ଆସନ୍ତା ୪ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ; ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ସହ ବିପଦସଙ୍କୁଳ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ଚିହ୍ନଟ ପାଇଁ ନିର୍ଦ୍ଦେଶ
ବୈତରଣୀ ନଦୀର ଜଳସ୍ତର ଉପରେ କଡ଼ା ନଜର; ଆସନ୍ନ ପ୍ରସବାଙ୍କ ସ୍ଥାନାନ୍ତର, ପାନୀୟ ଜଳ ଓ ଉଦ୍ଧାରକାରୀ ଦଳ ସଜାଗ
ଯାଜପୁର, ୧୯/୧୧/୨୦୨୬(ଓଡ଼ିଶା ସମାଚାର) – ଆଗାମୀ ସମ୍ଭାବ୍ୟ ବାତ୍ୟା ‘ଆକଭାନ୍‘ (AKVAN) ପ୍ରଭାବରେ ନଭେମ୍ବର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ହେବାକୁ ଥିବା ସମ୍ଭାବ୍ୟ କ୍ଷୟକ୍ଷତିର ମୁକାବିଲା ପାଇଁ ଆଜି ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚୁଆଲ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର ହେବାକୁ ଥିବା ବିଦ୍ୟାଳୟଗୁଡ଼ିକୁ ଚିହ୍ନଟ କରି ତାର ତାଲିକା ଶିକ୍ଷକ ଓ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ଦେବା ସହ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ବ୍ୟବହାର ନକରି ତୁରନ୍ତ ଜିଲ୍ଲାପାଳଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବା ସହ ଏ ସମ୍ପର୍କିତ ସୂଚନା ସାଧାରଣ ଜନତା ଏବଂ ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ତୁରନ୍ତ ଅବଗତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈତରଣୀ ନଦୀର ଜଳସ୍ତର ଉପରେ ନିୟମିତ ନଜର ରଖିବା ସହ ବିପର୍ଯ୍ୟୟ ପରିଚାଳନା ଗ୍ରୁପରେ ତଥ୍ୟ ଦେବାକୁ କୁହାଯାଇଛି। ଜରୁରୀକାଳୀନ ପରିସ୍ଥିତିରେ ଆସନ୍ନ ପ୍ରସବା ମହିଳାମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିବା ପାଇଁ ସେମାନଙ୍କ ତାଲିକା ପ୍ରସ୍ତୁତ ରଖିବା ଏବଂ ସାପ କାମୁଡ଼ା ଔଷଧ (ଆଣ୍ଟି–ଭେନମ୍) ମହଜୁଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗକୁ ପରାମର୍ଶ ଦିଆଯାଇଛି।
ପ୍ରତି ବ୍ଲକରେ ବିଡିଓ ଏବଂ ତହସିଲଦାରଙ୍କ ତତ୍ତ୍ୱାବଧାନରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ କରିବା ସହ ଆସନ୍ତା ୪ ଦିନ ପର୍ଯ୍ୟନ୍ତ କ୍ଷେତ୍ର ପରିଦର୍ଶନ କରି ନିୟମିତ ରିପୋର୍ଟ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଆଶ୍ରୟସ୍ଥଳୀଗୁଡ଼ିକରେ ଶୌଚାଳୟ ସଫା ରଖିବା, ଜଳ ନିଷ୍କାସନ ବ୍ୟବସ୍ଥା ଠିକ୍ କରିବା ଏବଂ ପାନୀୟ ଜଳ ଆଗୁଆ ମହଜୁଦ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହା ବ୍ୟତୀତ ଗୃହପାଳିତ ପଶୁମାନଙ୍କ ପାଇଁ ଗୋଖାଦ୍ୟ ମହଜୁଦ ରଖିବା ସହ ପ୍ରାଣୀ ଚିକିତ୍ସା ଦଳ, ଟେଲିଫୋନ୍ ଓ ଯୋଗାଯୋଗ ବ୍ୟବସ୍ଥା ସଜାଡ଼ିବା ପାଇଁ ଟେକ୍ନିକାଲ୍ ଟିମ୍, ରାସ୍ତାରୁ ଗଛ କାଟି ସଫା କରିବା ପାଇଁ ଟିମ୍ ଏବଂ ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ଏକ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳକୁ ସମ୍ପୂର୍ଣ୍ଣ ସଜାଗ ରଖାଯାଇଛି।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ କର ସମସ୍ତ ଅଧିକାରୀଙ୍କୁ ବାର୍ତ୍ତା ଦେଇ କହିଛନ୍ତି ଯେ, ଆସନ୍ତା ୪ ଦିନ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସତର୍କ ରହିବାର ସମୟ। ସାଧାରଣ ଜନତା ପ୍ରଶାସନ ଉପରେ ଭରସା ରଖିଛନ୍ତି, ତେଣୁ ଦଳଗତ ଭାବେ ସୁସମନ୍ୱୟ ଓ ସଚେତନତା ରକ୍ଷା କରି ନିଷ୍ଠାର ସହ ଲୋକଙ୍କୁ ସେବା ଯୋଗାଇ ଦେବାକୁ ସେ ଆହ୍ୱାନ ଦେଇଛନ୍ତି। ଆଜିର ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଯୁଧିଷ୍ଠିର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶିବାନନ୍ଦ ସ୍ୱାଇଁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀଙ୍କ ସମେତ ସମସ୍ତ ବିଡିଓ, ତହସିଲଦାର ଏବଂ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।
-0-
ଅଭିନାଶ ସାଗର ,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଯାଜପୁର ଙ୍କ ସୌଜନ୍ୟ ରୁ
