ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଓ ଲିଙ୍ଗଭିତ୍ତିକ ହିଂସା ବିରୋଧୀ ଅଭିଯାନ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

୨୦୨୬–୨୭ ଆର୍ଥିକ ବର୍ଷରେ ୫୭ଟି ବିବାହ ଲକ୍ଷ୍ୟ ପୂରଣ ଏବଂ ତୃଣମୂଳ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ସଫଳ କରିବାକୁ ନିର୍ଦ୍ଦେଶ

 ଯାଜପୁର,୧୯/୧୧/୨୦୨୬(ଓଡ଼ିଶା ସମାଚାର) – ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଏବଂ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ସଚେତନତା ଅଭିଯାନର ପୂର୍ବ ପ୍ରସ୍ତୁତି ନିମନ୍ତେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ମିଶନ ଶକ୍ତିର ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବୈଠକରେ ୨୦୨୬–୨୭ ଆର୍ଥିକ ବର୍ଷ ପାଇଁ ଯାଜପୁର ଜିଲ୍ଲାକୁ ଦିଆଯାଇଥିବା ୫୭ଟି ବିବାହ ଲକ୍ଷ୍ୟକୁ ସର୍ବାଧିକ ପ୍ରାଥମିକତା ଦେଇ ପୂରଣ କରିବା ସହ ୧୬ ଦିନିଆ ଲିଙ୍ଗଭିତ୍ତିକ ହିଂସା ବିରୋଧୀ ଅଭିଯାନକୁ ତୃଣମୂଳ ସ୍ତରରେ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସମ୍ପର୍କିତ ପ୍ରମୁଖ ନିଷ୍ପତ୍ତି :

ବୈଠକରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାକୁ ସୁଚାରୁ ରୂପେ କାର୍ଯ୍ୟକାରୀ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସମସ୍ତ ସିଡିପିଓ ତୁରନ୍ତ ଯୋଗ୍ୟ ଦମ୍ପତିମାନଙ୍କୁ ଚିହ୍ନଟ ଓ ଯାଞ୍ଚ କରିବେ ଏବଂ ସରକାରୀ ମାର୍ଗଦର୍ଶିକା ଅନୁଯାୟୀ ଯେପରି କୌଣସି ଅଯୋଗ୍ୟ ହିତାଧିକାରୀ ତାଲିକାରେ ସାମିଲ ନ ହୁଅନ୍ତି, ସେଥିପ୍ରତି କଡ଼ା ଦୃଷ୍ଟି ଦେବେ। ପ୍ରକଳ୍ପୱାରୀ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯିବ। ଯୋଜନାର ଦୁଇ କାର୍ଯ୍ୟକାରୀ ସଂସ୍ଥା ‘ୟୁଥ୍ ରୁରାଲ୍ ଡେଭଲପମେଣ୍ଟ‘ (Youth Rural Development) ଏବଂ ‘ନିସ୍ୱ‘ (NISW) ସିଡିପିଓମାନଙ୍କ ସହ ସମନ୍ୱୟ ରଖି ହିତାଧିକାରୀଙ୍କୁ ଏକତ୍ରିତ କରିବା ସହ ତୃଣମୂଳ ସ୍ତରରେ ସଚେତନତା ଓ ପରାମର୍ଶ କାର୍ଯ୍ୟକ୍ରମ କରିବେ ଏବଂ ନିୟମିତ ଭାବେ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରିବେ।

୧୬ ଦିନିଆ ସଚେତନତା ଅଭିଯାନର କାର୍ଯ୍ୟସୂଚୀ :

 ଆସନ୍ତା ନଭେମ୍ବର ୨୫ ତାରିଖରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ “ପ୍ରତ୍ୟେକ ମହିଳାଙ୍କ ପାଇଁ ନ୍ୟାୟ” ବାର୍ତ୍ତା ନେଇ ଜିଲ୍ଲାରେ ଏହି ୧୬ ଦିନିଆ ଅଭିଯାନ ଅନୁଷ୍ଠିତ ହେବ। ଜିଲ୍ଲାର ବିଭିନ୍ନ ବ୍ଲକ, ପୌରାଞ୍ଚଳ, ପଞ୍ଚାୟତ, ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଛାତ୍ରୀନିବାସଗୁଡ଼ିକରେ ସଚେତନତା ଶିବିର, ଶୋଭାଯାତ୍ରା ଓ ଆଲୋଚନାଚକ୍ର ମାଧ୍ୟମରେ ଘରୋଇ ହିଂସା, ଯୌତୁକ ନିର୍ଯାତନା, ବାଲ୍ୟ ବିବାହ, କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ଓ ସାଇବର ଅପରାଧ ରୋକିବା ସହ ମହିଳାଙ୍କ ଆଇନଗତ ଅଧିକାର, ଆର୍ଥିକ ସ୍ୱାବଲମ୍ବୀତା ଏବଂ ହେଲ୍ପଲାଇନ ନମ୍ବର (୧୫୧୦୦, ୧୯୩୦) ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯିବ।

ଏହି ବୈଠକରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର (DLSA) ସଚିବ, ପ୍ରକଳ୍ପ ଅଧିକାରୀ (PO), ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (DSSO), ଜିଲ୍ଲା ମଙ୍ଗଳ ଅଧିକାରୀ (DWO), ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (DIPRO), ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ବାଲ୍ୟ ବିବାହ ନିଷେଧ ଅଧିକାରୀ, ମିଶନ ଶକ୍ତି କର୍ମୀ, ମହିଳା ସୁପରଭାଇଜର (LS) ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

 

Leave a Reply

Your email address will not be published. Required fields are marked *