ଭୁବନେଶ୍ୱର,୨୩/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡ଼ା ସଂସଦର ଦୁଇ ଦିନିଆ ବାର୍ଷିକ ସାଂସ୍କୃତିକ ଉତ୍ସବ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ଦ୍ଵିତୀୟ ତଥା ଉଦଯାପନୀ ଦିବସର ସଂଧ୍ୟାକୁ ଆଜି ମୁଖ୍ୟ ଅତିଥି ଭାବେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଯୋଗଦାନ କରି
ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । କାଯ୍ୟକ୍ରମରେ ଯୋଗ ଦାନ ଅବସରରେ ଶ୍ରୀ ଜେନା କହିଥିଲେ ଯେ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ମାନବ ସମ୍ବଳ ପରିଚାଳନା, ପେନସନ ମାମଲା ଠାରୁ ଆରମ୍ଭ କରି ଜମିଜମା ସଂକ୍ରାନ୍ତୀୟ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବିଭାଗରେ କରାଯାଉଥିବା ବେଳେ କାର୍ଯ୍ୟବ୍ୟସ୍ତ ଜୀବନ ଶୈଳୀ ମଧ୍ୟରେ ସାଂସ୍କୃତିକ ଓ କ୍ରୀଡା ଆଦି କାର୍ଯ୍ୟ କ୍ରମର ଆୟୋଜନ ସଂସଦର ପ୍ରଶଂସନୀୟ ପ୍ରୟାସ । କର୍ମମୟ ଜୀବନରେ ମନୋରଞ୍ଜନର ଆବଶ୍ୟକତା ରହିଛି ।
ଏହା ମନକୁ ହାଲୁକା କରିବା ସହ କର୍ମଚାରୀଙ୍କ ମଧ୍ୟରେ ଏକତା ଓ ଭ୍ରାତୃତ୍ୱ ବଜାୟ ରଖିବାରେ ସହାୟକ ହୋଇଥାଏ । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଦୀର୍ଘ ବର୍ଷ ଧରି ବାର୍ଷିକ ସଂସ୍କୃତିକ ଉତ୍ସବ ଆୟୋଜନ କରୁଥିବା ଆନନ୍ଦର କଥା ବୋଲି ସେ ପ୍ରକାଶ କରିଥିଲେ l।ଏହି ଅବସରରେ ସେ ସଂସଦ ଦ୍ୱାରା ଆୟୋଜିତ କ୍ରୀଡ଼ା,କଳା ଓ ଅନ୍ୟାନ୍ୟ ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ତଥା ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ କମିଶନର ଶ୍ରୀ ହିମାଂଶୁ ଭୂଷଣ ପଣ୍ଡା ଯୋଗଦେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଆୟୋଜନ କରୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ନାଟ୍ୟ ପରମ୍ପରା,ସାମାଜିକ ଓ ସାଂସ୍କୃତିକ ଐତିହ୍ୟ ବଜାୟ ରହିଛି ବୋଲି ପ୍ରକାଶ କରିଥିଲେ ।
ସାଂସ୍କୃତିକ ଓ କ୍ରୀଡା ସଂସଦ ର କାର୍ଯ୍ୟକାରୀ ସଭାପତି ଶ୍ରୀ ଚିତ୍ତରଞ୍ଜନ ପଣ୍ଡା, ସାଧାରଣ ସମ୍ପାଦକ ଶ୍ରୀ ଅମୀୟ କୁମାର ଦାସ ବକ୍ତବ୍ୟ ରଖିଥିଲେ ।ସଭା ପରେ ପରେ ସଂସଦ ତରଫରୁ ନାଟକ “କିଏ କାହାର” ପରିବେଷଣ କରାଯାଇଥିଲା । ନାଟ୍ୟକାର ତଥା ନିର୍ଦ୍ଦେଶକ ଶ୍ରୀ ମଳୟ ରାଉତଙ୍କ ନିର୍ଦ୍ଦେଶନା ରେ ସଂସଦ ର କଳାକାର ମାନଙ୍କ ଦ୍ୱାରା ଦୁଇ ଦିନ ଧରି ଅନୁଷ୍ଠିତ ଏହି ନାଟକକୁ ଭରପୁର ଦର୍ଶକ ଉପସ୍ଥିତ ରହି ଉପଭୋଗ କରିଥିଲେ ।
ପ୍ରକାଶ ଥାଉକି ଗତକାଲି ସଂସଦ ର ବାର୍ଷିକ ଉତ୍ସବ ରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତଥା ପର୍ଯ୍ୟଟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ଏବଂ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ତଥା ଓଡ଼ିଶା ମୋ ପରିବାର ର ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ କୁମାର ରାଉତରାଏ, ଜିଏପିଜି ବିଭାଗ ମାହାଲ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ମନୋଜ କୁମାର ମହାନ୍ତି ଯୋଗ ଦେଇଥିଲେ । ଉଦଯାପନୀ ସନ୍ଧ୍ୟା ରେ ବିଭିନ୍ନ କଳାକାର ମାନଙ୍କ ଦ୍ୱାରା ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ତିଳୋତ୍ତମା ରଣା ଓ ନିବେଦିତା ପାଠକ ସଂଯୋଜନା କରିଥିଲେ ।