ଭୁବନେଶ୍ୱରରେ ଆୟୋଜିତ ହେଲା ଉଚ୍ଚସ୍ତରୀୟ କର୍ମଶାଳା
ଭୁବନେଶ୍ୱର,୧୯/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଯୁକ୍ତରାଜ୍ୟ ସରକାର ଏବଂ ଓଡିଶା ସରକାରଙ୍କ ଶକ୍ତି ବିଭାଗ ଓ ଗ୍ରୀଡ଼କୋ ର ମିଳିତ ଆନୁକୂଲ୍ୟରେ ‘ନେଟ୍-ଜିରୋ ଭିଜନ ଭୁବନେଶ୍ୱର’ ବିଷୟରେ ଏକ ଉଚ୍ଚ-ସ୍ତରୀୟ କର୍ମଶାଳାର ଆୟୋଜନ କରାଯାଇଥିଲା। ଜ୍ଞାନ ଆଦାନ-ପ୍ରଦାନ ସହ ବହୁ-ପକ୍ଷୀୟ ସହଯୋଗକୁ ଉତ୍ସାହିତ କରିବା, ଏବଂ ଭୁବନେଶ୍ୱର ସହରରେ କିଭଳି ପ୍ରଦୂଷଣକୁ ପ୍ରତିହତ କରାଯାଇ ପାରିବ ସେ ଉପରେ ଏହି କର୍ମଶାଳାରେ ବିଷଦ ଆଲୋଚନା ହୋଇଥିଲା। ଦ ଏନର୍ଜି ଆଣ୍ଡ ରିସୋର୍ସ ଇନଷ୍ଟିଚ୍ୟୁଟ ‘(TERI)’ ପକ୍ଷରୁ ଏହି କାର୍ଯ୍ୟକ୍ରମର ସଂଯୋଜନା କରାଯାଇଥିଲା। 

ଏହି କର୍ମଶାଳାରେ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ତଥା ଶିଳ୍ପ ଓ ଶିକ୍ଷା ଜଗତ ସହିତ ଜଡିତ ବିଶେଷଜ୍ଞମାନେ ଅଂଶଗ୍ରହଣ କରିଥିଲେ। ଭୁବନେଶ୍ୱର ର ନେଟ୍-ଜିରୋ ଯାତ୍ରା ପାଇଁ ଏକ ସଂପୂର୍ଣ୍ଣ ରୋଡମ୍ୟାପ ବିକଶିତ କରିବା ଉଦ୍ଦେଶ୍ୟରେ ଏହା ଆୟୋଜିତ ହୋଇଥିଲା। ୨୦୭୦ ସୁଦ୍ଧା ନେଟ୍-ଜିରୋ ଲକ୍ଷ୍ୟ ପୁରଣ କରିବା ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତା ଏବଂ ୨୦୨୯-୩୦ ମଧ୍ୟରେ ଓଡ଼ିଶାର ଅକ୍ଷୟ ଶକ୍ତି କ୍ଷମତାକୁ ୧୦.୯ ଗିଗାୱାଟକୁ ବୃଦ୍ଧି କରିବା ପାଇଁ ସ୍ଥିର ହୋଇଥିବା ଲକ୍ଷ୍ୟ ଆଧାରରେ ଏହି କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା।
ଦ ଏନର୍ଜି ଆଣ୍ଡ ରିସୋର୍ସ ଇନଷ୍ଟିଚ୍ୟୁଟ ‘(TERI) ର ମହାନିର୍ଦ୍ଦେଶକ ଡ. ବିଭାଧବନ ସ୍ୱାଗତ ଭାଷଣ ପ୍ରଦାନ କରି ଅକ୍ଷୟ ଶକ୍ତି ବିକାଶ କ୍ଷେତ୍ରରେ ଏକ ସ୍ଥାୟୀ ସମାଧାନ ପାଇଁ ମିଳିତ ପ୍ରଚେଷ୍ଟାର ଆବଶ୍ୟକତା ଥିବା ମତବ୍ୟକ୍ତ କରିଥିଲେ।
ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ, ଆମକୁ ପ୍ରଯୁକ୍ତି ବିଦ୍ୟାର ଅଭାବ ପୂରଣ କରିବାକୁ ପଡିବ, ନୀତିଗତ ଢାଞ୍ଚାକୁ ସୁଦୃଢ଼ କରିବାକୁ ପଡିବ ଏବଂ ସ୍ୱଚ୍ଛ ଯାନବାହାନ ଚଳାଚଳ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରିବାକୁ ପଡିବ।ପରିବହନ ର ବିଦ୍ୟୁତୀକରଣ, ଗ୍ରୀଡ୍ ଆଧୁନିକୀକରଣ ଏବଂ ଅକ୍ଷୟଶକ୍ତି ର ସମନ୍ୱୟ ମାଧ୍ୟମରେ ନେଟ୍-ଜିରୋ ଭବିଷ୍ୟତ ର ଲକ୍ଷ ଶୀଘ୍ର ସାଧିତ ହେବ ବୋଲି ସେ କହିଥିଲେ। ଏଥିସହ ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ବ୍ୟାଟେରୀ ଚାଳିତ ବସ ର ପ୍ରଚଳନ ଏବଂ ଆଗକୁ ପରୀକ୍ଷା ମୂଳକ ଭାବେ ହାଇଡ୍ରୋଜେନ ବସ ର ପ୍ରଚଳନ ପାଇଁ ଥିବା ଯୋଜନାକୁ ସେ ଭୁୟସୀ ପ୍ରଶଂସା କରିଥିଲେ।
ଏହି ଅବସର ରେ ଗ୍ରୀଡକୋ ର ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡା ତାଙ୍କ ସ୍ୱତନ୍ତ୍ର ଭାଷଣରେ ଅକ୍ଷୟ ଶକ୍ତିର ବିକାଶ ପ୍ରତି ରାଜ୍ୟର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ।ସେ କହିଥିଲେ, “ଦେଶର ନେଟ୍-ଜିରୋ ପ୍ରତିବଦ୍ଧତା ସହିତ, ଓଡ଼ିଶା ୨୦୩୬ (ଓଡିଶା ରାଜ୍ୟ ମାନ୍ୟତା ପାଇବାର ଶତବାର୍ଷିକୀ ବର୍ଷ) ଏବଂ ୨୦୪୭ (ଭାରତ ସ୍ୱାଧୀନତା ର ୧୦୦ ବର୍ଷ) ସୁଦ୍ଧା ପାରମ୍ପରିକ ଶକ୍ତିରୁ ଅକ୍ଷୟ ଶକ୍ତି ଆଡକୁ ପରିବର୍ତ୍ତନ ପାଇଁ ନିଜସ୍ୱ ଲକ୍ଷ୍ୟ ସ୍ଥିର କରିଛି”।ସେ ଆହୁରି ଗୁରୁତ୍ୱାରୋପ କରିଥିଲେ ଯେ, ପରିବହନ କ୍ଷେତ୍ରରେ ଅକ୍ଷୟ ଶକ୍ତିର ପ୍ରଚଳନ ପାଇଁ ଅଭିନଵ ଉପାୟ ଅବଲମ୍ବନ କରାଯିବା ସହିତ EV ଚାର୍ଜିଂ ଷ୍ଟେସନ ଗୁଡ଼ିକୁ ୧୦୦% ସବୁଜ ଶକ୍ତି ଯୋଗାଇ ଦିଆଯିବା ଆବଶ୍ୟକ।”
ଏହି ଅବସରରେ ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତ ପାଇଁ ନିଯୁକ୍ତ ବ୍ରିଟିଶ ଡେପୁଟି ହାଇ କମିଶନର ଡକ୍ଟର ଆଣ୍ଡ୍ରୁ ଫ୍ଲେମିଂ ନିଜ ମତ ରଖିଥିଲେ। ସେ କହିଥିଲେ ଯେ, କୋଇଲା ସମୃଦ୍ଧ ରାଜ୍ୟ ହେବା ସତ୍ତ୍ୱେ, ଓଡ଼ିଶା ସରକାର ଅକ୍ଷୟ ଶକ୍ତି କ୍ଷେତ୍ରରେ ଯେଉଁ ଭଳି ଭାବେ ଅଗ୍ରସର ହୋଇଛନ୍ତି, ତାହା ପ୍ରଶଂସା ଯୋଗ୍ୟ।କୋଭେଣ୍ଟ୍ରି ଭଳି ୟୁକେ ର କିଛି ସହରକୁ ଭୁବନେଶ୍ୱର ସହ ତୁଳନା କରି ସେ କହିଥିଲେ ଯେ, ସମୟୋଚିତ ସଂଶୋଧନ ମୂଳକ ପଦକ୍ଷେପ ଏବଂ ଦୃଢ଼ ଇଛା ଶକ୍ତି ବଳରେ ଏହି ସହର ଠିକ ସମୟରେ ଶକ୍ତି ପରିବର୍ତ୍ତନ ଲକ୍ଷ ହାସଲ କରିପାରିବ। “
ଏହି କର୍ମଶାଳାରେ ଶକ୍ତି ଏବଂ ପରିବହନ ଭଳି ପ୍ରମୁଖ କ୍ଷେତ୍ର ଉପରେ ଗୁରୁତ୍ୱାରୋପ କରାଯାଇଥିଲା , ଯେଉଁଥିରେ ଭୁବନେଶ୍ୱର ପାଇଁ ସବୁଜ ପରିବହନ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଅଂଶଗ୍ରହଣକାରୀମାନେ ଭୁବନେଶ୍ୱର ପରିପ୍ରେକ୍ଷୀରେ ସହର ସ୍ତରୀୟ ନେଟ୍-ଜିରୋ ରୋଡ ମ୍ୟାପ ବିକାଶ ପାଇଁ ଥିବା ଚ୍ୟାଲେଞ୍ଜ ଏବଂ ସୁଯୋଗ ଉପରେ ଆଲୋଚନା କରିଥିଲେ।
କର୍ମଶାଳାର ପ୍ରମୁଖ ବିଷୟ ଗୁଡିକ ମଧ୍ୟରେ ଥିଲା ସହରାଞ୍ଚଳ ପାଇଁ ନୀତି ପ୍ରସ୍ତୁତି ଓ ପ୍ରଯୁକ୍ତି ବିଦ୍ୟା ଗ୍ରହଣରେ ୟୁକେ ର ସର୍ବୋତ୍ତମ ଅଭ୍ୟାସ ଗୁଡ଼ିକର ଆଦାନ ପ୍ରଦାନ। ଭୁବନେଶ୍ୱର ର ନେଟ୍-ଜିରୋ ପରିବର୍ତ୍ତନ କୁ ସମର୍ଥନ କରିବା ପାଇଁ ଅଭିନବ ଆର୍ଥିକ ବ୍ୟବସ୍ଥା ଉପରେ ମଧ୍ୟ ଏଠାରେ ଆଲୋଚନା ହୋଇଥିଲା। ଶିଳ୍ପ ଡି କାର୍ବୋନାଇଜେସନ୍ ଏବଂ ସବୁଜ ହାଇଡ୍ରୋଜେନ ପ୍ରୋତ୍ସାହନ ପାଇଁ ରଣନୀତି, ପ୍ରମୁଖ କ୍ଷେତ୍ର ଗୁଡ଼ିକରେ ଶକ୍ତିଦକ୍ଷତା ବୃଦ୍ଧି ଏବଂ ଜଳବାୟୁ ସ୍ଥିରତା କୁ ସୁଦୃଢ଼ କରିବା ଉପରେ ମଧ୍ୟ ଆଲୋଚନା ହେବା ସହ ସହରରେ କାର୍ବନ ନିର୍ଗମନ ହ୍ରାସ କରିବା ପାଇଁ ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।କୋଭେଣ୍ଟ୍ରିସିଟି କାଉନସିଲ ର ଶାମଲାଗାଡଗିଲ୍ ଏବଂ ସେନେକ୍ସର ରବର୍ଟ ସ୍ୟୁକେର ଆନ୍ତର୍ଜାତୀୟ ବିଶେଷଜ୍ଞ ଙ୍କ ଭାବରେ ଏଥିରେ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ , TERI ର ମହାନିର୍ଦ୍ଦେଶକ ଡ. ବିଭାଧାୱନ ଏବଂ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ଅର୍ଥ ପରାମର୍ଶଦାତା ତଥା ଅତିରିକ୍ତ ସଚିବ ଡକ୍ଟର ଦେବୀଦତ୍ତ ତ୍ରିପାଠୀଙ୍କ ମଧ୍ୟରେ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଥିଲା। ଏହି ବୁଝାମଣା ପତ୍ର ଅକ୍ଷୟ ଶକ୍ତି, ଶିଳ୍ପ ଡି କାର୍ବନାଇଜେସନ୍ ଏବଂ ସ୍ଥାୟୀ ସହରାଞ୍ଚଳ ବିକାଶରେ ବିଶେଷ ଭାବେ ସହାୟକ ହେବ।
