ବଡ଼ବିଲ,୦୮/୦୩/୨୦୨୪ (ଓଡ଼ିଶା ସମାଚାର)-ବଡ଼ବିଲରେ ଜଣେ ଅବସର ପ୍ରାପ୍ତ ମହିଳା କର୍ମଚାରୀଙ୍କ ବ୍ୟାଙ୍କ ଏକାଉଣ୍ଟରୁ ସାଢେ଼ ୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଦମ୍ପତ୍ତିଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦମ୍ପତ୍ତି ହେଲେ ବଡ଼ବିଲ କଳିଙ୍ଗ ନଗର ନ୍ୟୁ କଲୋନୀ ଅଞ୍ଚଳର ଭାଗ୍ୟଲକ୍ଷ୍ମୀ ଜେନା ଓ ଅବିନାଶ କର୍ମକାର । ବଡ଼ବିଲ ପୋଲିସ୍ ଏମାନଙ୍କ ଠାରୁ ସାଢେ଼ ୪ ଲକ୍ଷ ଟଙ୍କା ଉଦ୍ଧାର କରିବା ସହ ଓ ଦୁଇଟି ମୋବାଇଲ ଫୋନ୍ ଜବତ୍ କରିଛି । ସୂଚନା ଅନୁଯାୟୀ, ବଡ଼ବିଲ ଇଏସଆଇ ହସ୍ପିଟାଲର ମହିଳା କର୍ମଚାରୀ ପୂର୍ଣ୍ଣମାସୀ ଦଳାଇ ଚାକିରୀରୁ ଅବସର ନେବାପରେ କଳିଙ୍ଗ ନଗର ସ୍ଥିତ ଏକ ଘରେ ଭଡ଼ା ସୂତ୍ରରେ ରହି ଆସୁଥିଲେ । ଘର ମାଲିକଙ୍କ ଝିଅ ଭାଗ୍ୟଲକ୍ଷ୍ମୀ ଜେନା ଓ ଜ୍ବାଇଁ ଅବିନାଶ କର୍ମକାର ମଧ୍ୟ ସେହି ଘରେ ରହୁଥିଲେ । ତେବେ ଭାଗ୍ୟଲକ୍ଷ୍ମୀ ଓ ଅବିନାଶ କୌଶଳ କ୍ରମେ ପୂର୍ଣ୍ଣମାସୀ ଙ୍କ ମୋବାଇଲ ନେଇ ୟୁ ପି ଆଇ ପାସୱାର୍ଡ଼ ହାତେଇ ନେଇଥିଲେ । ଗତ ଜାନୁଆରୀ ମାସ ଠାରୁ ମାର୍ଚ୍ଚ ୨ ତାରିଖ ମଧ୍ୟରେ ପର୍ଯ୍ୟାୟ କ୍ରମେ ସାଢେ଼ ଚାରି ଲକ୍ଷ ଟଙ୍କା ଆସାମରେ ଥିବା ଜଣେ ବନ୍ଧୁଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିଥିଲେ ଓ ପରବର୍ତ୍ତୀ ସମୟରେ ନିଜ ବନ୍ଧୁଙ୍କ ଆକାଉଣ୍ଟରୁ ୟେସ୍ ବ୍ୟାଙ୍କ୍ ରେ ଥିବା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର୍ କରି ନେଇଆସିଥିଲେ । ଅଜାଣତରେ ନିଜ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍ ହୋଇଥିବା ଜାଣିବାପରେ ପୂର୍ଣ୍ଣମାସୀ ବଡ଼ବିଲ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ୍ ଘଟଣାର ଛାନଭିନ କରି ଦମ୍ପତିଙ୍କୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଜାରୀରଖିଥିବା ପୋଲିସ୍ କହିଛି । ବଡ଼ବିଲ ପୋଲିସ ସଡିପିଓ ଶ୍ରୀ ପିୟସ ରଞ୍ଜନ ଛୋଟରାୟା ଓ ଥାନା ଅଧିକାରୀ ଶ୍ରୀ ରମାକାନ୍ତ ମୁଦୁଲି ଏକ ସାମ୍ବାଦିକ ସମିଳନୀ କରି ଏହି ସୂଚନା ଦେଇଛନ୍ତି