ଲୋହିଆ ଏକାଡେମୀ ପକ୍ଷରୁ ରବି ରାୟଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ 

ଭୁବନେଶ୍ୱର, ୦୬/୦୩/୨୦୨୪ (ଓଡ଼ିଶା ସମାଚାର)-  ଭାରତୀୟ ଗଣତନ୍ତ୍ର ତଥା ସମାଜବାଦୀ ବିଚାରର ତୁଙ୍ଗ ସାରଥୀ ଥିଲେ ରବି ରାୟ। ଏକମାତ୍ର ଓଡ଼ିଆ ଭାବେ ସଂସଦୀୟ ଗଣତନ୍ତ୍ରରେ ଲୋକସଭାରେ ସର୍ବଶ୍ରେଷ୍ଠ ପଦବୀ ବାଚସ୍ପତି ପଦବୀରେ ଥାଇ ମଧ୍ୟ କ୍ଷମତାର ଅହଙ୍କାର ତାଙ୍କୁ ସାମାନ୍ୟତମ ସ୍ପର୍ଶ କରିନଥିଲା। ଛାତ୍ର ଜୀବନରୁ ଶେଷ ପର୍ଯ୍ୟନ୍ତ ସେ ସବୁବେଳେ ସାମ୍ପ୍ରଦାୟିକ ଶକ୍ତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ। ଆଜି ଯେତେବେଳେ ସମସ୍ତ ବ୍ୟକ୍ତିବିଶେଷ ରାଜନୈତିକ କ୍ଷମତା ପଛରେ ଦୌଡୁଛନ୍ତି, ଠିକ୍ ସେତିକିବେଳେ ଅର୍ଥାତ୍ ୧୯୯୫ ମସିହାର ନିର୍ବାଚନରୁ ଓହରିଯିବା ସହ ଘୋଷଣା କଲେ ଯେ, ଆଗାମୀ ଦିନରେ ନିର୍ବାଚନ ନଲଢ଼ି ମନମୋହନ ଚୌଧୁରୀ, କିଷାନ ପଟ୍ଟନାୟକ, ନାଗଭୁଷଣ ପଟ୍ଟନାୟକ ସହ ମିଶି ଵିକଳ୍ପ ରାଜନୈତିକ ମଞ୍ଚ ପ୍ରସ୍ତୁତ କରି ଜଗତୀକରଣ, ଉଦାରୀକରଣ ଅର୍ଥନୀତି ତଥା ସାମ୍ପ୍ରଦାୟିକ ଶକ୍ତି ଲଢ଼ିବା ପାଇଁ ସଂକଳ୍ପ ନେଲେ ଓ ପରବର୍ତ୍ତୀ ସମୟରେ ଲୋକଶକ୍ତି ଅଭିଯାନ ଭଳି ସଙ୍ଗଠନ ତିଆରି କରି ପୁଞ୍ଜିବାଦ ବିରୁଦ୍ଧରେ ମଞ୍ଚ ପ୍ରସ୍ତୁତ କରିଥିଲେ ବୋଲି ଲୋହିଆ ଏକାଡେମୀ ପକ୍ଷରୁ ଲୋକସଭାର ପୂର୍ବତନ ବାଚସ୍ପତି, ବିଶିଷ୍ଟ ସମାଜବାଦୀ ନେତା ରବି ରାୟଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ ଆଲୋଚନା ଚକ୍ରରେ ଉପସ୍ଥିତ ବିଶେଷମାନେ ବକ୍ତବ୍ୟ ରଖିଥିଲେ।

ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ପ୍ରଫେସର ବିରେନ୍ଦ୍ର ନାୟକ, ସ୍ୱାଧୀନ ପଟ୍ଟନାୟକ, ବାଘାମ୍ବର ପଟ୍ଟନାୟକ, ମାନସ ଜେନା, ସଂଗ୍ରାମ ମଲ୍ଲିକ, ଅଭିରାମ ମଲ୍ଲିକ, ବ୍ଲୋରିନ ମହାନ୍ତି, ମହେନ୍ଦ୍ର ପରିଡା, ବିଶ୍ଵପ୍ରିୟ କାନୁନଗୋ, ସୁଧିର ପଟ୍ଟନାୟକ, ସୁମିତ୍ରା ପଟେଲ, ଅଭିରାମ ବିଶ୍ୱାଳ, ସୁକାନ୍ତ ମହାପାତ୍ର, ଦିଲ୍ଲୀପ ବେହେରା, ଅମର ପାଲ, ଶୁଭ ପ୍ରସାଦ ପରିଡା, ସୁସ୍ମିତା ମିଶ୍ର ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତଃ ରବି ରାୟଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରବି ରାୟଙ୍କ ବାହୁଚର୍ଚ୍ଚିତ ଲିଖିତ ସମୀକ୍ଷା ‘ଆମେ ବାଟ ହୁଡ଼ିଲୁ କେଉଁଠି ?’ ଅନୁଭଵ ବଳିଆରସିଂ ସଭାରେ ପଠନ କରିଥିଲେ। ବିଶିଷ୍ଟ ଜନବାଦୀ ଚିକିତ୍ସକ ତଥା ଲୋହିଆ ଏକାଡେମୀର ଉପସଭାପତି ଡଃ ସତ୍ୟବ୍ରତ ମହାପାତ୍ରଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଲୋହିଆ ଏକାଡେମୀର ସମ୍ପାଦକ ଦେବପ୍ରସାଦ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜନନାୟକ ରବି ରାୟଙ୍କଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *