ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ  ବିଶ୍ୱ ଖାଉଟି ଅଧିକାର ଦିବସ ପାଳିତ

ଭୁବନେଶ୍ୱର, ୧୫/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ବିଶ୍ୱ ଖାଉଟି ଅଧିକାର ଦିବସର ରାଜ୍ୟସ୍ତରୀୟ ଉତ୍ସବ ସ୍ଥାନୀୟ ଜୟଦେବ ଭବନଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ରାଜ୍ୟ ଖାଉଟି ବିବାଦ ପ୍ରତିକାର ଆୟୋଗ, କଟକର ପୂର୍ବତନ ସଭାପତି ଶ୍ରୀ ଜଷ୍ଟିସ ଡି. ପି. ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱ ଖାଉଟି ଅଧିକାର ଦିବସ ପାଳନର ଆଭିମୁଖ୍ୟ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବିଭିନ୍ନ କଲ୍ୟାଣମୂଳକ ଯୋଜନା ସଂପର୍କରେ ସୂଚନା ଦେଇଥିଲେ ।

          ଉପଭୋକ୍ତା ପରାମର୍ଶଦାତା ଶ୍ରୀ ବେଜୋନ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଏହି ଦିବସର ଅନୁଚିନ୍ତା ‘ଉପଭୋକ୍ତାମାନଙ୍କ ପାଇଁ ସ୍ୱଚ୍ଛ ଓ ଦାୟିତ୍ୱସଂପନ୍ନ କୃତି୍ରମ ବୁଦ୍ଧିମତ୍ତାର ଉପଯୋଗ’ ବାବଦରେ ସବିଶେଷ ଆଲୋକପାତ କରିବା ସହିତ ରାଜ୍ୟ ଓ ଜିଲ୍ଲା ଉପଭୋକ୍ତା ଆୟୋଗମାନଙ୍କର ଉନ୍ନତି ନିମନ୍ତେ ସରକାର ବିହିତ ପଦକ୍ଷେପ ଗ୍ରହଣ କରି ଉପଭୋକ୍ତାମାନଙ୍କୁ କିପରି ସଶକ୍ତ କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ । ଉପଭୋକ୍ତାମାନଙ୍କର ସୁରକ୍ଷା ପାଇଁ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଯୋଜନା ଓ ପରିକଳ୍ପନା ସମ୍ବନ୍ଧରେ ମୁଖ୍ୟ ଅତିଥି ବହୁମୂଲ୍ୟ ଉପାଦେୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ରାଜ୍ୟରେ କାର୍ଯ୍ୟ କରୁଥିବା ୩୧ ଗୋଟି ଜିଲ୍ଲା ଉପଭୋକ୍ତା ବିବାଦ ପ୍ରତିକାର ମଞ୍ଚ, ରାଜ୍ୟ ଉପଭୋକ୍ତା ପରାମର୍ଶ କେନ୍ଦ୍ର ଓ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ ଜରିଆରେ ଯେଉଁସବୁ ସୁବିଧାସୁଯୋଗ ପ୍ରଦାନ କରାଯାଉଛି, ଉପଭୋକ୍ତାମାନେ ସେସବୁ ସୁବିଧାର ସୁଯୋଗ ନେବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ । ରାଜ୍ୟ ଉପଭୋକ୍ତା ପରାମର୍ଶ କେନ୍ଦ୍ର ଓ ଜିଲ୍ଲା ଉପଭୋକ୍ତା ପରାମର୍ଶ କେନ୍ଦ୍ର (ଖାଉଟି ବିବାଦ ପ୍ରତିକାର ମଞ୍ଚ ପରିସରରେ) ସହ ଯୋଗାଯୋଗ କରି ଏଭଳି ସୁବିଧା ନେବାକୁ ସେ ଅନୁରୋଧ କରିଥିଲେ ।

          ଖାଉଟି ବ୍ୟାପାର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ସନ୍ତୋଷ କୁମାର ନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ବିଭାଗର ଅର୍ଥ ପରାମର୍ଶଦାତା ତଥା ଅତିରିକ୍ତ ସଚିବ ଡ. ଗୁଣନିଧି ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *