ଭୁବନେଶ୍ୱର, ୧୩/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଶ୍ରମ ବିଭାଗ ପକ୍ଷରୁ ରାଜ୍ୟ ଶ୍ରମ ସଂସ୍ଥାନ ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଥିବା କାରଖାନା ସୁରକ୍ଷା ଅଧିକାରୀମାନଙ୍କ ଦୁଇ ଦିନିଆ ତାଲିମ କର୍ମଶାଳା ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି ।
ସଂସ୍ଥାନ ନିର୍ଦ୍ଦେଶକ ତଥା ଶ୍ରମ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ନୀତି ରଂଜନ ସେନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁରକ୍ଷା ଅଧିକାରୀମାନଙ୍କୁ କହିଥିଲେ ଶିଳ୍ପ ଶ୍ରମିକ ଦେଶର ଆର୍ଥିକ ବିକାଶର ପ୍ରମୂଖ ଭୂମିକା ନିବାହ କରୁଥିବାରୁ ଶ୍ରମିକ ତଥା ତାଙ୍କ ପରିବାରର ନିରାପତ୍ତାକୁ ସରକାର ପ୍ରାଥମିକତା ଦେଇଆସୁଛନ୍ତି । କାର୍ୟ୍ୟରତ ଶ୍ରମିକମାନଙ୍କର ବୃତ୍ତିଗତ ସୁରକ୍ଷା, ସ୍ଵାସ୍ଥ୍ୟ୍ ଏବଂ ସାମଗ୍ରିକ ବିକାଶର ଚାବିକାଠି ସୁରକ୍ଷା ଅଧିକାରୀଙ୍କ ହାତରେ ରହୁଥିବାରୁ ସେମାନଙ୍କୁ କର୍ତ୍ତବ୍ୟ ପରାୟଣ ଏବଂ ଦାୟିତ୍ଵ ସମ୍ପନ୍ନ କରାଇବା ସରକାରଙ୍କ ମୂଳ ଲକ୍ଷ ।
ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାରଖାନା ଏବଂ ବାଷ୍ପୀତ୍ର ଉପ ନିର୍ଦ୍ଦେଶକ (ସୁରକ୍ଷା) ଡଃ ମଳୟ କୁମାର ପ୍ରଧାନ ତାଙ୍କ ସମ୍ବୋଧନରେ ରାଜ୍ୟ କାରଖାନା ନିର୍ଦ୍ଦେଶାଳୟ ଶିଳ୍ପ ସୁରକ୍ଷା ପାଇଁ ମିତ୍ର ଦାର୍ଶନିକ ଏବଂ ପଥପ୍ରଦର୍ଶକ ଭାବେ କାର୍ୟ୍ୟ କରୁଥିବାରୁ ସରକାରଙ୍କ ଶୂନ୍ୟ ଦୁର୍ଘଟଣା ନୀତି ଆଧାରରେ ଯାଥା ସାଧ୍ୟ ଉଦ୍ୟମ ଜାରି ରଖିବା କଥା ପ୍ରକାଶ କରିଥିଲେ ଏବଂ ଅଧିକାରୀ ମାନେ ଦକ୍ଷ ଏବଂ ପାରଦର୍ଶୀ ହେଲେ କାରଖାନା ଶ୍ରମିକ ମାନଙ୍କର ବୃତ୍ତିଗତ ସୁରକ୍ଷା ଏବଂ ସ୍ୱାସ୍ଥ୍ୟରେ ଅନେକ ପ୍ରଗତି ସମ୍ଭବପର ହୋଇ ପାରିବ ।
ପୂର୍ବରୁ ରାଜ୍ୟର ବିଭିନ୍ନ କାରଖାନାମାନଙ୍କରେ ନିୟୋଜିତ ୧୫୦ ଜଣ ସୁରକ୍ଷା ଅଧିକାରୀ ତାଲିମପ୍ରାପ୍ତ ହୋଇ ସାରିଥିବା ବେଳେ ଚଳିତ କର୍ମଶାଳାର ଅନ୍ତିମ ଦିବସରେ ଅତିରିକ୍ତ ୫୦ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି । ଶେଷରେ ମୁଖ୍ୟଅତିଥିଙ୍କ ଦ୍ୱାରା ତାଲିମପ୍ରାପ୍ତ ଅଧିକାରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଆସନ୍ତା କାଲିଠାରୁ ସଂସ୍ଥାନରେ ବାଷ୍ପୀୟ ପରିଚାରକମାନଙ୍କ ନିମନ୍ତେ ଦ୍ଵିତୀୟ ଦଫାରେ ଦୁଇଦିନିଆ ତାଲିମ କର୍ମଶାଳା ଅନୁଷ୍ଠିତ ହେବାକୁ ଯାଉଛି ।
ଶ୍ରମ କାରଖାନା ବିଭାଗ ପକ୍ଷରୁ ଆୟୋଜିତ ସୁରକ୍ଷା ଅଧିକାରୀଙ୍କ ତାଲିମ କର୍ମଶାଳାର ଉଦଯାପନୀ ଉତ୍ସବ
