ଯାଜପୁର ଜିଲା ଦଶାଶ୍ୱମେଧ ଘାଟରେ ମହାବାରୁଣୀ ସ୍ନାନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

ଯାଜପୁର,୧୬/୦୩/୨୦୨୪ (ଓଡ଼ିଶା ସମାଚାର)-ଯାଜପୁର ଜିଲା ବୈତରଣୀ ନଦୀ ଦଶାଶ୍ୱମେଧ ଘାଟରେ ଚଳିତ ବର୍ଷ ଏପ୍ରିଲ ୬ ତାରିଖ ଶନିବାର ଦିନ ପାରମ୍ପରିକ ରିତିନିତି ଅନୁଯାୟୀ କେବଳ ପବିତ୍ର ମହାବାରୁଣୀ ସ୍ନାନ ନିମନ୍ତେ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ଡା. ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ବୈଠକରେ ସର୍ବସମ୍ମତି କ୍ରମେ ଆଲୋଚନା ପରେ ଜିଲା ପ୍ରଶାସନ ଓ ଯାଜପୁର ପୌର ପ୍ରଶାସନ ପକ୍ଷରୁ କେବଳ ମହାବାରୁଣୀ ସ୍ନାନ ପାଇଁ ନିଷ୍ପତି ନିଆଯାଇଅଛି । ପ୍ରଶାସନ ତରଫରୁ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ସ୍ନାନ ନିମନ୍ତେ ନିର୍ଦ୍ଧିଷ୍ଟ ସ୍ଥାନ ନିରୂପଣ, ସ୍ନାନ ସ୍ଥାନକୁ ଜଳ ଯୋଗାଣ, ସ୍ନାନ ପରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଶାନ୍ତି ଶୃଙ୍ଖଳାର ସହ ଦିଅଁ ଦର୍ଶନ, ପିତୃ ପୁରୁଷଙ୍କ ଉଦ୍ଧେଶ୍ୟରେ ପିଣ୍ଡ ଦାନ ଏବଂ ସୁଗମ ଯାତାୟତର ସୁବିଧା ପାଇଁ ପ୍ରବେଶ ଓ ପ୍ରସ୍ଥାନ ରାସ୍ତାରେ ବାରିକେଡିଂ ନିର୍ମାଣ, ବିଜୁଳି ଆଲୋକ, ପାନୀୟ ଜଳ ଯୋଗାଣ, ଦୁଇଗୋଟି ଅଗ୍ନିଶମ ସେବା ଦଳ ଦୁଇପଟ ସ୍ନାନ କୂଳରେ ମୁତୟନ କରିବା, ଯାନ ରହଣୀ ସ୍ଥାନ ନିରୂପଣ କରିବା, ଅସ୍ଥାୟୀ ଶୌଚାଳୟ ନିର୍ମାଣ, ଅସ୍ଥାୟୀ ଆଶୁ ଚିକିତ୍ସା ବ୍ୟବସ୍ଥା ଓ ଦୁଇଗୋଟି ଆମ୍ୱୁଲାନ୍ସ ସେବା, ହଜିଲା ଖୋଜିଲା ଡାକବାଜି ଯନ୍ତ୍ର ବ୍ୟବସ୍ଥା ଓ ପରିଷ୍କାର ପରିଛନ୍ନତା ନିମନ୍ତେ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ଡା. ମହାପାତ୍ର ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଓ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ଚଳିତ ୨୦୨୪ ମହାବାରୁଣୀ ସ୍ନାନର ପାରମ୍ପରିକ ରିତି ସମ୍ୱନ୍ଧରେ ସୂଚନା ପ୍ରଦାନ କରିଥିଲେ । ବୈଠକରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ, ଯାଜପୁର ଶ୍ରୀ ସତ୍ୟବ୍ରତ ଲେଙ୍କା, ନିର୍ବାହୀ ଅଧିକାରୀ, ପୌର ପରିଷଦ, ଯାଜପୁର ଶ୍ରୀ ଅନିଲ କୁମାର ମହାନ୍ତି ମଂଚାସୀନ ଥିବାବେଳେ ଅଧିକ୍ଷଣ ଯନ୍ତ୍ରୀ, ପୂର୍ତ, ପାଣିକୋଇଲି ଇଂ ପୂଣ୍ଣଚନ୍ଦ୍ର ଦଳାଇ, ଅଧିକ୍ଷଣ ଯନ୍ତ୍ରୀ, ଜଳ ସମ୍ପଦ, ଯାଜପୁର ଖଣ୍ଡ ଇଂ ଶରତ ଚନ୍ଦ୍ର ଘଡାଇ, ଏଡିପିଏଚଓ ଡା. ରମେଶ ଚନ୍ଦ୍ର  ମଲିକ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଯାଜପୁର ଇଂ ବିକ୍ରମାଦିତ୍ୟ ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଜନସ୍ୱାସ୍ଥ୍ୟ, ଯାଜପୁର ଇଂ କ୍ଷୀରୋଦ ଚନ୍ଦ୍ର ବେହେରା, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା, ଜିଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୋନାଲି ବେହେରା, ସହକାରୀ ଅଗ୍ନିଶମସେବା ଅଧିକାରୀ ଶ୍ରୀ ଦାଶରଥି ନାୟକଙ୍କ ସମେତ ସଂପୃକ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *