ଶାନ୍ତିଶୃଙ୍ଖଳା ପୂର୍ଣ୍ଣ ନିର୍ବାଚନ ପାଇଁ ଜିଲ୍ଲା ରେ ପୋଲିସ-ମାଜିଷ୍ଟ୍ରେଟ ସମନ୍ଵୟ ବୈଠକ ଅନୁଷ୍ଠିତ

ଜଗତଜଗତସିଂହପୁର ୧୪/୦୩/୨୦୨୪ (ଓଡ଼ିଶା ସମାଚାର)- ସାଧାରଣ ନିର୍ବାଚନ  ୨୦୨୪ କୁ ଶାନ୍ତିପୂର୍ଣ୍ଣ ଏବଂ ହିଂସା ମୁକ୍ତ ଭାବେ ସମ୍ପାଦନ କରିବା ପାଇଁ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହରେ ପୋଲିସ-ମାଜିଷ୍ଟ୍ରେଟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ନିର୍ବାଚନ କୁ ଅବାଧ, ସ୍ଵଚ୍ଛ ଓ ପ୍ରଲୋଭନ ମୁକ୍ତ କରିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି କହିଥିଲେ। ଆଗାମୀ ନିର୍ବାଚନ କୁ ଶାନ୍ତି ଶୃଙ୍ଖଳାର ସହ ଓ ‘ଜିରୋ ରି ପୋଲ’ ର ଲକ୍ଷ୍ୟ  ନେଇ ସମାପନ କରିବା କ୍ଷେତ୍ରରେ ପୋଲିସ ଓ ମାଜିଷ୍ଟ୍ରେଟ ମାନଙ୍କର ସମନ୍ଵୟ ଏକାନ୍ତ ଆବଶ୍ୟକ ବୋଲି ସେ କହିଥିଲେ। ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି ଆର୍ କହିଲେ ଯେ, ନିର୍ବାଚନ ହେଉଛି ଚ୍ୟାଲେଞ୍ଜ ସହ ଉତ୍ସବ ର ମୁହୂର୍ତ୍ତ।ଏହା ଗଣତନ୍ତ୍ରର ମହାପର୍ବ। ତେଣୁ ଏହା ର ସୁପରିଚାଳନା ନିମନ୍ତେ ପ୍ରତ୍ୟେକ ଆଇନ ରକ୍ଷାକାରୀ ମାନଙ୍କ ମଧ୍ୟରେ ଆପୋଷ ବୁଝାମଣା ଓ ଆଲୋଚନା ଆବଶ୍ୟକ। ସେଥିପାଇଁ ପୋଲିସ ଓ ମାଜିଷ୍ଟ୍ରେଟ ମାନେ ନିଜ ନିଜ ଭିତରେ ସମନ୍ଵୟ ରକ୍ଷା କରି ପଦକ୍ଷେପ ନେବା ନିମନ୍ତେ ସେ ପରାମର୍ଶ ଦେଇଥିଲେ। ତିର୍ତ୍ତୋଲ  ଆର୍ ଓ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା କହିଥିଲେ ‘ନିର୍ବାଚନ ର ପର୍ବ, ଦେଶ ର ଗର୍ବ ‘, ତେଣୁ ସମସ୍ତ ସେକ୍ଟର ଅଫିସର ଓ ପୋଲିସ ସେକ୍ଟରଅଫିସର ମାନେ ସହଯୋଗ ର ସହ କାମକରିବାକୁ ହେବ। ପାରାଦ୍ୱୀପ ଆର୍ ଓ ତଥା ଅତିରିକ୍ତ ଜିଲ୍ଲାପାଳ (ପାରାଦ୍ୱୀପ) ମିଳିତ ଭାବେ କାର୍ଯ୍ୟ କଲେ ସମସ୍ତ ସମସ୍ୟା ର ସମାଧାନ କରି ଜିଲ୍ଲା ରେ ଏକ ସୁସ୍ଥ ନିର୍ବାଚନ ସମ୍ଭବ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ। ବାଲିକୁଦା- ଏରସମା ଆର୍ ଓ ତଥା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ସମ୍ବିତ୍ କୁମାର ରାଉତ, ବି ଡି ଓ, ତହସିଲଦାର ଏବଂ ଥାନା ଅଧିକାରୀ ମାନଙ୍କୁ ଆଲୋଚନା ମାଧ୍ୟମରେ ସେମାନଙ୍କ ନିର୍ବାଚନ ମଣ୍ଡଳୀ ର ସୁବିଧା ଅସୁବିଧା କୁ ସମାଧାନ କରିବା ପାଇଁ ପରାମର୍ଶ ଦେଇଥିଲେ। ପରେ ଜଗତସିଂହପୁର ଆର୍ ଓ  ତଥା ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ମଧ୍ୟ ନିର୍ବାଚନ କମିଶନ ଙ୍କ ମାର୍ଗଦର୍ଶିକା କୁ ଅନୁସରଣ କରି ସମନ୍ଵୟ ର ସହ କାର୍ଯ୍ୟ କରିବା ପାଇଁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ନିଜ ନିର୍ବାଚନ ମଣ୍ଡଳୀ ର ସମ୍ବେଦନଶୀଳ ବୁଥ୍ ଗୁଡିକୁ ଚିହ୍ନଟ କରି ସେଠାରେ ବ୍ୟାପକ ଶାନ୍ତି ବ୍ୟବସ୍ଥା ସହ ଫୋର୍ସ ମଲ୍ଟିପ୍ଲାୟର ବ୍ୟବସ୍ଥା କରାଇବା ପାଇଁ ଜିଲ୍ଲାପାଳ ବିଡିଓ ଓ ତହସିଲଦାର ମାନଙ୍କୁ କହିଥିଲେ।  ବୁଥ ଗୁଡିକ ରେ ବ୍ୟାରିକେଡ ବ୍ୟବସ୍ଥା କରିବା ପାଇଁ ଆରକ୍ଷୀ ଅଧିକ୍ଷକ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ଜିଲ୍ଲାପାଳ ନିର୍ବାଚନ ସମୟରେ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ସମସ୍ତ ଙ୍କୁ ନିଜ ଶରୀର ର ଯତ୍ନ ନେବା, ଖାଦ୍ୟ ପାନୀୟ ଠିକ୍ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା କ୍ଷେତ୍ରବାସୀ ଦାଶ ଶାରୀରିକ ସମସ୍ୟା ଦେଖାଦେଲେ ତୁରନ୍ତ ନିକଟସ୍ଥ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଯାଇ ଡାକ୍ତର ଙ୍କ ପରାମର୍ଶ ନେବା ପାଇଁ କହିଥିଲେ। ନିର୍ବାଚନ ପାଇଁ ପ୍ରତ୍ୟେକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ବ୍ୟାପକ ଔଷଧ, ଆମ୍ବୁଲାନ୍ସ ଓ ଜରୁରୀ ସେବା ସହ ଡାକ୍ତର ମାନେ ଉପସ୍ଥିତ ରହିବେ ବୋଲି ଡ ଦାଶ ସୂଚନା ଦେଇଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ରେ ଜିଲ୍ଲା ର ସମସ୍ତ ବି ଡି ଓ, ତହସିଲଦାର, ଥାନା ଅଧିକାରୀ ତଥା ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *