ଭୁବନେଶ୍ୱର,୦୮/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କେବଳ ନିଜେ ରୋଜଗାରକ୍ଷମ ହେଲେ ବା ଆତ୍ମନିର୍ଭରଶୀଳ ହେଲେ, ବେରୋଜଗାର ସମସ୍ୟା ଦୂର ହେବ ନାହିଁ । ବରଂ ନିଜ ଭଳି ଅନ୍ୟମାନଙ୍କୁ ରୋଜଗାରକ୍ଷମ ହେବା ଦିଗରେ ସଚେତନ କରାଇବା ଏବଂ ଏଥିରେ ସଫଳତା ହାସଲ କରିପାରିଲେ, ସରକାରଙ୍କ ଦକ୍ଷତା ବିକାଶ ତାଲିମ କାର୍ୟ୍ୟକ୍ରମ ସଫଳ ହୋଇପାରିବ । ଯାହା କି ସମାଜର ସାମୂହିକ ବିକାଶ ଦିଗରେ ଏକ ଉଦାହରଣ ସୃଷ୍ଟି କରିପାରିବ। ଅନ୍ତର୍ଜାତୀୟ ମହିଳା ଦିବସ ଅବ୍ୟବହିତ ପୂର୍ବରୁ, ଗୁରୁବାର, ଭୁବନେଶ୍ୱର- ୟୁନିଟ-୮ ସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ (ଏସ.ଆଇ.ଆର.ଡି) କ୍ୟାମ୍ପସ ପରିସରରେ ଥିବା ବଳରାମ ଦାସ ସମ୍ମିଳନୀ କକ୍ଷରେ ଓରମାସ ତରଫରୁ ଦକ୍ଷତା ବିକାଶ ତାଲିମ ଶେଷ କରି ନିଯୁକ୍ତି ସୁଯୋଗ ପାଇଥିବା ପ୍ରଶିକ୍ଷାର୍ଥୀଙ୍କୁ ନେଇ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଏହି ପରାମର୍ଶ ଦିଆଯାଇଥିଲା । ଓରମାସ-ଓଏମସି (ଓଡ଼ିଶା ଖଣି ନିଗମ)ର ମିଳିତ ଆନୁକୂଲ୍ୟରେ ରାଜ୍ୟର ଖଣି ଅଞ୍ଚଳରେ ବସବାସ କରୁଥିବା ଗରିବ ପରିବାରର ଅଳ୍ପ ଶିକ୍ଷିତ ବେରୋଜଗାର ଯୁବବର୍ଗଙ୍କୁ ପାଇଁ କାର୍ୟ୍ୟକାରୀ କରାଯାଇଛି ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ ତାଲିମ ଯୋଜନା। ଏହି ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ, ଓରମାସର ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ଯୋଗଦେଇ, ନିଷ୍ଠା ଏବଂ ଦୃଢ଼ ଆତ୍ମବିଶ୍ୱାସର ସହିତ କର୍ମକ୍ଷେତ୍ରରେ ନିଜର ଦାୟିତ୍ୱ ସମ୍ପାଦନ କରିବାକୁ ପ୍ରଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିସହ ନିଜର ବ୍ୟକ୍ତିଗତ ଦାୟିତ୍ୱ ସହ ପରିବାର ଆର୍ଥିକ ବିକାଶ ଦିଗରେ ମଧ୍ୟ ସଚେତନ ହେବା ପାଇଁ କହିଥିଲେ । ସେହିପରି, ଓଡ଼ିଶା ଖଣି ନିଗମର ମାନବ ସମ୍ୱଳ ବିଭାଗର ନିର୍ଦ୍ଦେଶକ ଆଲୋକ କୁମାର ପାଲ, ପ୍ରଶିକ୍ଷାର୍ଥୀମାନଙ୍କୁ, ସ୍ୱାବଲମ୍ୱୀ ହେବା ସହ ଆଗାମୀ ଦିନରେ, ନିଜ ଅଞ୍ଚଳର ଅନ୍ୟ ବେରୋଜଗାର ଯୁବବର୍ଗଙ୍କୁ ଏହି ଯୋଜନାର ସୁଯୋଗ ହାସଲ କରିବା ପାଇଁ ସଚେତନ କରିବା ଦିଗରେ ପରାମର୍ଶ ଦେଇଥିଲେ । ଓରମାସ-ଓଏମସି ଦ୍ୱାରା ପରିଚାଳିତ ଏହି ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ
ତାଲିମ କାର୍ୟ୍ୟକ୍ରମରେ ପ୍ରଥମ ପର୍ୟ୍ୟାୟରେ ୩୯୦ ଜଣ ଯୁବକ ଯୁବତୀ ଯାଜପୁର, ରାୟଗଡ଼ା, ସୁନ୍ଦରଗଡ଼ ଏବଂ ଭୁବନେଶ୍ୱରର ୭ଟି ତାଲିମ କେନ୍ଦ୍ରରେ ତାଲିମ ନେଉଛନ୍ତି। ସେମାନଙ୍କୁ ମଧ୍ୟରୁ ପ୍ରଥମ ପର୍ୟ୍ୟାୟରେ ତାଲିମ ଶେଷ କରିଥିବା ଯାଜପୁର ଏବଂ କେନ୍ଦୁଝର ଜିଲ୍ଲା ଖଣି ଅଞ୍ଚଳ ପ୍ରାୟ ୯୦ ଜଣ ଛାତ୍ରୀ ଏହି କାର୍ୟକ୍ରମରେ ଯୋଗଦେଇଥିଲେ। ସିଲାଇ ମେସିନ ଅପରେଟର ଏବଂ ରିଟେଲ ସେଲସ ଟ୍ରେଡରେ ତାଲିମ ନେଇଥିବା ଏହି ପ୍ରଶିକ୍ଷାର୍ଥୀମାନେ, ୩ ମାସର ତାଲିମ ଶେଷ ପରେ ଏବେ ବେଙ୍ଗାଳୁରୁ, ଭୁବନେଶ୍ୱର, ସମ୍ବଲପୁର, କଟକ ଆଦି ସ୍ଥାନରେ ବିଭିନ୍ନ ଘରୋଇ ସଂସ୍ଥାରେ ନିଯୁକ୍ତି ସୁଯୋଗ ପାଇଛନ୍ତି । କାର୍ୟ୍ୟକ୍ରମରେ ଅତିଥିମାନେ, ପ୍ରଶିକ୍ଷାର୍ଥୀଙ୍କ ସହିତ ବାର୍ତ୍ତାଳାପ କରିବା ସହ, ସେମାନଙ୍କ ବ୍ୟକ୍ତିଗତ ଅନୁଭୂତି କଥା ଶୁଣିଥିଲେ। ଏହି ଅବସରରେ ସମସ୍ତ ଅଂଶଗ୍ରହଣକାରୀ ପ୍ରଶିକ୍ଷାର୍ଥୀଙ୍କୁ ଓରମାସ ତରଫରୁ ହାଇଜିନ କିଟ୍ ବ୍ୟାଗ୍ ପ୍ରଦାନ କରାଯାଇଥିଲା। କାର୍ୟ୍ୟକ୍ରମରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନର ନିର୍ଦ୍ଦେଶକ, ଓରମାସ ଅଧିକାରୀ ଏବଂ ଦକ୍ଷତା ବିକାଶ ତାଲିମ କାର୍ୟ୍ୟକ୍ରମର ପି.ଆଇ.ଏ ସଂସ୍ଥା, ସାହି ଏକ୍ସପୋର୍ଟସ, ସେଫ୍ ଏଜୁକେଟ ଏବଂ ନିଅମ ଏଜୁକେସନାଲ ଫାଉଣ୍ଡେସନର ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ ।