କେନ୍ଦ୍ରାପଡ଼ା,୨୨/୧୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର. ଆୟାର ସୋମବାର ସକାଳ ୯ଟାରେ ପଲ୍ଲିଶ୍ରୀ ମହିଳା ସମିତି ଦ୍ୱାରା ପରିଚାଳିତ କୋରୁଆସ୍ଥିତ ଶିଶୁ ଯତ୍ନ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି । ଜିଲାପାଳ ସମସ୍ତ ଅନ୍ତେବାସୀ ପିଲାମାନଙ୍କ ସହିତ ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ, ପରିଚାଳନାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ ।
ପିଲା ମାନଙ୍କ ଉଚ୍ଚତର ଶିକ୍ଷାକୁ ଗୁରୁତ୍ୱ ଆରୋପ କରିବା ସହିତ ବୈଷୟିକ ଶିକ୍ଷାକୁ ଆପଣାଇ ନିଜର ପରିଚୟ ସହିତ ରୋଜଗାରକ୍ଷମ ହେବାକୁ ଜିଲାପାଳ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ପିଲା ମାନଙ୍କ ମଧ୍ୟରେ ଥିବା ସ୍ୱତନ୍ତ୍ର ଗୁଣକୁ ଚିÿହ୍ନଟ କରି ସେମାନଙ୍କୁ ସୁଯୋଗ ଦେବାକୁ ନିର୍ଦେଶ ଦେଇଥିଲେ । ଏହି ଅବସରରେ ପିଲାମାନଙ୍କୁ ଖାତା, ପେନସିଲ ବକ୍ସ, କଲମ, ଚକୋଲେଟ ସହିତ ଶୀତ ବସ୍ତ୍ର ଜ୍ୟାକେଟ ପ୍ରଭୃତି ପ୍ରଦାନ କରିଥିଲେ ଜିଲାପାଳ । ଜିଲାପାଳଙ୍କ ଗସ୍ତ ସମୟରେ ଶିଶୁ କଲ୍ୟାଣ ସମିତି ସଦସ୍ୟ ଲଳିତ ମୋହନ ସାହୁ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ସୁପେରିନଟେଣ୍ଡେଂଟ ମଞ୍ଜୁଳା ନାୟକ, ପରାମର୍ଶଦାତା ଶ୍ରୀକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
