ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ – ୨୮ ରାତିରେ ବାତ୍ୟା ବିପତି ! ଆଇଏମଡି ଏପର୍ଯ୍ୟନ୍ତ ଆକଳନ କରିନାହିଁ

ଭୁବନେଶ୍ୱର,୨୧/୧୦/୨୦୨୬(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ବେଙ୍ଗାପସାଗରରେ ପୁଣି ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହି ପ୍ରଣାଳୀ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିପାରେ ବୋଲି କିଛି ବିଦେଶୀ ପାଣିପାଗ ପୂର୍ବାନୁମାନକାରୀ ସଂସ୍ଥା ଆକଳନ କରିଛନ୍ତି । ତେବେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଏପର୍ଯ୍ୟନ୍ତ ବାତ୍ୟା ସମ୍ପର୍କରେ କୌଣସି ନିଶ୍ଚିତ ଆକଳନ କରାଯାଇନାହିଁ । ଆଣ୍ଡାମାନ ସାଗରରେ ବୁଧବାର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୨୩ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେଇପାରେ ବୋଲି ଆକଳନ କରାଯାଉଛି । ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଥମେ ପଶ୍ଚିମ-ଉତର ପରେ ଉତର ପଶ୍ଚିମ ଦିଗକୁ ଗତି କରିବା ସହ ପରବର୍ତୀ ୩ ଦିନ ମଧ୍ୟରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ଅକ୍ଟୋବର ୨୬ରୁ ୨୯ ତାରିଖ ମଧ ରେ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ । ୨୬ ତାରିଖ ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଓ ଗଜପତି ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ଓ ପବନ ବହିବାର ସମ୍ଭାବନା ଥିବାରୁ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି ହୋଇଛି । ତେବେ ୨୩ ଅକ୍ଟୋବରରେ ଦକ୍ଷିଣ-ପୂର୍ବ ଓ ଏହା ସହିତ ଲାଗିଥିବା ପୂର୍ବ-ମଧ୍ୟ ବେଙ୍ଗାପସାଗର ଉପରେ ନିମ୍ନଚାପ କ୍ଷେତ୍ର ଗଠିତ ହୋଇପାରେ । ୨୪ ଅକ୍ଟୋବରରେ ନିମ୍ନଚାପ କ୍ଷେତ୍ରଟି ସ୍ପଷ୍ଟ ହୋଇପାରେ ଏବଂ ୨୫ ଅକ୍ଟୋବରରେ ଅବପାତରେ ପରିଣତ ହୋଇପାରେ । ଏହା ଆହୁରି ଶକ୍ତିଶାଳୀ ହୋଇ ଗଭୀର ଅବପାତରେ ପରିଣତ ହୋଇପାରେ । ୨୬ ରୁ ୨୮ ଅକ୍ଟୋବର ମଧ୍ୟରେ ଏହା ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । କିନ୍ତୁ ଏହାର ଶକ୍ତି ଆକଳନ ଏପର୍ଯ୍ୟନ୍ତ କରାଯାଇ ନଥିବା ପାଣିପାଗ ବିଶେଷଜ୍ଞମାନେ ମତ ରଖିଛନ୍ତି ।

Leave a Reply

Your email address will not be published. Required fields are marked *