ଆଳି ବଜାରଦାଣ୍ଡି ଅଙ୍ଗନୱାଡିକେନ୍ଦ୍ରରେ ଅବ୍ୟବସ୍ଥା :

୮ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲାପାଳଙ୍କୁ ହାଇକୋର୍ଟଙ୍କ ନିର୍ଦେଶ
କେନ୍ଦ୍ରାପଡ଼ା,୨୨/୦୮/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ଆଳି ବ୍ଲକ ଅନ୍ତର୍ଗତ ମହୁ ବଜାରଦାଣ୍ଡି ଅଙ୍ଗନୱାଡିକେନ୍ଦ୍ରରେ ନାନା ସମସ୍ୟା ଉପୁଜୁ ଥିବାରୁ ଦାୟୀତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ହାଇକୋର୍ଟ କେନ୍ଦ୍ରାପଡା ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି । କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ତାହାକୁ ୮ସପ୍ତାହ ମଧ୍ୟରେ ଆବେଦନକାରୀଙ୍କୁ ଅବଗତ କରିବା ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ମହୁ ବଜାରଦାଣ୍ଡି ଅଙ୍ଗନୱାଡିକେନ୍ଦ୍ରରେ ବିଭିନ୍ନ ଅନିୟମିତତା ଓ ବେଆଇନ କାର୍ଯ୍ୟ କରାଯାଇଥିବା ସମ୍ପର୍କରେ ସଂପୃକ୍ତ ୱାର୍ଡର ୱାର୍ଡସଭ୍ୟ ଓ ଗ୍ରାମବାସୀମାନେ ଆଳି ସମନ୍ୱିତ ଶିଶୁ ବିକାଶ ଯୋଜନା (ଆଇ. ସି. ଡି. ଏସ.)ର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ । ଫଳରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସେହିସବୁ ଅଭିଯୋଗର ତଦନ୍ତ କରିବା ପାଇଁ କ୍ଷେତ୍ରପରିଦର୍ଶିକାଙ୍କୁ ନିର୍ଦେଶ ଦେଇଥିଲେ । ନିର୍ଦେଶ ପାଇବା ପରେ କ୍ଷେତ୍ରପରିଦର୍ଶିକା ସୁଭାଷିନୀ ନାୟକ ବଜାରଦାଣ୍ଡି ଅଙ୍ଗନୱାଡିକେନ୍ଦ୍ରର କର୍ମୀ ଆରତୀ ତ୍ରିପାଠୀଙ୍କୁ ପତ୍ର ସଂଖ୍ୟା-୧ ତା ୧୮. ୧୨. ୨୦୨୩ରିଖ ଓ ପତ୍ର ସଂଖ୍ୟା- ୨ ତା ୨୬. ୦୩. ୨୦୨୪ରିଖରେ ଦୁଇ ଦୁଇଟି ନୋଟିସ କରିଥିଲେ ମଧ୍ୟ ସଂପୃକ୍ତ କେନ୍ଦ୍ରର କର୍ମୀ ସେହି ନୋଟିସର କୈାଣସି ଉତର ଦେଇନଥିଲେ ।

ତେଣୁ କ୍ଷେତ୍ରପରିଦର୍ଶିକା, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଆଳି ଆଇ.ସି.ଡି.ଏସ.ର ପି.ଆଇ.ଓ, କନିଷ୍ଠ ସହକାରୀ ପ୍ରମୁଖ ତା ୨.୦୪.୨୦୨୪ରିଖରେ ସଂପୃକ୍ତ ଅଙ୍ଗନୱାଡି କେନ୍ଦ୍ରରେ ପହଂଚି ତଦନ୍ତ କରିଥିଲେ । ତଦନ୍ତରୁ ଜଣାପଡିଥିଲା ଯେ ସେହି କେନ୍ଦ୍ରରେ ୨୦୨୨ମସିହାରୁ ତଦନ୍ତ ଦିନ ପର୍ଯ୍ୟନ୍ତ କୌଣସି ମାତୃ କମିଟି, ଯାଂଚ କମିଟି ଓ ଗ୍ରାମ କଲ୍ୟାଣ କମିଟି ଗଠନ କରାଯାଇନାହିଁ । ସେହି କେନ୍ଦ୍ରରେ ମୋଟ ୨୬ଜଣ ଶିଶୁ ଥିବା ସ୍ଥଳେ ତଦନ୍ତ ଦିନ ମାତ୍ର ୬ଜଣ ଶିଶୁ ପ୍ରାକ୍ ବିଦ୍ୟାଳୟରେ ଉପସ୍ଥିତ ଥିଲେ । କେନ୍ଦ୍ରରେ କୌଣସି ରେକର୍ଡ ବା ରେଜିଷ୍ଟର ନଥିଲା । ଏହାବ୍ୟତିତ ସଂପୃକ୍ତ ଅଙ୍ଗନୱାଡିକର୍ମୀ ଭି. ଏଚ. ଏନ. ଡି., ଇମୁନାଇଜେସନ ଓ ଗୃହ ପରିଦର୍ଶନରେ ଉପସ୍ଥିତ ରହୁନଥିବା ତଦନ୍ତରୁ ଜଣାପଡିଥିଲା । ପ୍ରତିବର୍ଷ ସରକାର ଶିଶୁଙ୍କ ଖେଳନା ପାଇଁ ଅର୍ଥ ଦେଉଥିବା ବେଳେ ସେହି କେନ୍ଦ୍ରରେ କୌଣସି ଖେଳଣା ନଥିବାର ତଦନ୍ତ କମିଟି ଦେଖିବାକୁ ପାଇଥିଲା ।

ସରକାରଙ୍କ ନୂଆ ସ୍କିମ ସମ୍ପର୍କରେ ହିତାଧିକାରୀମାନେ ଅବଗତ ନଥିବା ଦେଖାଯାଇଥିଲା । ସମନ୍ୱିତ ଶିଶୁ ବିକାଶ ଯୋଜନାର ୬ଟି ସେବା ମଧ୍ୟରୁ କୈାଣସି ଗୋଟିଏ ମଧ୍ୟ ସେବାର ନମୁନା ସଂପୃକ୍ତ କେନ୍ଦ୍ରର କର୍ମୀ ତଦନ୍ତ କମିଟିକୁ ଦେଖାଇପାରିନଥିଲେ । ସେହି କେନ୍ଦ୍ରର ସହାୟିକା ଅବସର ନେବା ପରଠାରୁ ନିୟମିତ ରୋଷେଇ କରାନଯାଇ ଶିଶୁଙ୍କୁ ବିସ୍କୁଟ ଦିଆଯାଉଥିବା ଗ୍ରାମବାସୀଙ୍କ ଉପସ୍ଥିତିରେ ଅଙ୍ଗନୱାଡିକର୍ମୀ ନିଜେ ସ୍ୱୀକାର କରିଥିଲେ । ଏଥିସହିତ ଟିଏଚଆର ବଂଟନରେ କର୍ମୀ ବ୍ୟତିକ୍ରମ କରିଥିବା ପ୍ରମାଣିତ ହୋଇଥିବା ତଦନ୍ତ କମିଟି ଜାଣିବାକୁ ପାଇଥିଲା । ସଂପୃକ୍ତ କର୍ମୀଙ୍କ ଏତାଦୃଶ ମନମୁଖୀ କାର୍ଯ୍ୟ କେନ୍ଦ୍ର ପରିଚାଳନା ଓ କୋମଳମତି ଶିଶୁମାନଙ୍କ ବିକାଶ ଉପରେ ବାଧା ସୃଷ୍ଟି କରିଥିବା ତଦନ୍ତ କମିଟି ଉପଲବ୍ଧି କରିଥିଲେ ।

ଏସମ୍ପର୍କରେ ଆଳିର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସଂପୃକ୍ତ କେନ୍ଦ୍ରର କର୍ମୀଙ୍କୁ ତିନିଦିନ ମଧ୍ୟରେ କୈଫିୟତ ଦେବାକୁ ତା୫.୦୪.୨୦୨୪ରିଖରେ କାରଣ ଦର୍ଶାଅ ନୋଟିସ ପଠାଇଥିଲେ । କିନ୍ତୁ ପରବର୍ତୀ ସମୟରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏହି ଘଟଣାରେ ଆଉ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ତେଣୁ ସୂଚନା ଅଧିକାର କର୍ମୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ ଏସମ୍ପର୍କରେ ଆଳି ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଜିଲା ସମାଜ ମଙ୍ଗଳ ଅଧିକାରୀ, ଉପଜିଲାପାଳ, ଜିଲାପାଳ ଓ ମହିଳା ଏବଂ ଶିଶୁ ବିକାଶ ବିଭାଗର ଶାସନ ସଚିବଙ୍କୁ ଏସମ୍ପର୍କରେ ବାରମ୍ବାର ଅଭିଯୋଗ ଓ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ପାଇନଥିଲେ । ଫଳରେ ଏନେଇ ଓଡିଶା ଉଚ୍ଚ ନ୍ୟାୟାଳୟରେ ଶ୍ରୀ ଆଚାର୍ଯ୍ୟ ଡବ୍ଲୁପିସି ନଂ- ୩୧୩୯୯/୨୦୨୫ରେ ଏକ ରିଟପିଟିସନ ଦାୟର କରିଥିଲେ । ସେହି ରିଟପିଟିସନର ବିଚାର କରି ଉଚ୍ଚ ନ୍ୟାୟାଳୟ ଉପରୋକ୍ତ ଆଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶ୍ରୀ ଅଖଣ୍ଡ କୋର୍ଟରେ ମକ୍କଦ୍ଧମା ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *