ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ଓଡ଼ିଶା ରକ୍ତ ଭଣ୍ଡାର ପରିଚାଳନା କମିଟି ବୈଠକ ଅନୁଷ୍ଠିତ

ରୋଗୀଙ୍କୁ ସେବା କରିବାର ମାନସିକତା ରହିବା ନିହାତି ଆବଶ୍ୟକ: ଜିଲ୍ଲାପାଳ

ଜିଲ୍ଲାରେ ବାର୍ଷିକ ୧୪ରୁ ୧୫ ହଜାର ୟୁନିଟ୍ ରକ୍ତ ସଂଗ୍ରହ; ନୂତନ କୋଠାକୁ ସ୍ଥାନାନ୍ତର ଓ ବିଏସ୍‌ସିୟୁ ପ୍ରତିଷ୍ଠା ନେଇ ଆଲୋଚନା

ଯାଜପୁର,୨୧/୧୧/୨୦୨୬(ଓଡ଼ିଶା ସମାଚାର)– ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଓଡ଼ିଶା ରକ୍ତ ଭଣ୍ଡାରର ପରିଚାଳନା କମିଟି ବୈଠକ ଆଜି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରକ୍ତ ଭଣ୍ଡାରର ସାମଗ୍ରିକ କାର୍ଯ୍ୟକାରିତା, କର୍ମଚାରୀ ସ୍ଥିତି, ରକ୍ତ ସଂଗ୍ରହ ଓ ବିତରଣ ଏବଂ ଆଗାମୀ ଦିନର ଭିତ୍ତିଭୂମି ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ବୈଠକରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଯାଜପୁର ଜିଲ୍ଲାର ବାର୍ଷିକ ରକ୍ତ ଆବଶ୍ୟକତା ୧୦,୬୭୬ ୟୁନିଟ୍ ରହିଥିବା ବେଳେ ଜିଲ୍ଲାରେ ବାର୍ଷିକ ୧୪,୦୦୦ ରୁ ୧୫,୦୦୦ ୟୁନିଟ୍ ପର୍ଯ୍ୟନ୍ତ ରକ୍ତ ସଂଗ୍ରହ କରାଯାଉଛି। ଚଳିତ ୨୦୨୬ ବର୍ଷରେ ଏପର୍ଯ୍ୟନ୍ତ ୧୦୮ଟି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ରକ୍ତ ଭଣ୍ଡାର ପକ୍ଷରୁ ରୋଗୀଙ୍କୁ ମାଗଣାରେ ନିରାପଦ ରକ୍ତ ଯୋଗାଣ ସମେତ ବ୍ଲଡ୍ ଗ୍ରୁପିଂ, କ୍ରସ୍ ମ୍ୟାଚିଂ, ଏଲିସା (ELISA) ପରୀକ୍ଷା, ମ୍ୟାଲେରିଆ ଓ ସିଫିଲିସ୍ ପରୀକ୍ଷା ଏବଂ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଜାରି ରହିଥିବା ସୂଚନା ଦିଆଯାଇଥିଲା। ଏହି ଅବସରରେ ଲୋକମାନେ ଯେପରି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସିବେ, ସେଥିପାଇଁ ସଠିକ୍ ବାର୍ତ୍ତା ପ୍ରଚାର କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ଏଥିସହ ୨୦୨୪ ଓ ୨୦୨୫ ବର୍ଷର ସ୍ୱେଚ୍ଛାକୃତ ବନାମ ରିପ୍ଲେସମେଣ୍ଟ ରକ୍ତ ସଂଗ୍ରହ, ରକ୍ତ ନଷ୍ଟ ହାର, ସରକାରୀ ଓ ବେସରକାରୀ ହସ୍ପିଟାଲକୁ ରକ୍ତ ଯୋଗାଣ ଏବଂ ବିଭିନ୍ନ ବର୍ଗର ରକ୍ତ ଆବଶ୍ୟକତା ଉପରେ ସମୀକ୍ଷା କରାଯାଇଥିଲା। ଜରୁରୀକାଳୀନ ପରିସ୍ଥିତି ପାଇଁ ପୂର୍ବ ପ୍ରସ୍ତୁତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିବା ସହ ବିରଳ ବର୍ଗର ରକ୍ତ ୟୁନିଟ୍‌ଗୁଡ଼ିକର ସଠିକ୍ ତାଲିକା ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ରକ୍ତ ଭଣ୍ଡାରର ୨୦୨୪, ୨୦୨୫ ଏବଂ ୨୦୨୬ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଆୟ-ବ୍ୟୟର ହିସାବ ସମୀକ୍ଷା କରାଯାଇ ବଳକା ଅର୍ଥକୁ ଦୀର୍ଘକାଳୀନ ସ୍ଥାୟୀ ଜମା (Fixed Deposit) ଭାବେ ବିନିଯୋଗ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ବୈଠକରେ ପୂର୍ବ ବୈଠକର ନିଷ୍ପତ୍ତିଗୁଡ଼ିକର କାର୍ଯ୍ୟକାରିତା ସମୀକ୍ଷା କରାଯିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ସେଗୁଡ଼ିକ ମଧ୍ୟରେ ଆବଶ୍ୟକୀୟ ମାନବସମ୍ବଳ ନିଯୁକ୍ତି, ନୂତନ ଯନ୍ତ୍ରପାତି, ରେଫ୍ରିଜରେଟର ଓ ଭ୍ୟାନ୍ କ୍ରୟ, ପୁରୁଣା ଡାୟାଲିସିସ୍ କୋଠାକୁ ରକ୍ତ ଭଣ୍ଡାର ସ୍ଥାନାନ୍ତର, ବ୍ଲଡ୍ କମ୍ପୋନେଣ୍ଟ ସେପାରେସନ୍ ୟୁନିଟ୍ (BSCU) ପ୍ରତିଷ୍ଠା ଏବଂ ନୂତନ ପରିଚାଳନା କମିଟି ଗଠନ ଅନ୍ତର୍ଭୁକ୍ତ। ଅଡିଟ୍ ପାଇଁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ନିଯୁକ୍ତି ନିମନ୍ତେ ସରକାରୀ ନିୟମାବଳୀ ଅନୁଯାୟୀ ସୁପାରିଶ କରିବାକୁ ଡିଏଏମ୍ (DAM) ଓ ଅର୍ଥ ଅଧିକାରୀଙ୍କୁ ନେଇ ଏକ ଯାଞ୍ଚ କମିଟି ଗଠନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହାବ୍ୟତୀତ କଟକ କେନ୍ଦ୍ରୀୟ ରକ୍ତ ଭଣ୍ଡାରର ଦରକୁ ଦୃଷ୍ଟିରେ ରଖି ବେସରକାରୀ ରକ୍ତ ଭଣ୍ଡାରଗୁଡ଼ିକ ପାଇଁ ୟୁନିଟ୍ ପିଛା ରକ୍ତର ମୂଲ୍ୟ ୫୦୦ ଟଙ୍କା ଧାର୍ଯ୍ୟ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ପରିଶେଷରେ ଜିଲ୍ଲାପାଳ ଶ୍ରୀ କର ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, “ରୋଗୀଙ୍କୁ ସେବା କରିବାର ମାନସିକତା ରହିବା ନିହାତି ଆବଶ୍ୟକ।” ଏହି ବୈଠକରେ କମିଟିର ଉପାଧ୍ୟକ୍ଷ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (CDMO) ଡା. ନାଗେନ୍ଦ୍ରନାଥ ମହାପାତ୍ରଙ୍କ ସମେତ ପରିଚାଳନା କମିଟିର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *