କେନ୍ଦ୍ରାପଡ଼ା,୩୧/୧୦/୨୦୨୬(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ପ୍ରଶାସନରେ ଏକ ସଙ୍ଗିନ ଆର୍ଥିକ ଅନିୟମିତତା ସାମ୍ନାକୁ ଆସିଛି । ସରକାରୀ ତହବିଲରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ ହୋଇଥିବା ବେଳେ ଏହି ଘଟଣା ସମଗ୍ର ଜିଲାର ପ୍ରଶାସନିକ ମହଲରେ ତୀବ୍ର ଚାଂଚଲ୍ୟ ଖେଳାଇ ଦେଇଛି । ବର୍ତମାନର ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ନମିତା ବାରିକଙ୍କ କାର୍ଯ୍ୟକାଳ ମଧ୍ୟରେ ଏହି ମହାଘୋଟାଲା ସଂଗଠିତ ହୋଇଥିବା ଜଣାପଡ଼ିଛି । ବ୍ଲକର ବରିଷ୍ଠ କିରାଣି ଶଶିକାନ୍ତ ରଣା ଜାଲିଆତି ଜରିଆରେ ସରକାରୀ ପାଣ୍ଠିରୁ ୧ କୋଟି ୬ ଲକ୍ଷ ୩ ହଜାର ୫୯୫ ଟଙ୍କା ହରିଲୁଟ୍ କରିଥିବା ନେଇ ବିଡିଓ ଶ୍ରୀମତୀ ବାରିକ କେନ୍ଦ୍ରାପଡ଼ା ସଦର ଥାନାରେ ଏକ ଲିଖିତ ଏତଲା ଦାୟର କରିଛନ୍ତି । କେନ୍ଦ୍ରାପଡ଼ା ଜିଲା କୋଷାଗାର ଅଧିକାରୀ ସଚ୍ଚିଦାନନ୍ଦ ବେହେରା ନିୟମିତ ଆର୍ଥିକ କାରବାର ଯାଂଚ କରୁଥିବା ସମୟରେ ଏହି ବିରାଟ ଜାଲିଆତି ଧରାପଡ଼ିଥିଲା ।
ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ ଓ ପ୍ରୋଭିଜନାଲ ଗ୍ରାଚ୍ୟୁଇଟି ଭଳି ଅର୍ଥକୁ ସମନ୍ୱିତ ଆର୍ଥିକ ପରିଚାଳନା ପୋର୍ଟାଲ ମାଧ୍ୟମରେ ପୁନର୍ବାର ପୈଠ ଦର୍ଶାଇ ଏହି ଅର୍ଥ ଲୁଟ୍ କରାଯାଇଛି । ଉକ୍ତ ତୋଷରପାତ ଟଙ୍କା ପ୍ରମିଳା ବେହେରା ନାମ୍ନୀ ଜଣେ ମହିଳାଙ୍କ ନାମରେ ଥିବା ଇଣ୍ଡିଆନ ବ୍ୟାଙ୍କର ଓଉପଦା ଶାଖା ଏବଂ କେନ୍ଦ୍ରାପଡ଼ା ମୁଖ୍ୟ ଶାଖାର ଦୁଇଟି ଆକାଉଂଟକୁ ସ୍ଥାନାନ୍ତର କରାଯାଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି । କୋଷାଗାର ଅଧିକାରୀ ଏହି ଅର୍ଥ ତୁରନ୍ତ ଫେରସ୍ତ ଆଣିବା ନିମନ୍ତେ ଗତ ଅକ୍ଟୋବର ୧୬ ତାରିଖରେ ବିଡିଓଙ୍କୁ ପ୍ରଥମ ପତ୍ର ଲେଖି ଅବଗତ କରାଇଥିଲେ । ଏହାପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବାରୁ ଗତ ୨୮ ତାରିଖରେ ସମସ୍ତ ତଥ୍ୟ ବର୍ଣ୍ଣନା କରି ସେ ପୁନର୍ବାର ଦ୍ୱିତୀୟ ଚିଠି ପଠାଇଥିଲେ । ଗଣମାଧ୍ୟମରେ ଖବର ପ୍ରସାରଣ ଓ ଚାରିଆଡ଼େ ଚର୍ଚ୍ଚା ଜୋର ଧରିବା ପରେ ବିଡିଓ ଶ୍ରୀମତୀ ବାରିକ ତରବରିଆ ଭାବେ ୨୯ ତାରିଖ ସନ୍ଧ୍ୟାରେ ସଦର ଥାନାରେ ଏତଲା ଦେଇଥିଲେ ।
ତେବେ ଏହି ଘଟଣାରେ ବ୍ଲକ ପ୍ରଶାସନ ଓ ବିଡିଓଙ୍କ ଭୂମିକାକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅକ୍ଟୋବର ୧୬ରେ କୋଷାଗାରରୁ ଲିଖିତ ଚିଠି ପାଇବା ପରେ ମଧ୍ୟ ବିଡିଓ କାହିଁକି ଦୀର୍ଘ ଦିନ ନୀରବ ରହିଲେ, ତାହା ସନ୍ଦେହ ଘେରକୁ ଆସିଛି । ଏତେ ବଡ଼ ଦୁର୍ନୀତି ସମ୍ପର୍କରେ ଜାଣିବା ପରେ ମଧ୍ୟ କିରାଣି ଶଶିକାନ୍ତ ରଣାଙ୍କ ବିରୁଦ୍ଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନ ନେଇ, ଓଲଟା ତାଙ୍କୁ ଗତ ଅକ୍ଟୋବର ୨୭ରୁ ୧୫ ଦିନିଆ ଛୁଟି ମଞ୍ଜୁର କରାଯିବା ପଛରେ କେଉଁ ଉଦ୍ଧେଶ୍ୟ ରହିଛି ବୋଲି ପ୍ରଶ୍ନ ଉଠୁଛି । ଅନ୍ୟପକ୍ଷରେ, ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଭିଜିଲାନ୍ସ ବିଭାଗ ପକ୍ଷରୁ ଛାନଭିନ୍ ଆରମ୍ଭ କରାଯାଇଛି । ମାତ୍ର ଡେରାବିଶ ବ୍ଲକ ବିଡିଓ, ଏବିଡିଓ ମୃଣ୍ମୟ କୁମାର ରାଉତ ଏବଂ ବ୍ଲକ ଫାଇନାନ୍ସ ଅଫିସର ପଂଚାନନ କାଣ୍ଡି ତଦନ୍ତକାରୀ ଭିଜିଲାନ୍ସ ଅଧିକାରୀଙ୍କୁ ଧରାଛୁଆଁ ଦେଉନାହାନ୍ତି କିମ୍ବା ଘୋଟାଲା ସମ୍ପର୍କିତ କୌଣସି ଆବଶ୍ୟକୀୟ ନଥିପତ୍ର ହସ୍ତାନ୍ତର କରୁନାହାନ୍ତି ।
ଏହି ଅସହଯୋଗ ସମ୍ପର୍କରେ ଭିଜିଲାନ୍ସ ଏସପିଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟ୍ଟାରିଆ ଏବଂ ଜିଲାପାଳ ରଘୁରାମ ଆର. ଆୟରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ସହଯୋଗ ଲୋଡ଼ାଯାଇଥିଲା । କିନ୍ତୁ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଭିଜିଲାନ୍ସକୁ ସମ୍ପୂର୍ଣ୍ଣ ଅସହଯୋଗ କରାଯାଉଥିବା ଅଭିଯୋଗ ହୋଇଛି । ପ୍ରଶାସନିକ ସ୍ତରରେ ଏଭଳି ଆଭିମୁଖ୍ୟ ମହାଘୋଟାଲାକୁ ଚାପିଦେବା ତଥା ଦୋଷୀଙ୍କୁ ଘଂଟ ଘୋଡ଼ାଇବା ଏବଂ ଚାପିଦେବାର ଏକ ସୁଚିନ୍ତିତ ପ୍ରୟାସ ବୋଲି ସାଧାରଣରେ ଆଲୋଚନା ହେଉଛି ।
