ରଘୁନାଥପୁର, ୩୧/୦୧/୨୦୨୬ (ଓଡ଼ିଶା ସମାଚାର)- ଭାଗବତ ଟୁଙ୍ଗି ଓଡ଼ିଆ ଜାତିର ଆଧ୍ୟାତ୍ମିକ ଓ ସାମାଜିକ ମାର୍ଗଦର୍ଶନର କେନ୍ଦ୍ରବିନ୍ଦୁ ବୋଲି ବ୍ରାହ୍ମଣଖଣ୍ଡ ଗ୍ରାମର ପ୍ରସିଦ୍ଧ ସାଧୁବଟ ଗୋମତି ଆଶ୍ରମରେ ୮ଦିନ ଧରି ଚାଲିଥିବା ଦ୍ୱାଦଶ ଲୀଳାକୁଞ୍ଜ ଶ୍ରୀମଦ୍ ଭାବଗତ ସପ୍ତାହ, ଭକ୍ତି ମହାଯଜ୍ଞ ଓ ଶ୍ରୀହରି ନାମ ସଂକୀର୍ତନ ମହୋତ୍ସବର ଗୋମତୀ ଆଶ୍ରମର ପୀଠାଧିଶ ବାବାଜୀ ଅକ୍ଷୟ ଦେବଦାସ ମହାରାଜ ପୌରହିତ୍ୟ କରି ଏହା କହିଥିଲେ । ଶ୍ରୀ ଦେବଦାସ ଆହୁରି କହିଲେ ଯେ ଭାଗବତ ଟୁଙ୍ଗୀ ପୂର୍ବେ ଗ୍ରାମନ୍ୟାୟାଳୟ ଭଳି କାର୍ଯ୍ୟ କରୁଥିଲା । ଯୁଗ ଯୁଗ ଧରି ଓଡିଶାର ପୁରପଲ୍ଲୀରେ ପରମଶାସ୍ତ୍ର ଭାଗବତ ଭାଗବତ ଗାଦି ରୂପରେ ପୂଜାପାଇ ଆସୁଛନ୍ତି ଏବଂ ଭାଗବତ ଯିଏ ପଢ଼େ, ଯିଏ ଶୁଣେ, ଯିଏ କହେ ସେମାନେ ମୁକ୍ତି ହୋଇଥାଆନ୍ତି ଓ ଭାଗବତ ହେଉଛି ଜ୍ଞାନ, ଭକ୍ତି ବୈରାଗ୍ୟର ଶାସ୍ତ୍ରବୋଲି କହିଥିଲେ ।
ଏଥିରେ ବାବାଜୀ ରାଇଚରଣ ଦାସ ମହାରାଜ ମୁଖ୍ୟବକ୍ତାଭାବେ ଯୋଗଦେଇ ଯୁଗ ଯୁଗ ଧରି ଓଡ଼ିଶା ସମେତ ଭାରତ ବର୍ଷର ପୂରପଲ୍ଲୀରେ ପରମଶାସ୍ତ୍ର ଭାଗବତକୁ କୋଟି କୋଟି ନରନାରୀ ପଠନ କରିବା ସହିତ ଭାଗବତର ନିତୀ ଉପଦେଶକୁ ମାନିଚାଲିଛନ୍ତି ବୋଲି କହିଛନ୍ତି । ଏଥିରେ ଅନ୍ୟତମ ବକ୍ତା ଭାବେ ବାବାଜୀ ନୀଳାଚଳ ଦାସ ମହାରାଜ ଯୋଗଦେଇ ଓଡିଆ ଭାଷାରେ ଜଗନ୍ନାଥ ଦାସ ୧୬୯୦ ରୁ ୧୫୪୭ ମଧ୍ୟରେ ଭାଗବତ ନବାକ୍ଷରୀ ବୃତରେ ରଚନା କରିଛନ୍ତି । ଭାଗବତ ହେଉଛି ସନାତନ ହିନ୍ଦୁ ଧର୍ମର ଅନ୍ୟତ୍ରମ ପବିତ୍ର ଗ୍ରନ୍ଥ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଆଜି ଶ୍ରୀକୃଷ୍ଣ ଜନ୍ମଉତ୍ସବ ମହାସମାରୋହରେ ପାଳନ ହୋଇଥିଲା । ଆଶ୍ରମ ପରିସରରେ ଓଡ଼ିଶା ଓ ପଶ୍ଚିମବଙ୍ଗରୁ ପ୍ରାୟ ପାଂଚହଜାର ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବାବାଜୀ ପ୍ରଣବଦାସ ମହାରାଜ, ବାବାଜୀ ଶ୍ରୀନିବାସ ଦାସ ମହାରାଜ, ବାବାଜୀ ନିମାଇଁ ଚରଣ ଦାସ ମହାରାଜ, ବାବାଜୀ ବୈଷ୍ଣବ ଚରଣ ଦାସ ମହାରାଜ, ବାବାଜୀ ନରହରି ଦାସ ମହାରାଜ, ବାବାଜୀ ଗଦାଧର ଦାସ ମହାରାଜ, ବାବଜୀ ଉଦ୍ଧବ ଦାସ ମହାରାଜ, ବାବାଜୀ ମନମୋହନ ଦାସ ମହାରାଜ ଓ ସାଧୁସନ୍ଥମାନେ ପରିଚାଳନା କରିଥିଲେ ।
