ମଡେଲ ଶିକ୍ଷାଦାନ ପାଇଁ ଗଠନ ହେବ ‘ସୁପର ସର୍କଲ’, ଡିସେମ୍ବର ଓ ଫେବୃଆରୀରେ ହେବ ୩ ଦିନିଆ କର୍ମଶାଳା
‘ପ୍ରୟାସ’ ଓ ‘ନିପୁଣ ବିଦ୍ୟାଳୟ’ କାର୍ଯ୍ୟକ୍ରମର ସମୀକ୍ଷା ସହ ଡ୍ରପ୍-ଆଉଟ୍ ପିଲାଙ୍କୁ ନିଯୁକ୍ତି ସୁଯୋଗ ଦେବାକୁ ଆଲୋଚନା
ଯାଜପୁର,୨୧/୧୧/୨୦୨୬(ଓଡ଼ିଶା ସମାଚାର) –ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ୨୦୨୬-୨୭ ଶିକ୍ଷାବର୍ଷର ପ୍ରଥମ ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ (DPMU) ଏଫ୍.ଏଲ୍.ଏନ୍. (FLN) ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (FLN) କାର୍ଯ୍ୟକ୍ରମ ଏବଂ ଏହାର ଆଗାମୀ କାର୍ଯ୍ୟଖସଡ଼ା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।
ବୈଠକରେ ସି.ଆର୍.ସି.ସି. (CRCC) ଏବଂ ଡାଏଟ୍ (DIET) ଅଧ୍ୟାପକମାନଙ୍କ ଦ୍ୱାରା ହେଉଥିବା ଶୈକ୍ଷିକ ତଦାରଖ ଯଥା ଶ୍ରେଣୀଗୃହ ପର୍ଯ୍ୟବେକ୍ଷଣ (COT), ସ୍ପଟ୍ (SPOT) ଏବଂ ଏମ୍.ସି.ଏମ୍. (MCM) ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମଡେଲ-ଆଧାରିତ ଶିକ୍ଷାଦାନ ଦେବା ପାଇଁ ବି.ଇ.ଓ. (BEO) ଏବଂ ସି.ଆର୍.ସି.ସି.ମାନେ ବ୍ଲକ୍ ସ୍ତରରେ ସର୍ବୋତ୍ତମ ଶିକ୍ଷକମାନଙ୍କୁ ଚିହ୍ନଟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଚୟନିତ ଶିକ୍ଷକମାନଙ୍କୁ ‘ସୁପର ସର୍କଲ’ରେ ସାମିଲ କରାଯାଇ ମଡେଲ ଶିକ୍ଷାଦାନର ଦାୟିତ୍ୱ ଦିଆଯିବ ଏବଂ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଏକ ସରକାରୀ ନାମ ଦିଆଯିବ। ଏକ ସୁସ୍ଥ ତୁଳନାତ୍ମକ ଅଧ୍ୟୟନ ପାଇଁ ଅନ୍ୟ ଜିଲ୍ଲାର ଶ୍ରେଷ୍ଠ ଶିକ୍ଷକମାନଙ୍କୁ ନିମନ୍ତ୍ରଣ କରାଯାଇ ଡିସେମ୍ବର ଏବଂ ବାର୍ଷିକ ପରୀକ୍ଷା ପୂର୍ବରୁ ଫେବୃଆରୀ ମାସରେ ଦୁଇଟି ୩ ଦିନିଆ କର୍ମଶାଳା ଆୟୋଜନ କରିବାକୁ ସ୍ଥିର ହୋଇଛି। ଏ ସମ୍ପର୍କରେ ଜିଲ୍ଲାପାଳ କହିଥିଲେ, “ଆମ ଶିକ୍ଷକମାନଙ୍କୁ ତଦାରଖ ପ୍ରକ୍ରିୟାରେ ଦକ୍ଷ କରିପାରିଲେ ନିଶ୍ଚିତ ଭାବେ ଭଲ ଫଳାଫଳ ମିଳିବ ଏବଂ ଏହା ଶିକ୍ଷା ବ୍ୟବସ୍ଥା ଉପରେ ସାମଗ୍ରିକ ପ୍ରଭାବ ପକାଇବ।”
ଏହା ସହିତ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ଉଲ୍ଲେଖନୀୟ ଅବଦାନ ରଖିଥିବା ପ୍ରାଥମିକ ବିଦ୍ୟାଳୟର ବଛା ବଛା ଶିକ୍ଷକମାନଙ୍କୁ ପୁରସ୍କୃତ କରାଯିବା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ବିଦ୍ୟାଳୟରେ ପିଲାଙ୍କ ଉପସ୍ଥାନ ଉପରେ ଗୁରୁତ୍ୱ ଦେଇ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ ଯେ, “ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହିଁ ମୁଖ୍ୟ ଲକ୍ଷ୍ୟ, ଶିକ୍ଷାଦାନ ଏହାର ଏକ ଆନୁଷଙ୍ଗିକ ଫଳ।” ବୈଠକରେ ‘ଶିକ୍ଷଣ ସୋପାନ ରେଜିଷ୍ଟର’ ଆଧାରରେ ପିଲାଙ୍କ ଶିକ୍ଷଣ ଫଳାଫଳ, ସ୍ପଟ୍ ମୂଲ୍ୟାଙ୍କନ ଭିତ୍ତିରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଦକ୍ଷତା, ଶିକ୍ଷଣ ଅଭାବ ଦୂର କରିବା ପାଇଁ ପ୍ରତିକାରାତ୍ମକ ଶିକ୍ଷାଦାନ (ରେମେଡିଏସନ୍) ଏବଂ ନିପୁଣ ବିଦ୍ୟାଳୟ ମୂଲ୍ୟାଙ୍କନ ଉପରେ ସମୀକ୍ଷା କରାଯାଇଥିଲା।
ଆଗାମୀ କାର୍ଯ୍ୟପନ୍ଥା ଅନୁଯାୟୀ, ରାଜ୍ୟ ସରକାରଙ୍କ ପ୍ରାଥମିକତା ଏଜେଣ୍ଡା ‘ପ୍ରୟାସ’ ଅଧୀନରେ ଶିକ୍ଷଣ ସ୍ତରର ତଥ୍ୟକୁ ନିୟମିତ ସମୀକ୍ଷା କରାଯିବ। ସି.ଓ.ଟି. (COT) ଏବଂ ସ୍ପଟ୍ (SPOT) ମୂଲ୍ୟାଙ୍କନର ଗୁଣବତ୍ତା ବୃଦ୍ଧି କରିବା ସହ ନିପୁଣ ବିଦ୍ୟାଳୟ ମୂଲ୍ୟାଙ୍କନକୁ ସୁଚାରୁରୂପେ ପରିଚାଳନା କରିବାକୁ ନିଷ୍ପତ୍ତି ନିଆଯାଇଛି। ଚିହ୍ନଟ ହୋଇଥିବା ଶିକ୍ଷଣ ଅଭାବକୁ ଆଧାର କରି ଡାଏଟ୍ (DIET) ସହ ସମନ୍ୱୟ ରକ୍ଷା କରି ତୁରନ୍ତ ପ୍ରତିକାରାତ୍ମକ ଯୋଜନା ପ୍ରସ୍ତୁତ କରାଯିବ। ଏହାସହ ନିପୁଣ ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବେସ୍ଲାଇନ୍ ମୂଲ୍ୟାଙ୍କନ କରାଯିବା ସହିତ ସର୍ଭେ ପ୍ରସ୍ତୁତି ପାଇଁ ସମସ୍ତ ସି.ଆର୍.ସି.ସି. ଏବଂ ଛାତ୍ର ଶିକ୍ଷକ (Pupil Teacher)ମାନଙ୍କୁ ତାଲିମ ପ୍ରଦାନ କରାଯିବ।
ବୈଠକର ଅନ୍ତିମ ପର୍ଯ୍ୟାୟରେ ବିଦ୍ୟାଳୟ ତ୍ୟାଗ କରିଥିବା (ଡ୍ରପ୍-ଆଉଟ୍) ପିଲାଙ୍କ ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଗ୍ରାମୱାରୀ ସେମାନଙ୍କ ସଂଖ୍ୟା ଆକଳନ କରାଯିବା ପରେ ଉପଲବ୍ଧ ପାଣ୍ଠିର ବିନିଯୋଗ କରି ସ୍ୱତନ୍ତ୍ର ଶିବିର ମାଧ୍ୟମରେ ଡ୍ରପ୍-ଆଉଟ୍ ପିଲାଙ୍କୁ ଚିହ୍ନଟ କରାଯିବ ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ ଦକ୍ଷ ଓ ଅଦକ୍ଷ ନିଯୁକ୍ତି ସୁଯୋଗ ଯୋଗାଇ ଦେବାକୁ ଆଲୋଚନା କରାଯାଇଥିଲା ।
ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ (CDO-cum-EO) ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମହେଶ୍ୱର ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO) ଶ୍ରୀମତୀ ପାର୍ବତୀ ସାହୁ, ଯାଜପୁର ବି.ଇ.ଓ. (BEO) ଡ. ଅଭିମନ୍ୟୁ ସେଠୀଙ୍କ ସମେତ ସି.ଡି.ପି.ଓ. (CDPO), ପ୍ରଧାନଶିକ୍ଷକ, ଡାଏଟ୍ (DIET)ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
