ଜନଗଣନା–୨୦୨୭ ଦ୍ୱିତୀୟ ପର୍ଯ୍ୟାୟର ଜିଲ୍ଲାସ୍ତରୀୟ ୨ ଦିନିଆ ତାଲିମ ଶିବିରର ଶୁଭାରମ୍ଭ

ଯାଜପୁର,୩୧/୧୦/୨୦୨୬(ଓଡ଼ିଶା ସମାଚାର)-ଜନଗଣନା–୨୦୨୭ର ଦ୍ୱିତୀୟ ପର୍ଯ୍ୟାୟ ଅନ୍ତର୍ଗତ ଜନସଂଖ୍ୟା ଗଣନା ପାଇଁ ଯାଜପୁର ଜିଲ୍ଲାରେ ଆୟୋଜିତ ଦୁଇଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦ୍‌ଯାପିତ ହୋଇଯାଇଅଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ସମ୍ମିଳନୀ କକ୍ଷରେ ଗତ ୩୦ ଏବଂ ୩୧ ଅକ୍ଟୋବର ୨୦୨୬ରେ ଦୁଇଦିନ ଧରି ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ଜନଗଣନା କାର୍ଯ୍ୟ ନିର୍ଦ୍ଦେଶାଳୟର ମାର୍ଗଦର୍ଶନ ତଥା ଯାଜପୁର ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆଗାମୀ ଜନସଂଖ୍ୟା ଗଣନା କାର୍ଯ୍ୟକୁ ସଠିକ୍‌ ଓ ସୁରୁଖୁରୁରେ ପରିଚାଳନା କରିବା ନିମନ୍ତେ ଜିଲ୍ଲାସ୍ତରୀୟ ଅଧିକାରୀ, ଚାର୍ଜ ଅଧିକାରୀ, ଅତିରିକ୍ତ ଚାର୍ଜ ଅଧିକାରୀ  ଏବଂ ବୈଷୟିକ ସହାୟକମାନଙ୍କୁ ପ୍ରସ୍ତୁତ କରିବା।

କର୍ମଶାଳାରେ ଜିଲ୍ଲାପାଳ ତଥା ପ୍ରମୁଖ ଜନଗଣନା ଅଧିକାରୀ (Principal Census Officer) ଶ୍ରୀ ଅମ୍ବର କୁମାର କର, ଅଧ୍ୟକ୍ଷତା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀ ଯୁଧିଷ୍ଠିର ନାଏକ, ଉପଜିଲ୍ଲାପାଳ ତଥା ଉପଖଣ୍ଡୀୟ ଜନଗଣନା ଅଧିକାରୀ ଶ୍ରୀ ତାପସ ରଞ୍ଜନ ଦେହୁରୀ , ଡେପୁଟି ଜନଗଣନା ଅଧିକାରୀ ଶ୍ରୀମତୀ ନିବେଦିତା ପ୍ରଧାନ, ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ଅଧିକାରୀ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶ୍ରୀ ବିକାଶଦୀପ ତରାଇ,ବରିଷ୍ଠ ରାଜସ୍ବ ସହାୟକ,ଶ୍ରୀ ଧନଞ୍ଜୟ ଦାସ,କନିଷ୍ଠ ରାଜସ୍ବ ସହାୟକଙ୍କ ସୁପରିଚାଳନାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। । ଏହି କର୍ମଶାଳାରେ ଜନଗଣନା ଭବନ, ଭୁବନେଶ୍ୱରରୁ ଆସିଥିବା ଜାତୀୟ ପ୍ରଶିକ୍ଷିକା ଶ୍ରୀମତୀ ମିଲତା ଦତ୍ତ, ଜିଲ୍ଲା ଦାୟିତ୍ୱରେ ଥିବା ଅଧିକାରୀ  ଶ୍ରୀ ଉପେନ୍ଦ୍ର କୁମାର ନାଏକ ଏବଂ ଶ୍ରୀ ଅନିଲ କୁମାର ବେହୁରିଆ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ଜାନୁଆରୀ ୧୦ ତାରିଖରୁ ୨୪ ତାରିଖ ମଧ୍ୟରେ ଜନସାଧାରଣ SE(self Enumeration) ପୋର୍ଟାଲ୍‌ରେ ନିଜର ତଥ୍ୟ ଭରିପାରିବେ। ଏହା ଭାରତର ପ୍ରଥମ ଡିଜିଟାଲ୍ ଜନଗଣନା। ଜାନୁଆରୀ ୨୫ ତାରିଖରୁ ଫେବୃଆରୀ ୨୮ ତାରିଖ ମଧ୍ୟରେ ଗଣନାକାରୀମାନେ ଘରକୁ ଘର ଯାଇ ଜନଗଣନା ତଥ୍ୟ ସଂଗ୍ରହ କରିବେ। ରେଫରେନ୍ସ ତାରିଖ ୨୦୨୭ ମାର୍ଚ୍ଚ ୧ ତାରିଖ ୦୦.୦୦ ଘଟିକା ରହିବ।ଦ୍ୱିତୀୟ ପର୍ଯ୍ୟାୟରେ ଜନଗଣନା କର୍ମୀ ଆପଣଙ୍କ ଘରକୁ ଆସିବେ ଓ ପ୍ରତ୍ୟେକ ବ୍ୟକ୍ତିଙ୍କ ବୟସ, ଧର୍ମ, ଶିକ୍ଷା, ନିଯୁକ୍ତି ଆଦି ତଥ୍ୟ ନେବେ। ମାର୍ଚ୍ଚ ୧ ରୁ ୫ ତାରିଖ ମଧ୍ଯରେ ୫ ଦିନ ଧରି ରିଭିଜନ୍ ରାଉଣ୍ଡ କରାଯିବ, ଯାହାଫଳରେ କୌଣସି ବ୍ୟକ୍ତି ଏହି ଗଣନାରୁ ବାଦ୍ ପଡ଼ିବେ ନାହିଁ।

-0-

ଉପ -ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଭିନାଶ ସାଗର ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *