ଦିନ ଦ୍ୱିପ୍ରହରରେ ଗୁଳିକରି ସୁନା ଦୋକାନରୁ ଲୁଟ୍ ଉଦ୍ୟମ

           ଗୁଳିମାଡ଼ରେ ଗହଣା ଦୋକାନ ମାଲିକ ଗୁରୁତର

ସମ୍ବଲପୁର, ୧୬/୦୨/୨୦୨୪ (ଓଡ଼ିଶା ସମାଚାର)- ସମ୍ବଲପୁର ସହରର ଧନୁପାଲି ଥାନା ଛକ ନିକଟ ଏକ ସୁନା ଦୋକାନରେ ଗୁଳି ଫୁଟାଇ ଗହଣା ଲୁଟ୍‌ କରିବାକୁ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ। ଗୁଳିମାଡ଼ରେ ଗହଣା ଦୋକାନ ମାଲିକ ଗୁରୁତର ହେଲା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଗୁରୁତର ଗହଣା ଦୋକାନ ମାଲିକ ସୁଜିତ ସୋନାରଙ୍କୁ ବୁର୍ଲା ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୨ଟାରେ ଧନୁପାଲି ଛକ ନିକଟରେ ଥିବା ଗହଣା ଦୋକାନ ‘ନ୍ୟୁ ପାୟଲ ଜ୍ବେଲର୍ସ‘ ରେ କିଛି ଦୁର୍ବୃତ୍ତ ବାଇକ୍‌ରେ ଆସି ପହଞ୍ଚି ଥିଲେ। ସେହି ସମୟରେ ଗହଣା ଦୋକାନରେ ମାଲିକ ସୁଜିତ ସୋନାରଙ୍କ ସହିତ କିଛି କର୍ମଚାରୀ ଓ ଗ୍ରାହକ ମଧ୍ୟ ଥିଲେ। ଦୁର୍ବୃତ୍ତମାନେ ଅତର୍କିତ ଭାବେ ଗୁଳି କରିଥିଲେ। ଗୁଳିମାଡ଼ରେ ସୁଜିତ ଗୁରୁତର ହୋଇଥିଲେ। ଗୁଳିମାଡ଼ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସେମାନେ ଗହଣା ଲୁଟ୍‌ କରିଛନ୍ତି କି ନାହିଁ, ସେନେଇ ଜଣାପଡ଼ି ନାହିଁ।

ସୂଚନା ଅନୁଯାୟୀ ୬ ଦୁର୍ବୃତ୍ତ ଆସିଥିଲେ ଏବଂ ଦୋକାନ ଭିତରକୁ ୨ ଜଣ ପଶିଥିଲେ । ହେଲେ ଲୁଟ୍ କରି ନପାରି ୬ ଦୁର୍ବୃତ୍ତ ଚମ୍ପଟ ମାରିଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ଘଟଣାର ଛାନଭିନ୍ କରୁଛି । ପୋଲିସ ଦୋକାନରେ ଥିବା କର୍ମଚାରୀମାନଙ୍କୁ ପଚରାଉଚରା କରୁଛି । ଦୋକାନ ମାଲିକଙ୍କ ଦେହରେ ଗୁଳି ବାଜି ଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ପେଟରେ ଗୁଳି ବାଜିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।କେତେ ଟଙ୍କାର ସୁନା ଗହଣା ଲୁଟ୍‌‌ ହୋଇଛି, ତାହା ଅସ୍ପଷ୍ଟ ରହିଛି।

Leave a Reply

Your email address will not be published. Required fields are marked *