ବିଜୁଳି, ଘଡଘଡି ସହ ବର୍ଷା ନେଇ ୯ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର, ୧୯/୦୩/୨୦୨୪ (ଓଡ଼ିଶା ସମାଚାର)-  ରାଜ୍ୟରେ ଟ୍ୱିନ ସିଟି ସହ ଅଧିକାଂଶ ସ୍ଥାନରେ କୋହଲା ପାଗ ସାଙ୍ଗକୁ ବର୍ଷା ହେଉଛି। କିଛି ଦିନର ତାତି ପରେ ରାଜ୍ୟରେ ପାରଦ ଖସିଛି। ବିଜୁଳି, ଘଡଘଡି ସହ ବର୍ଷା ନେଇ ୯ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ଦୁଇ ଦିନ ଯାଏ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିପରି କଟକ, ନୟାଗଡ, କନ୍ଧମାଳ, ଢେଙ୍କାନାଳ ଓ ଯାଜପୁରରେ ମଧ୍ୟ ବର୍ଷା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ସୂଚନା ମିଳିଛି।
ମଙ୍ଗଳବାର ଓ ବୁଧବାର ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି। ମଙ୍ଗଳବାର ୧୨ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୮ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରବଳ ବର୍ଷା ସହ କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। କେନ୍ଦୁଝର, ମୟୁରଭଞ୍ଜ, ନୟାଗଡ, ବୌଦ୍ଧ, ସୋନପୁର। ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡିକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ବୁଧବାର ପାଇଁ ୧୧ ଜିଲାକୁ ଅରେଞ୍ଜ ଓ ୭ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।  ଏହାସହ ୪୦ ରୁ ୫୦ କିମି ବେଗରେ ପବନ ବହିବା ନେଇ ମଧ୍ୟ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପ୍ରବଳ ବର୍ଷା ସହ କୁଆପଥର ମାଡ ହେବାର ମଧ୍ୟ ସମ୍ଭାବନା ରହିଛି। ବର୍ଷା ପ୍ରଭାବରେ ୩ରୁ ୫ ଡିଗ୍ରୀ ଯାଏଁ ତାପମାତ୍ରା କମିବ। ୨୧ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ।
ନିମ୍ନ ଚାପରେଖା ପ୍ରଭାବରେ ଏଭଳି ପାଗ ଲାଗି ରହିଛି। ୨୨ ତାରିଖରୁ ପାଗ ବଦଳିବା ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *