କେନ୍ଦ୍ରାପଡ଼ା, ୧୯/୦୨/୨୦୨୪ (ଓଡ଼ିଶା ସମାଚାର)- ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ କେନ୍ଦ୍ରାପଡା ଫାଷ୍ଟଟ୍ରାକ ଆଡହକ୍ କୋର୍ଟର ଅତିରିକ୍ତ ଜିଲାଜଜ୍ ତ୍ରିବିକ୍ରମ କେଶରୀ ଚିନ୍ନାରା ୧୦ବର୍ଷ ଜେଲଦଣ୍ଡାଦେଶ ସହ ୨୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲାର ରାଜନଗର ଥାନା ଅନ୍ତର୍ଗତ ଗୁପ୍ତି ଗ୍ରାମର ଜନୈକ ମହିଳା ଗତ ୨୦୨୦ମସିହା ମାର୍ଚ୍ଚମାସ ୧ତାରିଖ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ତାଙ୍କର ଏକ ବାହାରିଆ ଘରେ ଧାନ ଉସାଁଉଥିବା ବେଳେ ସେହି ଗ୍ରାମର ବିଦ୍ୟାଧର ମଲ୍ଲିକଙ୍କ ପୁଅ ବାସୁଦେବ ମଲ୍ଲିକ ଓରଫ ଗାଣ୍ଡୁଆ ବାରିପଟ ଆଡୁ ଘରେ ପ୍ରବେଶ କରି ପିଡିତା ମହିଳାଙ୍କ ହାତ ଧରି ଟଣାଟଣି କରିବାରେ ସଂପୃକ୍ତ ମହିଳା ପାଟି କରିଥିଲେ । ବାସୁଦେବ ସେହି ମହିଳାଙ୍କ ପାଟିରେ ଗାମୁଛା ପୁରାଇ ଦେଇ ତାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ । ସେହିି ସମୟରେ ମହିଳାଙ୍କ ଶଶୁର ଆସିଯିବାରୁ ଅଭିଯୁକ୍ତ ସେଠାରୁ ଦୌଡି ପଳାଇଥିଲା । ଏସମ୍ପର୍କରେ ପିଡିତା ମହିଳାଙ୍କ ଲିଖିତ ଅଭିଯୋଗକୁ ଭିତିକରି ରାଜନଗର ଥାନାରେ ୫୮/୨୦୨୦ରେ ଆଇ.ପି.ସି.ର ୪୫୦ ଓ ୩୭୬(ଆଇ)ରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ପୋଲିସ କୋର୍ଟରେ ଫାଇନାଲ ରିପୋର୍ଟ ଦାଖଲ କରିବା ପରେ ଏସଟି କେଶ ନମ୍ବର -୭୯/୨୦୨୦ରେ ମାମଲାର ଶୁଣାଣି ଚାଲିଥିଲା । ସେହି ମାମଲାର ବିଚାର କରି କେନ୍ଦ୍ରାପଡା ଫାଷ୍ଟଟ୍ରାକ ଆଡହକ୍ କୋର୍ଟର ଅତିରିକ୍ତ ଜିଲ୍ଲାଜଜ୍ ତ୍ରିବିକ୍ରମ କେଶରୀ ଚିନ୍ନାରା ୧୪ଜଣ ସାକ୍ଷୀଙ୍କ ସାକ୍ଷକୁ ଭିତି କରି ଅଭିଯୁକ୍ତ ବାସୁଦେବ ମଳିକକୁ ୧୦ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ସହିତ ୨୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ଏକବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକୁ୍ୟଟର ସଞ୍ଜୟ କୁମାର ଜେନା କୋର୍ଟରେ ମକ୍କଦ୍ଧମା ପରିଚାଳନା କରୁଥିଲେ ।