ଉତ୍କଳିକା ଦ୍ୱାରା ନିର୍ମିତ ଏକ ଅତିଥି ଗୃହର ଶୁଭ ଉଦ୍‌ଘାଟନ

                                ଓଡ଼ିଶାର ବୁଣାକାର ଓ କାରିଗରମାନେ ଏହି ଅତିଥି ଗୃହର ସୁବିଧା ନେଇପାରିବେ

ଭୁବନେଶ୍ୱର, ୦୬/୦୩/୨୦୨୪ (ଓଡ଼ିଶା ସମାଚାର / ରଜତ ମହାପାତ୍ର)- ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ଆଜି ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ଆର୍ଥିକ ସହାୟତାରେ ଓଡ଼ିଶା ରାଜ୍ୟ ହସ୍ତଶିଳ୍ପ ନିଗମ ଲିଃ (ଉତ୍କଳିକା) ଦ୍ୱାରା ନିର୍ମିତ ଏକ ଅତିଥି ଗୃହର ଶୁଭ ଉଦ୍‌ଘାଟନ କରିଛନ୍ତି । ସମଗ୍ର ଓଡ଼ିଶାର ବୁଣାକାର ଓ କାରିଗରମାନେ ବିପଣନ ତଥା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଭୁବନେଶ୍ୱର ଆସିଥାନ୍ତି । ସ୍ୱଳ୍ପକାଳ ରହଣି ନିମନ୍ତେ କମ୍‌ ଦରରେ ରାତି୍ର ଯାପନ ପାଇଁ ଏକ ନିର୍ଭରଯୋଗ୍ୟ ଅତିଥି ଗୃହର ଆବଶ୍ୟକତାକୁ ଅନୁଭବକରି ଏହି ଅତିଥି ଗୃହର ନିର୍ମାଣ କରାଯାଇଛି । ଓଡ଼ିଶାର ସମସ୍ତ ବୁଣାକାର ଓ କାରିଗରମାନେ ଭୁବନେଶ୍ୱର ଗସ୍ତ ସମୟରେ ଏହି ଅତିଥି ଗୃହର ସୁବିଧା ନେଇପାରିବେ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ଆଶା ପ୍ରକାଶ କରିଥିଲେ ।

          ମଞ୍ଚେଶ୍ୱରସ୍ଥିତ ଏହି ଅତିଥି ଭବନରେ ନିର୍ଦ୍ଧାରିତ ମୂଲ୍ୟରେ ଜଣେ ବୁଣାକାର ବାକାରିଗର ରାତି୍ର ଯାପନ କରିପାରିବେ ଓ ସର୍ବାଧିକ ୭ ଦିନ ରହି ପାରିବାର ବ୍ୟବସ୍ଥା କରାଯାଇଛି । ଏଠାରେ ଶୀତତାପ ନିୟନ୍ତ୍ରିତ କୋଠରି, ଶଯ୍ୟା ଓ ପରିଷ୍କାର ଶୌଚାଳୟ ସହିତ ପାନୀୟଜଳ ଉପଲବ୍ଧ କରାଯାଇଛି । ପୁରୁଷ ଓ ମହିଳା କାରିଗର ମାନଙ୍କନିମନ୍ତେ ପୃଥକ ଗୃହର ବ୍ୟବସ୍ଥା କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି ସମେତ ସସ୍ତେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ଉତ୍କଳିକା ଏହି ଅତିଥି ଗୃହର ପରିଚାଳନା ଦାୟିତ୍ୱ ନେଇଛି ।

          ଏହି ଅତିଥି ଭବନ ଉଦ୍‌ଘାଟନ ସମୟରେ ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ସଭାପତି ଶ୍ରୀ ସୁଦର୍ଶନ ସାହୁ, ହସ୍ତଶିଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଣତୀ ଛୋଟରାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ବିକ୍ରମାଦିତ୍ୟ ବାରିକ, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ କଲ୍ୟାଣୀ ପଟ୍ଟନାୟକ ଏହି ଉଦ୍‌ଘାଟନ ଉତ୍ସବରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *