ସ୍ତ୍ରୀ ହେମଦସ୍ତା ପୁଆ ମାଡ଼ରେ ସ୍ୱାମୀର ମୃତ୍ୟୁ, ଗାତ ଖୋଳି ଘର ଭିତରେ ପୋତିଥିଲା ସ୍ତ୍ରୀ

                                                    ହତ୍ୟା ର୧୦ ଦିନ ପରେ  ପର୍ଦ୍ଧାଫାଶ

ନୟାଗଡ଼, ୧୬/୦୨/୨୦୨୪ (ଓଡ଼ିଶା ସମାଚାର)-  ସ୍ତ୍ରୀ ହେମଦସ୍ତା ପୁଆ ମାଡ଼ରେ ସ୍ୱାମୀର ମୃତ୍ୟୁ ହୋଇଛି । ନୟାଗଡ଼ ଓଡ଼ଗାଁ କୋମଣ୍ଡ ଗାଁର ହତ୍ୟା ଘଟଣାରେ ଏପରି ଏକ ଚାଂଚଲ୍ୟକର ଖୁଲାସା ହୋଇଛି । ପ୍ରେମିକ ସହ ମିଶି ସ୍ୱାମୀକୁ ମାରି ଘର ଭିତରେ ପୋତି ଦେଇଥିଲା ସ୍ତ୍ରୀ । ଘଟଣାର ୧୦ ଦିନ ପରେ ପୋଲିସ ଗାଁରେ ପହଂଚି ଅଭିଯୁକ୍ତ ସ୍ତ୍ରୀ ଓ ତାଙ୍କ ମା’ଙ୍କୁ ଉଠାଇ ଆଣିଥିବା ବେଳେ ପ୍ରେମିକ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଛି । ପୋଲିସ, ତହସିଲଦାର, ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଂଚି ଖୋଳତାଡ ଆରମ୍ଭ କରିଛନ୍ତି । ସ୍ୱାମୀକୁ ମାରି ଘର ଭିତରେ ପୋତି ଦେଇଥିବା ସ୍ତ୍ରୀ ଜ୍ୟୋତ୍ସ୍ନାରାଣୀ ନାୟକ ପୋଲିସ ଆଗରେ ସତ ମାନିଛି । ପଚରାଉଚରା କରିବା ପରେ ମହିଳା ଜଣଙ୍କ କିଭଳି ହତ୍ୟା କରିଥିଲେ ତାହା କହିଛନ୍ତି । ଓଡ଼ଗାଁ ରୋହିବାଙ୍କ ଗାଁର ପ୍ରକାଶ ସାମଲଙ୍କୁ ୧୪ ବର୍ଷ ତଳେ ବିବାହ କରିଥିଲେ କୋମଣ୍ଡା ଗାଁର ଜ୍ୟୋତ୍ସ୍ନାରାଣୀ ନାୟକ । ସେମାନଙ୍କ ୭ ବର୍ଷର ଗୋଟିଏ ଝିଅ ଓ ୫ ବର୍ଷର ପୁଅ ଅଛନ୍ତି । ହେଲେ ଜ୍ୟୋତ୍ସ୍ନାରାଣୀ ମକରପଦାର ସୋନୁ ବେହେରାଙ୍କୁ ଭଲ ପାଇ ଆସୁଥିଲେ । କିଛି ଦିନ ତଳେ ସ୍ୱାମୀଙ୍କୁ ହଟାଇବାକୁ ସ୍ତ୍ରୀ ଓ ପ୍ରେମିକ ଯୋଜନା କରିଥିଲେ । ସ୍ୱାମୀ ଶୋଇଥିବା ବେଳେ ହେମଦସ୍ତାରେ ଛେଚି ମାରି କେହି କିଛି ଜାଣିବା ପୂର୍ବରୁ ଘର ଭିତରେ ଗାତ ଖୋଳି ପୋତି ଦେଇଥିଲେ । ତା’ ଉପରେ ଶିଳ ଓ ଘୋରଣା ମଡାଇ ରଖିଥିଲେ । ସ୍ୱାମୀକୁ କିଭଳି ବୀଭତ୍ସ ଭାବେ ହତ୍ୟା କରି ଗାତ ଖୋଳି ଘର ଭିତରେ ପୋତିଥିଲା ତାର ଡେମୋ ଦେଖାଇଛନ୍ତି ଅଭିଯୁକ୍ତ ସ୍ତ୍ରୀ ଜ୍ୟୋତ୍ସ୍ନାରାଣୀ ନାୟକ । ଘରେ ପଡ଼ିଥିବା ରକ୍ତକୁ କନାରେ ପୋଛି ସଫା କରିଥିଲେ ଜ୍ୟୋତ୍ସ୍ନା । ପ୍ରମାଣ ନଷ୍ଟ ପାଇଁ ରକ୍ତ ଭିଜା କପଡ଼ାକୁ ଘର ପଛ ପଟେ ପୋଡ଼ି ଦେଇଥିଲେ । ମାମଲାରେ ଅଭିଯୁକ୍ତଙ୍କ ମାଆ ଅର୍ଥାତ ପ୍ରକାଶଙ୍କ ଶାଶୁ ସହାୟତା କରିଥିଲେ ।ହତ୍ୟାରେ ବ୍ୟବହୃତ ଶାବଳ, ହେମଦସ୍ତା ଓ ଅନ୍ୟ ମାରଣାସ୍ତ୍ରକୁ ପୋଲିସ୍ ଜବତ କରି ତଦନ୍ତ କରୁଛି । ଉଭୟଙ୍କୁ ଅଟକ ରଖାଯାଇଥିବା ବେଳେ ଅନ୍ୟ କିଏ ସାମିଲ ସେ ନେଇ ତଦନ୍ତ କରାଯାଉଥିବା ଶରଣକୂଳ ଏସଡିପିଓ ସୁଧାକର ସାହୁ ସୂଚନା ଦେଇଛନ୍ତି ।

ନୟାଗଡ଼ ଓଡଗାଁ କୋମଣ୍ଡ ଗାଁର ପ୍ରକାଶ ନାୟକ ପ୍ରାୟ ୨୦ ଦିନ ହେଲା ନିଖୋଜ ଥିଲେ । ଏନେଇ ପ୍ରକାଶଙ୍କ ବାପାଙ୍କୁ ସନ୍ଦେହ ହେବାରୁ ଓଡଗାଁ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ।

Leave a Reply

Your email address will not be published. Required fields are marked *