ବାରାଣସେୟ ଉତ୍କଳ ସମାଜ ପକ୍ଷରୁ କାର୍ତ୍ତିକ ପୂର୍ଣ୍ଣିମା ପାଳନ

ବାରାଣସୀ/ ଭୁବନେଶ୍ୱର, ୨୪/୧୧/୨୦୨୬ (ଓଡ଼ିଶା ସମାଚାର)- ନୌବାଣିଜ୍ୟର ଆଦ୍ୟପର୍ବରେ ଓଡ଼ିଆ ବଣିକମାନେ ଇତିହାସ ପୃଷ୍ଠାରେ ରଚିଥିଲେ ସ୍ୱର୍ଣ୍ଣିମ ଅଧ୍ୟାୟ । ଜାଭା, ସୁମାତ୍ରା,ବାଲି ରେ ନୌବାଣିଜ୍ୟର ମୂଳଦୁଆ ସ୍ଥାପନ କରି ଭାରତର ବୈଦେଶିକ ବ୍ୟାପାରକୁ ଦେଇଥିଲେ ନୂଆ ଏକ ଦିଗ ।

ଏହି ଗୌରବମୟ ଇତିହାସ ଏବଂ ଐତିହପୂର୍ଣ୍ଣ ସଂସ୍କୃତିର ମୂକସାକ୍ଷୀ କାର୍ତ୍ତିକ ପୂର୍ଣ୍ଣିମାକୁ ପ୍ରବାସୀ ଓଡ଼ିଆ ସଂଗଠନ ବାରାଣସେୟ ଉତ୍କଳ ସମାଜ ପକ୍ଷରୁ ଉତ୍ସାହପୂର୍ଣ୍ଣ ପରିବେଶରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ (ବି.ଏଚ.ୟୁ) ପାଳନ କରାଯାଇଛି ।

କାର୍ତ୍ତିକ ପୂର୍ଣ୍ଣିମାର ପ୍ରାତଃରୁ ଛାତ୍ରଛାତ୍ରୀ ଏବଂ ଓଡିଆ ସମ୍ପ୍ରଦାୟର ସଦସ୍ୟମାନେ ଏକାଠି ହୋଇ ତୁଳସୀ ଚଊଁରା ସାମ୍ନାରେ ସୁନ୍ଦର ରଙ୍ଗୋଲି ବନେଇବା ସହିତ ପାରମ୍ପରିକ ରୀତିରେ ପୂଜା ଆରମ୍ଭ ହୋଇଥିଲା ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ସୁସଜ୍ଜିତ ବୋଇତକୁ ବନ୍ଦାପନା କରି ଭାରତୀୟ ପ୍ରଯୁକ୍ତି ବିଦ୍ୟା ଅନୁଷ୍ଠାନ (ବି.ଏଚ. ୟୁ) ସ୍ଥିତ ପୁଷ୍କରିଣୀରେ ଭସାଇ ଆ କା ମା ବୈ ଗାଇବା ସହ ଆହେ ଦୟାମୟ ବିଶ୍ୱ ବିହାରୀ ପ୍ରାର୍ଥନା କରି ଓଡିଶାର ଗୌରବମୟ ସାମୁଦ୍ରିକ ଇତିହାସକୁ ସ୍ମରଣ କରିଥିଲେ ।

ବନ୍ଦାପନା କରାଯାଇଥିବା ସୁନ୍ଦର ବୋଇତର ଡିଜାଇନ ଅନିର୍ବାଣ, ବିନୀତ, ଅଭିଜିତ, ନିମାଇଁ, ବିକାଶ, ଶ୍ରଦ୍ଧା, ଜୋତି, ମୁନମୁନ, କ୍ରିଷ୍ଣା, ପ୍ରତୀକ୍ ଏବଂ ଝୁନାରାଣୀ ଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା, ଯାହା ସେମାନଙ୍କର କଳାତ୍ମକ ଶକ୍ତି ପ୍ରଦର୍ଶନ କରିଥିଲା ।

ବାରାଣସୀରେ ଓଡିଆ ସମ୍ପ୍ରଦାୟର ଏକତା ଏବଂ ଆତ୍ମାକୁ ଦର୍ଶାଇ ବି.ଏଚ.ୟୁ ରୁ ବିଭିନ୍ନ ବିଭାଗର ପ୍ରତିନିଧିତ୍ୱ କରୁଥିବା ୨୦୦ ରୁ ଅଧିକ ଓଡିଆ ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନେ ଏହି ଉତ୍ସବରେ ଉଲ୍ଲେଖନୀୟ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *