ସୋସିଆଲ ମିଡିଆ ଏକ୍ସ (ଟ୍ୱିଟର)ଆକାଉଂଟ୍ ଖୋଲିବାକୁ ନିର୍ଦେଶ
କେନ୍ଦ୍ରାପଡ଼ା,୨୭/୬/୨୦୨୪ (ଓଡ଼ିଶା ସମାଚାର)- ପ୍ରଶାସନର କାର୍ଯ୍ୟକୁ ଲୋକାଭିମୁଖୀ କରିବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ । ଜିଲାର ସମସ୍ତ ତହସିଲ୍, ବ୍ଲକ୍ ଓ ବିଭିନ୍ନ ବିଭାଗକୁ ନିଜ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (ପୂର୍ବନାମ ଟ୍ୱିଟର) ଆକାଉଂଟ୍ ଖୋଲିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି । ଲୋକଙ୍କ ଅଭିଯୋଗକୁ ଅଗ୍ରାଧିକାର ଦେଇ ସମସ୍ୟା ସମାଧାନ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସେ ନିର୍ଦ୍ଧେଶ ଦେଇଛନ୍ତି । ସୋସିଆଲ ମିଡିଆ ଯୁଗରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ର ସୁବ୍ୟବହାର କରିବାକୁ ସମସ୍ତ ଅଧିକାରୀଙ୍କୁ ଜିଲାପାଳ ପରାମର୍ଶ ଦେଇଛନ୍ତି । ଏହା ଫଳରେ ପ୍ରଶାସନର କାର୍ଯ୍ୟରେ ଅଧିକ ସ୍ୱଚ୍ଛତା ଆସିବା ସହ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଲୋକଙ୍କୁ ସରକାରୀ ସେବା ଯୋଗାଇ ଦେବା ପାଇଁ ଉତରଦାୟିତ୍ୱ ବୃଦ୍ଧି ପାଇବ । ଜିଲାପାଳଙ୍କ ନିର୍ଦ୍ଧେଶକୁ ତୁରନ୍ତ କାର୍ଯ୍ୟକାରୀ କରି ଆଜି ରାଜକନିକା ବ୍ଲକ୍, ମହକାଳପଡ଼ା ତହସିଲ୍, ରାଜନଗର ତହସିଲ, ଜିଲା ଶ୍ରମ କାର୍ଯ୍ୟାଳୟ, ପଟ୍ଟାମୁଣ୍ଡାଇ ମୁନିସିପାଲିଟି ଆଦି ନିଜ ନିଜର ‘ଏକ୍ସ’ ଆକାଉଂଟ୍ ଖୋଲିଛନ୍ତି । ‘ଏକ୍ସ’ର ବ୍ୟବହାର ଜାଣିଥିବା ବୁଦ୍ଧିଜୀବୀ, ଯୁବପୀଢ଼ି ଓ ଜନସାଧାରଣଙ୍କୁ ମଧ୍ୟ ନିବେଦନ କରାଯାଇଛି କି, ସେମାନେ ସେମାନଙ୍କ ଅଭିଯୋଗ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ଜରିଆରେ ଆଣିପାରିବେ । ଜନତା ଓ ପ୍ରଶାସନ ମଧ୍ୟରେ ବ୍ୟବଧାନ ହ୍ରାସ ପାଇ ସୁସମ୍ପର୍କ ବୃଦ୍ଧି ପାଇଲେ ସରକାରୀ ସେବା ପ୍ରକୃତ ହିତାଧିକାରୀ ନିକଟରେ ପହଂଚିିପାରିବ ଓ ଗଣତନ୍ତ୍ରର ମୂଳ ଲକ୍ଷ୍ୟ ସାକାର ହୋଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି ।