- ମଇ ୨୦୨୬ ସୁଦ୍ଧା ବିଭିନ୍ନ ବିଭାଗର ଆର୍ଥିକ ପ୍ରଦର୍ଶନ ସମୀକ୍ଷା
- ରାଜ୍ୟସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ଉପଲବ୍ଧି ସଂପର୍କିତ ପ୍ରଚାର ପ୍ରସାର ନେଇ ସ୍ୱତନ୍ତ୍ର ପ୍ରସ୍ତୁତି
- କଟକ ଜିଲ୍ଲାପାଳଙ୍କ ଦ୍ୱାରା “ବିକଶିତ ଓଡ଼ିଶା, କ୍ରିୟାଶୀଳ କଟକ” ଉପରେ ଏକ ବିସ୍ତୃତ ଉପସ୍ଥାପନା
- ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଉଲ୍କେଖନୀୟ ପ୍ରଦର୍ଶନ ଓ ସଫଳତାକୁ ପ୍ରଶଂସା
ଭୁବନେଶ୍ୱର,୦୪/୦୬/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ଗତ ମଇ ମାସରେ ତଥା ଅଦ୍ୟାବଧି ରାଜ୍ୟରବିଭିନ୍ନ ବିଭାଗ ସମ୍ପର୍କିତ ଉଲ୍ଲେଖନୀୟ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ନୂଆଦିଲ୍ଲୀରେ ସଦ୍ୟ ଆୟୋଜିତ ଜାତୀୟ ପଞ୍ଚାୟତ ପୁରସ୍କାର–୨୦୨୫ରେ ଓଡ଼ିଶା ୫ଟି ଜାତୀୟ ପୁରସ୍କାର ହାସଲ କରିବା, ୨୦୨୫ ମସିହାରେ ଓଡ଼ିଶାକୁ ଅଧିକ ବିଦେଶୀ ପର୍ଯ୍ୟଟକଙ୍କ ପରିଦର୍ଶନ, ଶକ୍ତି ସଂରକ୍ଷଣ କ୍ଷେତ୍ରରେ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା’ ଅଧୀନରେ ଓଡ଼ିଶା ସରକାରଙ୍କ ଉଲ୍ଲେଖନୀୟ ଅଗ୍ରଗତିକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିଥିଲେ । ସେହିପରି ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପଦକ୍ଷେପରେ ଓଡ଼ିଶା ସରକାର ଏବଂ ଇଣ୍ଟେଲ୍, ଥ୍ରୀଡିଜିଏସ୍ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ଫଳରେ ରାଜ୍ୟର ଶିଳ୍ପ ଓ ପ୍ରଯୁକ୍ତିଗତ ବିକାଶ ସହ ବୃହତ୍ ନିବେଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଓଡ଼ିଶାର ବିଦ୍ୟୁତ୍ ଶକ୍ତି ସୁରକ୍ଷାରେ ଓପିଜିସିର ଉଲ୍ଲେଖନୀୟ ସଫଳତାକୁ ମଧ୍ୟ ମୁଖ୍ୟ ସଚିବ ପ୍ରଶଂସା କରିଥିଲେ ।
ବୈଠକରେ ମଇ ୨୦୨୬ ସୁଦ୍ଧା ବଜେଟ୍ ପ୍ରାବଧାନ ଅନୁସାରେ ରାଜ୍ୟର ବିଭିନ୍ନ ବିଭାଗର ଆର୍ଥିକ ପ୍ରଦର୍ଶନ ସଂପର୍କରେ ସମୀକ୍ଷା କରାଯାଇଥିଲା । ଅଦ୍ୟାବଧି ବିଭିନ୍ନ କାର୍ଯ୍ୟକ୍ରମ ବାବଦକୁ ବ୍ୟୟ ସହିତ ବିଭିନ୍ନ କ୍ଷେତ୍ରରୁ ମୋଟ ରାଜସ୍ୱ ଆଦାୟ ସଂପର୍କରେ ଆଲୋଚନା ହୋଇଥିଲା । ଜଳସଂପଦ ବିଭାଗ, ଗ୍ରାମ୍ୟ ଉନ୍ନୟନ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ , ହସ୍ତତନ୍ତ ବିକାଶ କ୍ଷେତ୍ର, ବାଣିଜ୍ୟ ଓ ପରିବହନ ବିଭାଗର ଖର୍ଚ୍ଚ ହାର ଗତ ବର୍ଷ ଏହି ସମୟ ତୁଳନାରେ ବୃଦ୍ଧି ଘଟିଛି । ରାଜସ୍ୱ ଆଦାୟ ବୃଦ୍ଧି, ଭିତ୍ତିଭୂମି ବିକାଶ ସଂପର୍କିତ ସମେତ ଅନ୍ୟ ସମସ୍ତ ବିଭାଗକୁ ଖର୍ଚ୍ଚ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ବୈଠକରେମାନ୍ୟବର ମୁଖ୍ୟମନ୍ତ୍ରୀ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଓ ପର୍ଯ୍ୟବେକ୍ଷଣ ପତ୍ର(ୟୁଓଆଇ ନୋଟ)ର କାର୍ଯ୍ୟାନୁଷ୍ଠାନ ବିବରଣୀକୁ ଅଗ୍ରାଧିକାର ଦେବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।ତତ୍ ସହିତ ଆଗାମୀ ଜୁନ୍ ୧୧ ତାରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ୧୧ ତମ ପରିଚାଳନା ପରିଷଦ ବୈଠକରେ ଆଲୋଚନା ହେବାକୁ ଥିବା ପ୍ରସଙ୍ଗରେ ରାଜ୍ୟ ସଂପର୍କିତ ବିଭିନ୍ନ ବିଭାଗର ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି ।ଏହି ବୈଠକରେ “ବିକଶିତ ଭାରତ ପାଇଁ ମାନବ ପୁଞ୍ଜି” ଥିମ୍ ସହିତ ପୂର୍ବରୁ ଅନୁଷ୍ଠିତ ୫ମ ମୁଖ୍ୟ ଶାସନ ସଚିବମାନଙ୍କ ବୈଠକର ପ୍ରସ୍ତାବ କାର୍ଯ୍ୟକାରିତା ସଂପର୍କିତ ଆଲୋଚନା ହେବ ।
ବୈଠକରେ ଓଡ଼ିଶା ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳ ଶାସନ ଓ ବିକାଶମୂଳକ ଉପଲବ୍ଧିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସହିତ ସରକାର ଓ ନାଗରିକଙ୍କ ମଧ୍ୟରେ ସଂଯୋଗକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ ବିଭିନ୍ନ ଜନସମ୍ପର୍କ ଓ ଜନସଂପୃକ୍ତି କାର୍ଯ୍ୟକ୍ରମ ଆୟୋଜନ କରାଯିବା ସଂକ୍ରାନ୍ତରେ ଆଲୋଚନା ହୋଇଥିଲା । ଏ ସଂପର୍କରେ ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ବିସ୍ତୃତ ଉପସ୍ଥାପନ କରିଥିଲେ । ଆଲୋଚନା ଅନୁସାରେ ରାଜ୍ୟ, ଜିଲ୍ଲା, ବ୍ଲକ୍ ଏବଂ ଗ୍ରାମପଞ୍ଚାୟତ ସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସରକାରଙ୍କ ଦୁଇ ବର୍ଷର ସଫଳତା, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ଆଗାମୀ ତିନି ବର୍ଷିଆ ବିକାଶ ରୋଡମ୍ୟାପ୍ ସଂପର୍କରେ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ ।
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ୧୨ ବର୍ଷର ଉଲ୍ଲେଖନୀୟ ଯାତ୍ରାରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଓ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ନେଇ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଶ୍ରୀ ମୋହନ ଚରଣ ମାଝୀ ଜୁନ୍ ୯ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ । ସେହିପରି ମାନ୍ୟବର ମୁଖ୍ୟମନ୍ତ୍ରୀଶ୍ରୀ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାରେ ନୂଆ ସରକାର ଗଠନର୨ ବର୍ଷ ଲୋକାଭିମୁଖୀ ଶାସନର ସଫଳତା ସଂପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରେସ୍ ମିଟ୍ କରିବେ । ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଜୁନ୍ ୨୦ ତାରିଖରେ ରାଇରଙ୍ଗପୁର ଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦୀ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାରୁ ଏ ସଂପର୍କରେବୃହତ୍ ଜନସଂପୃକ୍ତି କାର୍ଯ୍ୟକ୍ରମ ଓ ପ୍ରସ୍ତୁତି ନେଇ ଆଲୋଚନା କରାଯାଇଛି ।ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ନେଇ ଭୁବନେଶ୍ୱରରେ ଜୁନ୍ ୧୨ରୁ ୧୬ ପର୍ଯ୍ୟନ୍ତ ପାଞ୍ଚଦିନିଆପ୍ରଦର୍ଶନୀଆୟୋଜନ ସହ ଜୁନ୍ ୨୧ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେବା ସଂପର୍କରେ ଆଲୋଚନା କରାଯାଇଛି ।ଏଥି ସହିତ ବିଶ୍ୱ ବିଦ୍ୟାଳୟ, ମହାବିଦ୍ୟାଳୟ ଆଦି ଛାତ୍ରଛାତ୍ରୀମାନଙ୍କ ସଂପୃକ୍ତିରେ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯିବା ନେଇ ସ୍ୱତନ୍ତ୍ର ପ୍ରସ୍ତୁତି ହେବ ।
ଜିଲ୍ଲାସ୍ତରରେ “ବିକଶିତ ଓଡ଼ିଶା ପାଇଁ ବିକଶିତ ଭାରତ” ବିଷୟବସ୍ତୁ ଉପରେ ଆଲୋଚନା ଚକ୍ର, ପ୍ରଦର୍ଶନୀ, ପ୍ରକଳ୍ପ ପରିଦର୍ଶନ, ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ ସଫଳତା ସମ୍ପର୍କିତ ବୈଠକ ସହ ଜୈବିକ ଚାଷ ଉପରେ କର୍ମଶାଳା ଆୟୋଜନ କରାଯିବ । ସେହିପରି ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ହେବ । ବ୍ଲକ୍ ସ୍ତରରେ ସପ୍ତାହବ୍ୟାପୀ ପ୍ରଦର୍ଶନୀ, ଗ୍ରାମୀଣ ଭିତ୍ତିଭୂମି ବିକାଶ, ବିଭିନ୍ନ ବିଷୟଭିତ୍ତିକ କାର୍ଯ୍ୟକ୍ରମ ହେବ । ଗ୍ରାମପଞ୍ଚାୟତ ସ୍ତରରେ ସୁଭଦ୍ରା ଶକ୍ତି ସମାବେଶ, ବିଭିନ୍ନ ସରକାରୀ ଯୋଜନାର ସୁବିଧା ବଣ୍ଟନ ଓ ଯୋଜନା ସଂପର୍କରେ ସୂଚନା, ବିଭିନ୍ନ କମ୍ୟୁନିଟି ସେଣ୍ଟରରେ ଆୟୁଷ୍ମାନ ବୟୋ ବନ୍ଦନା ସଦସ୍ୟତା ପଂଜୀକରଣ ଓ ଯୋଜନା ସଂପର୍କିତ ସ୍ୱତନ୍ତ୍ର ସଚେତନତା ଅଭିଯାନ ଆୟୋଜିତ ହେବ । ପଞ୍ଚାୟତ ସ୍ତରରେ ମଧ୍ୟ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଏବଂ ହିତାଧିକାରୀମାନଙ୍କ ସହ ସିଧାସଳଖ ସଂଯୋଗ ସ୍ଥାପନ କରାଯିବ । ସରକାରୀ ଯୋଜନାର ଲାଭ, ଯୋଗ୍ୟତା ଓ ଆବେଦନ ପ୍ରକ୍ରିୟା ସମ୍ପର୍କରେ ପୁସ୍ତିକା ଏବଂ ସୂଚନା ସାମଗ୍ରୀ ବଣ୍ଟନ କରାଯିବ । ବୈଠକରେ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗକୁ ପରସ୍ପର ସମନ୍ୱୟ ରକ୍ଷା କରି କାର୍ଯ୍ୟକ୍ରମଗୁଡ଼ିକର ସଫଳ ଆୟୋଜନ ଓ ବ୍ୟାପକ ଜନସହଭାଗିତା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକରେ ଇନ୍ଧନ ସଂରକ୍ଷଣ ପଦକ୍ଷେପ ସ୍ୱରୂପ ବିଭିନ୍ନ ବିଭାଗମାନଙ୍କରେ ବ୍ୟବହୃତ ହେଉଥିବା ପେଟ୍ରୋଲ୍, ଜିଜେଲ ଗାଡ଼ି ପରିବର୍ତ୍ତେ କିପରି ଇଭି ଯାନ ଭଡ଼ା ସୂତ୍ରରେ ବ୍ୟବହାର ହୋଇପାରିବ, ସେ ସଂପର୍କରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସୂଚନା ଓ ପରାମର୍ଶ ଦେଇଥିଲେ।
ବୈଠକର ପ୍ରାରମ୍ଭରେ କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ “ବିକଶିତ ଓଡ଼ିଶା, କ୍ରିୟାଶୀଳ କଟକ” ଉପରେ ଏକ ବିସ୍ତୃତ ଉପସ୍ଥାପନ କରିଥିଲେ । କଟକର ଗୁରୁତ୍ୱପୂର୍ଣ୍ଣ ଐତିହାସିକ ବାଲିଯାତ୍ରାକୁ ପ୍ରତିବର୍ଷ ଭଲ ଭାବରେ ଆୟୋଜନ କରାଯିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ, ଏଥିରେ ଆନ୍ତର୍ଜାତୀୟ ସ୍ତରର ସହଯୋଗିତା ପ୍ରସଙ୍ଗରେ ସେ ଆଲୋଚନା କରିଥିଲେ । ଏଥି ସହିତ ସେ କଟକରେ ରୂପା ତାରକସି ହବ୍ ର ବିକାଶ, କଟକର ମା’ ଚଣ୍ଡୀ ମନ୍ଦିରର ସମନ୍ୱିତ ବିକାଶ,ଧବଳେଶ୍ଵର ଆଦି ଜିଲ୍ଲାର ବିଭିନ୍ନ ମନ୍ଦିରର ଉନ୍ନତିକରଣ, କଟକ ଗଡଖାଇର ଉନ୍ନତିକରଣ, ଜିଲ୍ଲାରେ ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରର ବିକାଶ, ପ୍ରାଚୀ ନଦୀର ପୁନରୁଦ୍ଧାର, ଟେକ୍ସଟାଇଲ୍ ପାର୍କ, ମାଣିଆବନ୍ଧ ହସ୍ତତନ୍ତ କ୍ଲଷ୍ଟର ବିକାଶ, ଶିଳ୍ପ ପାର୍କ, ଏସସିବି ମେଡିକାଲର ପୁନଃ ବିକାଶ, ଜିଲ୍ଲାର ବିଭିନ୍ନ ଜଳସେଚନ ପ୍ରକଳ୍ପ,ସଡକ ଓ ସେତୁ ଭିତ୍ତିଭୂମି ଆଦି ସଂପର୍କିତ ପ୍ରମୁଖ ୨୫ଟି ପ୍ରକଳ୍ପ ଉପରେ ସେ ଆଲୋଚନା କରିଥିଲେ । ସଂପୃକ୍ତ ବିଭିନ୍ନ ବିଭାଗର ସଚିବମାନେ ସେମାନଙ୍କର ଯୋଗଦାନ ନେଇ ମତ ରଖିଥିଲେ ।
ବୈଠକରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ( ଓଏସ୍ଆରଟିସି)ର ଉଲ୍କେଖନୀୟ ପ୍ରଦର୍ଶନ ଓ ସଫଳତା ସମ୍ପର୍କରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଓଏସ୍ଆର୍ଟିସିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଏନ୍ .ବି.ଏସ୍ ରାଜପୁତ ତଥ୍ୟ ଉପସ୍ଥାପନ କରିଥିଲେ । ( ଓଏସ୍ଆରଟିସି) ଇତି ମଧ୍ୟରେ ବ୍ୟାପକ ସଂସ୍କାର ଓ ଆଧୁନିକୀକରଣ ମାଧ୍ୟମରେ ଜନପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ୧୦୦ ପ୍ରତିଶତ କ୍ୟାଶଲେସ୍ ଟିକେଟିଂ ବ୍ୟବସ୍ଥା, ଆଇଟି–ଆଧାରିତ ପରିଚାଳନା, ଅନ୍ତଃ ରାଜ୍ୟ ସଂଯୋଗର ସମ୍ପ୍ରସାରଣ, ଯାତ୍ରୀ ସେବାର ଗୁଣାତ୍ମକ ଉନ୍ନତି, ଇନ୍ଧନ ସଞ୍ଚୟପଦକ୍ଷେପ ଫଳରେ ନିଗମ ପୂର୍ବରୁ ସହୁଥିବା କ୍ଷତିରୁ ମୁକ୍ତ ହୋଇ ୨୦୨୫–୨୬ ଆର୍ଥିକ ବର୍ଷରେ ଲାଭ କରିଥିବା ଜଣାଯାଇଛି । ଏହା ଜନପରିବହନ କ୍ଷେତ୍ରରେ ଆର୍ଥିକ ସୁଦୃଢ଼ତା ଓ ସୁଶାସନର ଏକ ନୂତନ ଦୃଷ୍ଟାନ୍ତ ସୃଷ୍ଟି କରିଛି । ସେହିପରି, ଅଟଳ ବସ୍ ଷ୍ଟାଣ୍ଡର ବିକାଶ, ଇଲେକ୍ଟ୍ରିକ୍ ଯାନ ଚାର୍ଜିଂ ଭିତ୍ତିଭୂମି ସୃଷ୍ଟି, ସୌର ଶକ୍ତିର ବ୍ୟବହାର ଏବଂ ଇ–ବସ୍ ସେବାର ସମ୍ପ୍ରସାରଣ ମାଧ୍ୟମରେ ଓଏସ୍ଆର୍ଟିସି ଏକ ସ୍ମାର୍ଟ, ସବୁଜ ଓ ସ୍ଥାୟୀ ଜନପରିବହନ ବ୍ୟବସ୍ଥା ଗଠନ ଦିଗରେ ଦୃଢ଼ ପଦକ୍ଷେପ ନେଇଛି । ପରିଚାଳନାଗତ ଦକ୍ଷତା ବୃଦ୍ଧି, ଡିଜିଟାଲ ରୂପାନ୍ତରଣ, ଖର୍ଚ୍ଚ ହ୍ରାସ ଏବଂ ଯାତ୍ରୀ–କୈନ୍ଦ୍ରିକ ସେବା ପ୍ରଦାନ ମାଧ୍ୟମରେ ଓଏସ୍ଆର୍ଟିସି ଆଜି ରାଜ୍ୟର ଜନପରିବହନ ବ୍ୟବସ୍ଥାକୁ ଅଧିକ ଦକ୍ଷ, ଆଧୁନିକ ଓ ଲୋକାଭିମୁଖୀ କରିବାରେ ସଫଳ ହୋଇଛି । ବୈଠକରେ ଓଏସ୍ଆର୍ଟିସିର ପଦକ୍ଷେପକୁ ପ୍ରଶଂସା କରାଯାଇଥିଲା ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଊଷା ପାଢୀଙ୍କ ସମେତ ଅନ୍ୟ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ତଥା ସଂପୃକ୍ତ ବିଭିନ୍ନ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
-0-
ପଠାଣି ରାଉତ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀଙ୍କ ସୌଜନ୍ୟ ରୁ
