ରହିଲା ଚାମେଲି ଓଝାଙ୍କ ସରପଞ୍ଚ ପଦ
କଟକ ସଦର,୨୮/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତ ସରପଂଚ ଚାମେଲି ଓଝାଙ୍କ ବିରୁଦ୍ଧରେ ହୋଇଥିବା ଅନସ୍ଥା ଭୋଟ ଆଜି ବୁଧବାର ଦିନ ହାଇକୋର୍ଟରେ ଅସିଦ୍ଧ ବୋଲି ରାୟ ପ୍ରକାଶ ପାଇଛି। ଏହା ଜଣାପଡିବା ପରେ ଚାମେଲିଙ୍କୁ ବଡ଼ ଆଶ୍ୱସ୍ତି ମିଳିଥିବା ବେଳେ ସିଏ ପୂର୍ଵପରି ସରପଂଚ ପଦରେ ରହିବେ ବୋଲି ଜଣାପଡିଛି। ପ୍ରକାଶ ଯେ ହାଇକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଗତ ଅଗଷ୍ଟ ୧୦ ଓ ୧୧ ତାରିଖରେ ଚାମେଲିଙ୍କ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ ମାମଲାର ଶୁଣାଣି କରି ରାୟରେ ଦର୍ଶାଇଥିଲେ ଯେ ଅନାସ୍ଥା ଭୋଟ ହେବ କିନ୍ତୁ ଅଦାଲତ ଙ୍କ ଅନୁମତି ଵିନା ଫଳ ପ୍ରକାଶ ପାଇବ ନାହିଁ। ତେବେ ଆଜି ସଂରକ୍ଷିତ ଥିବା ରାୟ ଚାମେଲିଙ୍କ ସପକ୍ଷରେ ଯାଇଥିବାରୁ ରାଜ୍ୟବ୍ୟାପୀ ଖୁସିର ଲହରୀ ଖେଳିଯାଇଛି।ଚାମେଲିଙ୍କ ପକ୍ଷରୁ ଆଇନୀଜୀବୀ ସୁକାନ୍ତ କୁମାର ଦଳାଇ ମାମଲା ପରିଚାଳନାରେ କରୁଥିଲେ। ଚାମେଲୀ ତାଙ୍କ ପିଟିଶନ୍ ରେ ଦର୍ଶାଇଥିଲେ ଯେ, ଆଇନ ଅନୁସାରେ ଅନାସ୍ଥା ବୈଠକ ପୂର୍ବରୁ ରିଜୋଲ୍ୟୁସନ, ରିକ୍ୟୁଜିସନ ଓ ନୋଟିସର ନକଲ ତାଙ୍କୁ ଯୋଗାଇ ଦିଆଯାଇ ନାହିଁ। ତେଣୁ ତାଙ୍କ ବିରୁଦ୍ଧରେ ଜାରି ଅନାସ୍ଥା ନୋଟିସ ଓ ପ୍ରକ୍ରିୟାକୁ ରବ୍ଦ ପାଇଁ ସେ ପ୍ରାର୍ଥନା କରିଥିଲେ। ତେଣୁ କୋର୍ଟ ବୁଧବାର ଚାମେଲୀଙ୍କ ଆବେଦନକୁ ଗ୍ରହଣ କରି ଏହି ରାୟ ପ୍ରକାଶ କରିଛନ୍ତି। ଚାମେଲୀଙ୍କୁ ଏ ନେଇ ପଚାରିବାରୁ ସେ କହିଛନ୍ତି, ଧର୍ମର ଜୟ ହୋଇଛି।
ଅନ୍ୟପକ୍ଷରେ ତାଙ୍କ ବିରୁଦ୍ଧରେ ଅନ୍ୟାୟ କରାଯାଇଥିବା ଦର୍ଶାଇ ଚାମେଲି ଓଝା ମହାମହିମ ରାଷ୍ଟ୍ରପତିଙ୍କ ନିକଟରେ ଫେରାଦ ହୋଇଥିବା ଜଣାପଡିଛି।
