ସିଓଆର୍, ଆର୍ ଟି ପ୍ରାପ୍ୟ ଦାବିରେ ଆଗାମୀ ମାର୍ଚ୍ଚ ୬ ରେ, ରାଜରାସ୍ତାକୁ ଓହ୍ଲାଇବ ଅପୋସା।

ଭୁବନେଶ୍ୱର,୨୫/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଆଜି ଅଲ୍ ଓଡିଶା ପ୍ରାଇଭେଟ୍ ସ୍କୁଲ୍ ଆସୋସିଏସନ୍,(ଅପୋସା) ର ଏକ ରାଜ୍ୟସ୍ତରୀୟ ସମ୍ମିଳନୀ , ନୟାପଲ୍ଲୀ,ଭୁବନେଶ୍ଵର ନିକଟରେ ଆୟୋଜିତ ହୋଇଯାଇଛି।

ଏ ବୈଠକରେ ୩୦ ଟି ଜିଲ୍ଲା ରୁ ଅପୋସାର ସମସ୍ତ ଜିଲ୍ଲା କର୍ତ୍ତୃପକ୍ଷ,କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ ।ଘରଭଡ଼ା ରେ ଥିବା ଘରୋଇ ଵିଦ୍ୟାଳୟ ଗୁଡ଼ିକୁ ସିଓଆର୍ ଦେବା ନ ଦେବାର ସରକାରଙ୍କ ଦୋମୁହାଁ ନୀତିକୁ ବୈଠକରେ ନିନ୍ଦା କରାଯାଇଥିଲା । ବିଗତ ଦିନର ଆନ୍ଦୋଳନ, ବାରମ୍ବାର ଦାବି ସତ୍ତ୍ଵେ,ସରକାର ତାଙ୍କ ଜିଦ୍ ରେ ଅଟଳ । ଏହି ପରିପ୍ରେକ୍ଷୀରେ ସଂଘ ର ଅଧ୍ୟକ୍ଷ ସତ୍ୟ ନାରାୟଣ ମିଶ୍ର ପ୍ରେସ୍ ବିବୃତି ମାଧ୍ୟମରେ ପ୍ରକାଶ କରିଛନ୍ତି ଯେ, ଯେଉଁ ସରକାର ତାଙ୍କର ନିଜସ୍ବ ନିୟମାନୁଯାୟୀ ୯୦% ଵିଦ୍ୟାଳୟକୁ ସିଓଆର୍ ଅନୁମୋଦନ କରିଛନ୍ତି, ପୁନର୍ବାର କେଉଁ ନ୍ୟାୟରେ,କାହା ପ୍ରରୋଚନାରେ, ଵାକି  ୧୦% ରୁ କମ୍ ଵିଦ୍ୟାଳୟ କୁ ସିଓଆର୍ ପ୍ରଦାନ ରୁ ବଞ୍ଚିତ କରିଛନ୍ତି। ଏହାର ବିଧିବଦ୍ଧ ତଦନ୍ତ ସହ ସମସ୍ତ ଵିଦ୍ୟାଳୟ କୁ ସିଓଆର୍ ଅନୁମୋଦନ ନିମନ୍ତେ ଶ୍ରୀ ମିଶ୍ର ଦାଵି କରିଛନ୍ତି।

ସଂଗଠନ ର ସାଧାରଣ ସମ୍ପାଦକ ଅବନ୍ତି କୁମାର ସୁତାର,ଅନ୍ୟ ଏକ ବିବୃତି ରେ   ପ୍ରକାଶ କରି ଅଛନ୍ତି ଯେ, ଆର୍ ଟି ଇ ରେ ଗରୀବ ଅନଗ୍ରସର ବ୍ୟକ୍ତି ମାନଙ୍କୁ ସରକାର ନିଜର କରିବାକୁ ଚେଷ୍ଟିତ ଥିବା ସମୟରେ, ସରକାରଙ୍କ ନିୟନ୍ତ୍ରଣରେ ଥିବା କର୍ମଚାରୀ ମାନେ ସରକାରଙ୍କ ବିରୁଦ୍ଧରେ ଯାଇ,ଆର୍ ଟି ଇ ର  ଟଙ୍କା ଵିଦ୍ୟାଳୟ କୁ ସମ୍ପୂର୍ଣ୍ଣ ନ ଦେଇ, କେଉଁ ଠାରେ ଵା ଆଦୌ ନ ଦେଇ ଜାଣିଶୁଣି  ଘରୋଇ ଵିଦ୍ୟାଳୟ ର ଆଗାମୀ ଆନ୍ଦୋଳନର ନିଆଁ ରେ ଘିଅ ଢାଳୁଛନ୍ତି।

 ଏ ପରିପ୍ରେକ୍ଷୀରେ ଅପୋସା ର ବରିଷ୍ଠ କର୍ମକର୍ତ୍ତା  ଅଜିତ ଦାଶ୍,ଶିଶିର ପାଇକରାୟ,ନବଘନ ବାରିକ,ଗଗନ ନନ୍ଦ,ସ୍ଵାଧିନ ମହାନ୍ତି, ମଙ୍ଗୁଳି ମହାନ୍ତି,ବସନ୍ତ ବେହେରା,ରମାଵଲ୍ଲଭ ପରିଡ଼ା ,ପୁଲିନ୍ ଜେନା, ବିଭୂତି ଗୁପ୍ତା,ଗିରିଜା ପ୍ରସାଦ ସାମଲ ,ଅନିଲ କୁମାର ସାହା ପ୍ରମୁଖ ଦାଵି କରିଛନ୍ତି ଯେ,ବିନା ଦ୍ବିଧାରେ ସମସ୍ତ ଆର୍ ଟି ଇ ପ୍ରାପ୍ୟ ଦିଆଯାଉ, ନଚେତ୍ କୌଣସି ଆର୍ ଟି ଇ ଛାତ୍ର ଛାତ୍ରୀ ଗ୍ରହଣ କରିବାକୁ ଘରୋଇ ଵିଦ୍ୟାଳୟ ବାଧ୍ୟ ହେବେ ନାହିଁ। ଉପରୋକ୍ତ ଦୁଇଟି ଦାଵି ଉପରେ ତୁରନ୍ତ କିଛି ସମାଧାନ ନହେଲେ, ଆସନ୍ତା ୩ ମାର୍ଚ୍ଚ, ରାଜ୍ୟସ୍ତରୀୟ ପ୍ରତିବାଦ ଦିବସ ପାଳନ ସହ ପ୍ରତ୍ୟେକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ଓ ପୁନର୍ବାର ଆସନ୍ତା ମାର୍ଚ୍ଚ ୬ ରେ ସମଗ୍ର ରାଜ୍ୟର ପ୍ରତିନିଧି ମଣ୍ଡଳୀ ରାଜରାସ୍ତାକୁ ଓହ୍ଲାଇଵା ପାଇଁ ନିଷ୍ପତ୍ତି ହୋଇଛି ।

Leave a Reply

Your email address will not be published. Required fields are marked *