ମାହାଙ୍ଗା , ୨୪/୦୨/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା )- ଜୀବନ ଥିଲେ ମରଣ ଆସିବ, ଏହା ସତ୍ୟ । କିନ୍ତୁ ସତ ମାର୍ଗରେ ଜୀବନ ଜିଉଥିବା ମଣିଷଟିଏ ବାସ୍ତବରେ ମରଣଜୟୀ । ସେମିତି ଜଣେ ଆଧ୍ୟାତ୍ମିକ ଚେତନାର ମଣିଷ ଥିଲେ ମାହାଙ୍ଗା ବ୍ଲକ ବିରୂପା-ଗେଙ୍ଗୁଟି ଦ୍ବୀପାଞ୍ଚଳ ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଗାଁ’ର ଶତାୟୁ ପୁରୁଷ ନଟବର ମହାନ୍ତି । ଶନିବାର ସକାଳେ ପଞ୍ଚଭୂତରେ ଲୀନ ହୋଇଯାଇଛି ତା’ଙ୍କ ପାର୍ଥିବ ଶରୀର । ସବୁବେଳେ,ସବୁ ସମୟରେ,ଭଗବତ ଅନୁଗାମୀ ହେବାକୁ ଅନ୍ୟମାନଙ୍କୁ ଅନୁପ୍ରେରିତ କରିଆସୁଥିଲେ ଶତାୟୁ ପୁରୁଷ ନଟବର । ନିଜେ ଭାଗବତ ପ୍ରଚାର ସମିତି ଗଠନ କରିଥିଲେ ଏବଂ ଗାଁ’ ଗାଁ’ରେ ଭାଗବତ ଟୁଙ୍ଗୀ ଗଢିବା ପାଇଁ ଅନ୍ୟ ମାନଙ୍କୁ ପ୍ରବର୍ତ୍ତାଉଥିଲେ । ଆଉ ଏଭଳି ମହତ କାର୍ୟ୍ୟରେ ସେ ମଧ୍ୟ ସଫଳତା ପାଇଥିଲେ ଓ ପ୍ରଶଂସା ସାଉଁଟି ପାରିଥିଲେ । ଯେଉଁଠି ଭାଗବତ ଚର୍ଚ୍ଚା ହେଉଥିଲା ସେଠାରେ ପହଂଚି,ଏହି ଆଧ୍ୟାତ୍ମିକ ଆଲୋଚନାରେ ଭାଗନେଉଥିଲେ । ନିଜେ ଭାଗବତ ପଢୁଥିଲେ, ଅନ୍ୟ ମାନଙ୍କୁ ଏକାଠି କରେଇ ଭାଗବତ ଶୁଣାଉଥିଲେ । ସେ କହୁଥିଲେ ସଂସାରରେ ଲୋଭ-ମୋହ, ରାଗ-ରୋଷ, ହିଂସା-ଦ୍ୱେଷ,ପ୍ରାଚୁର୍ୟ୍ୟ-ପ୍ରତିପତ୍ତି ସବୁ ଅଳିକ, ସବୁ ମିଛ । ଏକଥାକୁ ଯିଏ ବୁଝିଛି ସେ ପ୍ରକୃତରେ ସୁଖୀ ମଣିଷ । ସତ୍ୟ ଶାନ୍ତି ପ୍ରେମର ଅମୃତ ପୁଲକ ଭାଗବତରେ ଭରି ରହିଥିବାରୁ, ଜୀବନର ଅନ୍ତିମ ସମୟ ପର୍ୟ୍ୟନ୍ତ ଏହି ଆଧ୍ୟାତ୍ମିକ ପୁରୁଷ ନଟବର ମହାନ୍ତି ମୃତ୍ୟୁ ଶଯ୍ୟାରେ ଥାଇ ମଧ୍ୟ ଶୁଣୁଥିଲେ ଭାଗବତ । ଗ୍ରାମ୍ୟ ଶ୍ମାଶନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ, ବହୁ ବୁଦ୍ଧିଜୀବୀ ଏବଂ ସାଧାରଣ ନାଗରିକ ସ୍ବର୍ଗତ ମହାନ୍ତିଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇ ଶୋକବ୍ୟକ୍ତ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଦେଖିବାକୁ ମିଳିଥିଲା । ବରିଷ୍ଠ ସାମ୍ବାଦିକ ଅଖିଳେଶ ମହାନ୍ତି, ପ୍ରାକ୍ତନ ସମିତିସଭ୍ୟ ନିହାର ରଞ୍ଜନ ପଣ୍ଡା, ଅଫସର ତୁଲ୍ଲା, ପୁନ୍ନାନନ୍ଦ ମହାନ୍ତି, ଇନ୍ଦ୍ରମଣି ମହାନ୍ତି, ସୁଧୀର ମହାନ୍ତି, ନୃସିଂହ ସାମଲ,ଚନ୍ଦ୍ରମଣି ଦାଶ, ମୂଷିବର ପଲେଇ, ରବୀନ୍ଦ୍ର ଦାସ, ସୁଶାନ୍ତ ଦାସ,ରବୀନ୍ଦ୍ର ପୃଷ୍ଟି,ଅଲେଖ ଦାସ, ଦେବ ପ୍ରସାଦ ମହାନ୍ତି, ମନ୍ଦରଧର ମହାନ୍ତି, ଅକ୍ଷୟ ମହାନ୍ତି, ଚନ୍ଦ୍ରମଣି ମହାନ୍ତି, ସୁଜୟ ବେହେରା, ପ୍ରମୁଖ ସ୍ବର୍ଗତ ମହାନ୍ତିଙ୍କ ଅନ୍ତିମ ଦର୍ଶନ କରି ଅମର ଆତ୍ମାର ସଦଗତି କାମନା କରିଥିଲେ ।