଫିଆଙ୍କୁ ବିରୋଧ କରିବା ଜଣାପଡିଛି ।  ପ୍ରଶାସନ ଏହି ବେଆଇନି କାରବାର ଉପରେ କି କାର୍ଯ୍ୟାନୁଷ୍ଠାନ ନେଉଛି, ସେକଥା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *