ନିରାକାରପୁର,୧୬/୦୩/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ନୂଆଗଡ ପଞ୍ଚାୟତ ହରିପୁର ନୂଆଗଡପାଟଣାର ଜଣେ ଯୁବକ ଆଜି ଗାଧୋଇବା ବେଳେ ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ କି ନୂଆଗଡ ପାଟଣା ଗ୍ରାମର ଯୁବକ ଗଣେଶ ଜେନା (୩୫ ବର୍ଷ ) ଗ୍ରାମର ମାଟିଆ ପୋଖରୀରେ ଆଜି ପୂର୍ବାହ୍ନରେ ଗାଧୋଇବାକୁ ଯାଇଥିଲେ।ଗଣେଶ ଗାଁ ରେ ମୂଲ ମଜୁରୀ ଲାଗି ଚଲୁଥିଲା। ଆଜି ମୂଲ କାମ ସାରି ଗଣେଶ ଗାଁ ପୋଖରୀରେ ଗାଧୋଇବା ପାଇଁ ଯାଇଥିଲା। ପୋଖରୀରେ ଗାଧୋଉଥିବା ବେଳେ ଗୋଡ଼ ଖସି ଯିବାରୁ ଗଣେଶ ଗଭୀର ଜଳକୁ ପଳାଇଯାଇଥିଲା। ସେହି ଗଭୀର ଜଳରେ ଗଣେଶ ଜୀବନ ସହ ସଂଘର୍ଷ କରୁଥିବା ବେଳେ ସ୍ଥାନୀୟ ଲୋକେ ଗଣେଶ କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ଡାକ୍ତର ଗଣେଶ କୁ ପରୀକ୍ଷା କରିବା ପରେ ମୃତ ଘୋଷଣା କରିଛନ୍ତି। ଟାଙ୍ଗୀ ପୋଲିସ ଶବ ଜବତ କରି ତଦନ୍ତ କରୁଛି। ଏପଟେ ମୃତ ଗଣେଶ ୨ ଟି ଛୋଟ ଛୋଟ ଛୁଆ ଥିବା ଜଣା ପଡିଛି। ମୃତକ ଗଣେଶଙ୍କ ପରିବାର ଅତ୍ୟନ୍ତ ଗରିବ ଶେଣୀର ହୋଇଥିବାରୁ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।