ଶତବାର୍ଷିକୀ ସ୍ମାରକୀ ବକ୍ତୃତା ପ୍ରଦାନ କରିବେ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଜି. ହରଗୋପାଲ
ଭୁବନେଶ୍ୱର,୧୦/୧୧/୨୦୨୫(ଓଡ଼ିଶା ସମାଚାର)-ବିଶିଷ୍ଟ ସମାଜବାଦୀ ଜନନେତା, ଲୋକସଭାର ପ୍ରାକ୍ତନ ବାଚସ୍ପତି ତଥା ଗଣତାନ୍ତ୍ରିକ ମୁଲ୍ୟବୋଧର ଅଦମ୍ୟ ପ୍ରତୀକ ଦିବଙ୍ଗତ ରବି ରାୟଙ୍କ ଜନ୍ମ ଶତବାର୍ଷିକୀ ଅବସରରେ, ଲୋହିଆ ଏକାଡ଼େମୀ ପ୍ରଚେଷ୍ଟାରେ ଗଠିତ “ରବି ରାୟ ଜନ୍ମ ଶତବାର୍ଷିକୀ ସମିତି” ପକ୍ଷରୁ ୨୬ ନଭେମ୍ବର ୨୦୨୫ ରୁ ୨୬ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ବର୍ଷବ୍ୟାପୀ କାର୍ଯ୍ୟକ୍ରମ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଆୟୋଜନ ହେବ। ଏହି ପରିପ୍ରେକ୍ଷୀରେ ପ୍ରଫେସର ଆନନ୍ଦ କୁମାରଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ସମିତି ଗଠନ କରାଯାଇଥିବା ବେଳେ ବିଶିଷ୍ଟ ଗାନ୍ଧୀବାଦୀ କ୍ରିଷ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସମିତି ଗଠନ କରାଯାଇଛି।
ପୁରୀ ଜିଲ୍ଲାର ଭଁରାଗଡ଼ରେ ୨୬ ନଭେମ୍ବର ୧୯୨୬ରେ ଜନ୍ମିତ ରବି ରାୟ ନୈତିକ ରାଜନୀତି, ସମାଜବାଦ ଆନ୍ଦୋଳନର ଅଦମ୍ୟ ସିପାହୀ, ଉଚ୍ଚକୋଟୀର ସାଂସଦ, ଦୁର୍ନୀତିମୁକ୍ତ କେନ୍ଦ୍ରମନ୍ତ୍ରୀ ତଥା ଲୋକସଭାର ବାଚସ୍ପତି ରୂପେ ଆଦର୍ଶ ଜନନେତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ଜୀବନ୍ତ ଉଦାହରଣ ଭାବେ ସମଗ୍ର ଦେଶରେ ପରିଚିତ ଥିଲେ। ତାଙ୍କ ଆଦର୍ଶ ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପାଥେୟ କରି ଆସନ୍ତା ୨୫ ନଭେମ୍ବରରେ “ଭାରତରେ ଗଣତନ୍ତ୍ରର ଭବିଷ୍ୟତ” ବିଷୟରେ ରାଷ୍ଟ୍ରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ଏହି ଆଲୋଚନା ଚକ୍ରରେ ଦେଶ ତଥା ରାଜ୍ୟର ଶିକ୍ଷାବିତ୍, ସମାଜ ବିଜ୍ଞାନୀ, ଜନ ଆନ୍ଦୋଳନ ନେତା, ସାମାଜିକ କର୍ମୀ ପ୍ରମୁଖ ଅଂଶଗ୍ରହଣ କରି ନିଜ ମତ ଉପସ୍ଥାପନ କରିବେ। ଅନ୍ୟପକ୍ଷରେ ଆସନ୍ତା ୨୬ ନଭେମ୍ବର ସନ୍ଧ୍ୟାରେ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। ଏଥିରେ ରବି ରାୟ ଜନ୍ମ ଶତବାର୍ଷିକୀ ସ୍ମାରକୀ ବକ୍ତୃତା ପ୍ରଦାନ କରିବେ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଶିକ୍ଷାବିତ୍ ତଥା ବିଶିଷ୍ଟ ମାନବାଧିକାର କର୍ମୀ ପ୍ରଫେସର ଜି. ହରଗୋପାଲ।
ଏଠାରେ ସୂଚନାଯୋଗ୍ୟ ଯେ, ଆସନ୍ତା ୬ ମାର୍ଚ୍ଚ ୨୦୨୬ ରିଖ ରବି ରାୟଙ୍କ ଶ୍ରାଦ୍ଧ ଦିବସରେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ଦ୍ଵାରା ସ୍ମୃତିଚାରଣ ସଭାର ଆୟୋଜନ କରାଯିବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷବ୍ୟାପୀ ରାଜନୀତିରେ ନୈତିକତା, ସମାଜବାଦ, ଗଣତନ୍ତ୍ରର ସୁରକ୍ଷା, ଯୁବ-ଛାତ୍ର ସମସ୍ୟା ପରି ବିଭିନ୍ନ ବିଷୟରେ ଆଲୋଚନା ଚକ୍ର ଆୟୋଜନ କରିବାକୁ ରାଜ୍ୟ ସମିତି ସ୍ଥିର କରିଛି। ଦିଲ୍ଲୀରେ ଆସନ୍ତା ୨୬ ନଭେମ୍ବର ୨୦୨୬ରେ ଦିବଙ୍ଗତ ରବି ରାୟଙ୍କ ଜନ୍ମ ଶତବାର୍ଷିକୀର ସମାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସ୍ଥିରୀକୃତ ହୋଇଛି।
ଆଜି ଆମର ଆହ୍ବାନ ସଚେତନ ଦେଶପ୍ରେମୀ ନାଗରିକ ଵିଶେଷ ଭାବେ ଯୁବ-ଛାତ୍ର, ମହିଳାମାନେ ଏହି ଦୁଇ ଦିବସୀୟ ରାଷ୍ଟ୍ରୀୟ ଆଲୋଚନା ଚକ୍ର ଓ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଦିବଙ୍ଗତ ରବି ରାୟଙ୍କ ଅବଦାନକୁ ମନେ ପକେଇବା ସହ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଶପଥ ନିଅନ୍ତୁ ବୋଲି ଭୁବନେଶ୍ବର ଲୋହିଆ ଏକାଡ଼େମୀ ଠାରେ ରବି ରାୟ ଜନ୍ମ ଶତବାର୍ଷିକୀ ରାଜ୍ୟ ସମିତି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମିତିର ସମ୍ପାଦକ ଡଃ ବିଶ୍ଵଜିତ୍, ଆବାହକ ପ୍ରଫୁଲ୍ଲ ସାମନ୍ତରା, ସମଦୃଷ୍ଟିର ସମ୍ପାଦକ ସୁଧୀର ପଟ୍ଟନାୟକ, ପ୍ରଫେସର ଅମୀୟ ମହାନ୍ତି, କଲ୍ୟାଣ ଆନନ୍ଦ ଓ ଲୋହିଆ ଏକାଡ଼େମୀର ସମ୍ପାଦକ ଦେବପ୍ରସାଦ ରାୟ ପ୍ରମୁଖ ଉପସ୍ଥିତ ରହି ବର୍ଷବ୍ୟାପୀ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି।
