ଯାଜପୁର ଜିଲ୍ଲାସ୍ତରୀୟ ପୋଷ୍ଟ ଡିଜାଷ୍ଟର ଫିଲ୍ଡ ଆସେସମେଣ୍ଟ (PDNA) ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ଯାଜପୁର,୩୧/୧୦/୨୦୨୬(ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ବିପର୍ଯ୍ୟୟ ପରବର୍ତ୍ତୀ ଆବଶ୍ୟକତା ଆକଳନ (PDNA) ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଓ ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଅମ୍ବର କୁମାର କରଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଶିବାନନ୍ଦ ସ୍ୱାଇଁ ଏବଂ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ଅଶୋକ କୁମାର ବେହେରା ଆକଳନ ପ୍ରକ୍ରିୟା ସମ୍ପର୍କରେ ସମସ୍ତ ଅଂଶୀଦାରମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଏହି ବୈଠକରେ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ, ବିଡିଓ ଏବଂ ତହସିଲଦାରମାନେ ଉପସ୍ଥିତ ଥିଲେ।

ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (OSDMA)ର ସାଧାରଣ ପରିଚାଳକ ଡକ୍ଟର ସୁନିତା ଜେନା, ଭୁବନେଶ୍ୱର OSDMAର ରାଜ୍ୟ ପ୍ରକଳ୍ପ ଅଧିକାରୀ ଶ୍ରୀ ସୁତନୁ ଠାକୁର ଏବଂ ଯାଜପୁର OSDMAର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଶ୍ରୀନିବାସ ପଣ୍ଡା ଉପସ୍ଥିତ ରହି PDNAର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ଫିଲ୍ଡସ୍ତରରେ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଏକ ଭିଡିଓ/ପିପିଟି (PPT) ମାଧ୍ୟମରେ ଉପସ୍ଥାପନା କରିଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ୨୦୨୬ ବନ୍ୟାରେ ଯାଜପୁର ଜିଲ୍ଲାର ସବାଧିକ ପ୍ରଭାବିତ ବ୍ଲକଗୁଡ଼ିକରେ ହୋଇଥିବା କ୍ଷୟକ୍ଷତି ଓ ହାନିର ସଠିକ୍ ଆକଳନ କରାଯିବ।

ଜିଲ୍ଲାପାଳ ଆଗାମୀ ୩୦ ନଭେମ୍ବର ୨୦୨୬ ସୁଦ୍ଧା ଏହି ସମ୍ପୂର୍ଣ୍ଣ ଆକଳନ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏକ ବହୁ-କ୍ଷେତ୍ରୀୟ ଟିମ୍ (Multi-sector team) ଗଠନ କରାଯିବ, ଯାହା କ୍ଷେତ୍ରସ୍ତରରୁ ମୂଳ ତଥ୍ୟ ଓ କ୍ଷୟକ୍ଷତିର ସୂଚନା ସଂଗ୍ରହ କରିବ। ସଂଗୃହିତ ତଥ୍ୟର ସଠିକ୍ ବିଶ୍ଳେଷଣ ପରେ ଚୂଡ଼ାନ୍ତ PDNA ରିପୋର୍ଟ ରାଜ୍ୟ ସରକାରଙ୍କ ପାଖକୁ ପଠାଯିବ। ଶେଷରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସମସ୍ତ ଅଂଶୀଦାର ଓ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଅର୍ପଣ କରି ବୈଠକ ଶେଷ କରିଥିଲେ।

-0-

ଅଭିନାଶ ସାଗର,ଉପ-ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *