ନିରାକାରପୁର, ୧୮/୦୨/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ କମାଗୁରୁ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶାର ସଚେତନତା କାର୍ଯ୍ୟକ୍ରମକୁ ସରପଂଚ ସୁନୀତା ଚମ୍ପତି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମିତି ସଭ୍ୟା ଲକ୍ଷ୍ମୀପ୍ରିୟା ଦାମ୍ବଳ, ନାଏବ ସରପଂଚ ଆଶୁତୋଷ ମହାପାତ୍ର ଓ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର , ଏମ ବି କେ, ସିଆରସି, ସନ୍ତିଶୁଧା ସଭାନେତ୍ରୀ, ସମ୍ପାଦିକା, ଗ୍ରାମପଞ୍ଚାୟତ ବି ଜେ ଡି ସଭାପତି ଅଶୋକ ପଟ୍ଟନାୟକ, ସମାଜସେବୀ ଭାବନି ଶଙ୍କର ଜଗଦେବ ମହାପାତ୍ର, ଗଦାଧର ମହାରଣା ପ୍ରମୁଖ ଉପସ୍ଥିତ ରହି ନବୀନ ସରକାର ଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଅବଗତ କରିଥିଲେ।ଏହି କାର୍ଯ୍ୟକ୍ରମରେ କମାଗୁରୁ ନୋଡାଲ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ନାରୀ ସଚେତନତା ଉପରେ ନାଟକ ପରିବେଷଣ , ବନ୍ଦେ ଉତ୍କଳ ଜନନୀ ଗାନ , ନାଚ ଗୀତରେ ସମସ୍ତ ଙ୍କୁ ବିମୋହିତ କରିଥିଲେ।ଶାନ୍ତିସୁଦ୍ଧା ପକ୍ଷରୁ ୬ ଟି ଷ୍ଟଲ କରାଯାଇଥିଲା। ସ୍ଵଂୟ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ଦ୍ଵାରା ପିଠା,ପଣା, ପାମ୍ପଡ ଭଳି ବିଭିନ୍ନ ଖାଦ୍ୟ ପଦାର୍ଥ ଓ ଘରକରଣା ସାମଗ୍ରୀ ପ୍ରଦର୍ଶିତ କରିଥିଲେ । ଏହି ଅବସରରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ଟାଙ୍ଗୀ ବ୍ଲକ ମାଟ୍ରିକ ଟପ୍ପର ଛାତ୍ର ବିନିୟ କୁମାର ବାରିକ,ଖୋର୍ଦ୍ଧା ଜିଲ୍ଲା ରଙ୍ଗୋଲି ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଅଭିଜିତ ମଙ୍ଗରାଜ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ମଞ୍ଚ ପରିଚାଳନା ଯୋଗାଣ ସହାୟକ ହେମନ୍ତ କୁମାର ଲେଙ୍କା କରିଥିବାବେଳେ ସମିତି ସଭ୍ୟା ଲକ୍ଷ୍ମୀପ୍ରିୟା ଦାମ୍ବଳ, ପ୍ରଦୀପ କୁମାର ମହାରଥୀ, ପ୍ରଦୀପ କୁମାର ଦାସ ଓ ସତ୍ୟ ନାରାୟଣ ଦାସ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ପୂର୍ବତନ ସରପଞ୍ଚ ମନୋରଞ୍ଜନ ଚମ୍ପତି ଧନ୍ୟବାଦ୍ ଅର୍ପଣ କରିଥିଲେ।
କମାଗୁରୁ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶାର ସଚେତନତା କାର୍ଯ୍ୟକ୍ରମ
