ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ରାଜିନାମା ସ୍ୱାକ୍ଷର

#       ୪୦୦୦ ଶ୍ରବଣବାଧିତ ଛାତ୍ରଛାତ୍ରୀଙ୍କୁ ଦିଆଯିବ ସାଙ୍କେତିକ ଭାଷା ତାଲିମ୍‌

#       ୧୦୦ ଜଣ ଦକ୍ଷ ସାଙ୍କେତିକ ଭାଷା ଅନୁବାଦକଙ୍କୁ ନେଇ ଗଠନ ହେବ ନୂଆ କ୍ୟାଡ଼ର୍‌

ଭୁବନେଶ୍ୱର, ୬/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶାରେ ସାଙ୍କେତିକ ଭାଷାର ପ୍ରସାରକୁ ଗୁରୁତ୍ୱ ଦେବା ପାଇଁ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ(ଏସଏସଇପିଡ଼ି), ଅଲି ଜବର୍‌ ଜଙ୍ଗ୍‌ ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ସ୍ପିଚ୍‌ ଆଣ୍ଡ ହିୟରିଂ ଡିସଏବିଲିଟିଜ୍‌ (AYJNISHD-D) ସହ ଏକ ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷର କରିଛି । ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତରେ ଏହି ରାଜିନାମା ସ୍ୱାକ୍ଷର କରାଯାଇଛି ।

      ଏହି ରାଜିନାମା ଅନ୍ତର୍ଗତ ପ୍ରାୟ ୧୦୦ ଜଣ ଦକ୍ଷ ସାଙ୍କେତିକ ଭାଷା ଅନୁବାଦକଙ୍କୁ ନେଇ ଏକ କ୍ୟାଡ଼ର୍‌ ସୃଷ୍ଟି କରାଯିବା ସହ ରାଜ୍ୟର ୫୫ ଟି ଶ୍ରବଣବାଧିତ ସ୍ୱତନ୍ତ୍ର ବିଦ୍ୟାଳୟରେ ୪୦୦୦ ଛାତ୍ରଛାତ୍ରୀ, ୮୦୦ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ତାଲିମ ପ୍ରଦାନ କରାଯିବ । ଏ ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ରାଜ୍ୟରେ ସାଙ୍କେତିକ ଭାଷା ଅନୁବାଦକଙ୍କ ଆବଶ୍ୟକତା ରହିଛି । ଏହା ଦ୍ୱାରା ଶ୍ରବଣବାଧିତ ଛାତ୍ରଛାତ୍ରୀମାନେ ଅତ୍ୟାବଶ୍ୟକ ସେବା, ଶିକ୍ଷାଗତ ସୁବିଧା ପାଇପାରୁ ନାହାଁନ୍ତି । ଏହି ବ୍ୟବଧାନକୁ ଦୂର କରିବା ପାଇଁ ଏହି ରାଜିନାମା ସ୍ୱାକ୍ଷର କରାଯାଇଛି । ଏହା ଦ୍ୱାରା ସମାଜରେ ସେମାନଙ୍କ ଅଂଶୀଦାରୀ ବଢ଼ିବା ସହ ସାମଗ୍ରିକ ବିକାଶରେ ସହାୟତା ହେବ ।

    ଅନ୍ୟପକ୍ଷେ, ଏହି କାର୍ଯ୍ୟକ୍ରମରେ ସମ୍ପ୍ରସାରଣ ଦ୍ୱାରା ଶ୍ରବଣବାଧିତମାନେ ସମାଜର ବିଭିନ୍ନ ସ୍ତରରେ ବିନା କୌଣସି ସମସ୍ୟାରେ କାର୍ଯ୍ୟ କରିପାରିବେ । ସେମାନଙ୍କ ପାଇଁ ଚାକିରି ସୁଯୋଗ ସୃଷ୍ଟି ହେବ ଓ ସେମାନଙ୍କ ଅର୍ଥନୈତିକ ବିକାଶ ହୋଇପାରିବ ବୋଲି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ମତ ପ୍ରକାଶ କରିଛନ୍ତି ।

          ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ଏସଏସଇପିଡ଼ି ବିଭାଗର କାର୍ଯ୍ୟାଳୟରେ ଏହି ରାଜିନାମା ସମାରୋହ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀଙ୍କ ସମେତ ବିଭାଗୀୟ ନିର୍ଦ୍ଦେଶକ ନିୟତୀ ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ଶ୍ରୀ ସନ୍ତୋଷ କୁମାର ପ୍ରଧାନ, AYJNISHD-D ର ନିର୍ଦ୍ଦେଶକ ଡ଼ ସୁମନ୍‌ କୁମାର, ଡ଼ ଲାନୁ ୱାନବଏ ଓ ଓଆରଏଫ୍‌ ଶ୍ରୀ ଅକ୍ଷୟ ସାଗର୍‌ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *