ଭୁବନେଶ୍ୱର, ୧୫/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟ ଶ୍ରମ ସଂସ୍ଥାନରେ ଗତକାଲି ଉଦ୍ଘାଟିତ ହୋଇଥିବା ଦକ୍ଷତାସମ୍ପନ୍ନ ବାଷ୍ପୀୟ ପରିଚାରକ ମାନଙ୍କ ଦୁଇଦିନିଆ ତାଲିମ କର୍ମଶାଳାର ଆଜି ଥିଲା ଅନ୍ତିମ ଦିବସ । ରାଜ୍ୟରେ ଅବସ୍ଥାପିତ ବିଭିନ୍ନ ବାଷ୍ପୀୟ ପ୍ଲାଣ୍ଟ ଗୁଡିକର ଦୁର୍ଘଟଣା ଶୂନ୍ୟ ଏବଂ ସୁରକ୍ଷିତ ପ୍ରଚାଳନ ଦାୟିତ୍ୱରେ ଥିବା ପଚାଶ ଜଣ ଦକ୍ଷତା ସମ୍ପନ୍ନ ପରିଚାରକ ଏଥିରେ ଅଂଶଗ୍ରହଣ କରିଥିଲେ । କାରଖାନା ଏବଂ ବାଷ୍ପୀୟ ନିର୍ଦ୍ଦେଶାଳୟର ଅଭିଜ୍ଞ ଅଧିକାରୀଏବଂ ବାଷ୍ପୀୟ ପ୍ରଚାଳନରେ ନିପୁଣ ଏବଂ ଅଭିଜ୍ଞ ବାଷ୍ପୀୟ ଯନ୍ତ୍ରୀମାନଙ୍କ ଦ୍ୱାରା ସେମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ।
ଶ୍ରମ ବିଭାଗ କମିଶନର ତଥା ଶାସନ ସଚିବ ଏବଂ ସଂସ୍ଥାନ ଉପାଧ୍ୟକ୍ଷ ଶ୍ରୀଆର. ଏସ୍. ଗୋପାଳନ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଳ୍ପାୟନ ଭୟମୁକ୍ତ, ନିରାପଦ ଏବଂ ଦୁର୍ଘଟଣା ଶୂନ୍ୟ କାର୍ଯ୍ୟସ୍ଥଳୀ ପ୍ରସ୍ତୁତି ବାଷ୍ପୀୟ ପ୍ରଚାଳନର ପାରଦର୍ଶିତା ଉପରେ ଅନେକାଂଶରେ ନିର୍ଭର କରୁଥିବାରୁ ପରିଚାରକମାନେ ଦକ୍ଷ ଏବଂ ଉପଯୁକ୍ତ ତାଲିମପ୍ରାପ୍ତ ହେବା ଅପରିହାର୍ଯ୍ୟ ବୋଲି ପ୍ରକାଶ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଂସ୍ଥାନ ନିର୍ଦ୍ଦେଶକ ତଥା ଶ୍ରମ ବିଭାଗ ଅତିରିକ୍ତ ଶାସନସଚିବ ଶ୍ରୀ ନୀତି ରଂଜନ ସେନ୍ ଶିଳ୍ପାୟନରେ ଦୁର୍ଘଟଣା ହ୍ରାସ ନିମନ୍ତେ ବିଭିନ୍ନ ଉପାଦେୟ ତାଲିମ କାର୍ଯ୍ୟକ୍ରମ ସମ୍ପାଦନ କରିବା ନିମନ୍ତେ ବିଭାଗ ଯୋଜନା କରୁଛି ବୋଲି ଉଲ୍ଲେଖ କରିଥିଲେ ।
ଅନ୍ୟତମ ଅତିଥି କାରଖାନା ଏବଂ ବାଷ୍ପୀତ୍ର ଉପନିର୍ଦ୍ଦେଶକ ସୁରକ୍ଷା ଡଃ ମଳୟ କୁମାର ପ୍ରଧାନ ସଚେତନ ଏବଂ ପାରଦର୍ଶୀ ହେବା ଦ୍ୱାରା ଦୁର୍ଘଟଣା ଶୂନ୍ୟ ଶିଳ୍ପାୟନ ସମ୍ଭବ ବୋଲି ପ୍ରକାଶ କରିଥିଲେ ।
ପୂର୍ବରୁ ରାଜ୍ୟର ବିଭିନ୍ନ ବାଷ୍ପୀୟ ପ୍ଲାଣ୍ଟ ମାନଙ୍କରେ ନିୟୋଜିତ ୧୫୦ ଜଣ ଦକ୍ଷତା ସମ୍ପନ୍ନ ପରିଚାରକ ତାଲିମପ୍ରାପ୍ତ ହୋଇସାରିଥିବାବେଳେ ଚଳିତ ଦୁଇଦିନିଆ କର୍ମଶାଳାର ଆଜି ଅନ୍ତିମ ଦିବସରେ ଅତିରିକ୍ତ ୫୦ ଜଣ ଦକ୍ଷତା ସମ୍ପନ୍ନ ବାଷ୍ପୀୟ ପରିଚାରକ ଯୋଗଦେଇଥିଲେ ।