ଭାଷା ସୁରକ୍ଷା ଆନ୍ଦୋଳନ ପାଇଁ ମନେରହିବେ ବୈଷ୍ଣବ ପରିଡ଼ା

                                         ପଦ୍ମ ଚରଣ ନାୟକଙ୍କୁ ପ୍ରଥମ ‘ବୈଷ୍ଣବ ପରିଡ଼ା ସ୍ମୃତି ସମ୍ମାନ’ ପ୍ରଦାନ
ଭୁବନେଶ୍ୱର, ୧୫/୦୨/୨୦୨୪ (ଓଡ଼ିଶା ସମାଚାର)-ଗୋଟିଏ ଜାତିର ଅସ୍ମିତା ତା’ର ସାମୁହିକ ପରିଚୟ । ସେଥିରେ ଥାଏ ତା’ର ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ, ବ୍ୟବହାରିକତା ଓ ତା’ ସହ ଯୋଡ଼ା ବିଭିନ୍ନ ସାମାଜିକ ବିଭାବ, ଯଥା ଭାଷା ସାହିତ୍ୟ, ନୃତ୍ୟ ସଂଗୀତ, କୃଷି ଓ ଶିଳ୍ପ । ଏ ସମସ୍ତ ଭିତରେ ଭାଷା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କାରଣ ତାରି ମାଧ୍ୟମରେ ଗୋଟିଏ ଜାତିର ସାଂସ୍କୃତିକ ଜାଗରଣ ବଂଚିରହେ । ସ୍ୱର୍ଗତ ବୈଷ୍ଣବ ପରିଡ଼ା ଥିଲେ ଉଭୟେ ଜଣେ ସାମାଜିକ ଓ ସୃଜନଶୀଳ କର୍ମୀ । ସେ ବୁଝିଥିଲେ ଯେ ଓଡ଼ିଆ ଜାତିର ଅସ୍ମିତାକୁ ବଜାୟ ରଖିବାକୁ ହେଲେ ତା’ର ମୌଳିକ ଭାଷା ଓଡ଼ିଆକୁ ସୁରକ୍ଷିତ ରଖିବାକୁ ପଡ଼ିବ । ସେଥିପାଇଁ ସେ ଗଢିଥିଲେ ‘ଭାଷା ସୁରକ୍ଷା ସମ୍ମିଳନୀ’ ଏବଂ ଓଡ଼ିଆ ଭାଷାକୁ ସରକାରୀ ଭାଷା କରିବାଠାରୁ ତା’ର ବିକାଶ ଓ ଜନଜୀବନର ଭାଷା କରିବା ପାଇଁ ଲାଗିପଡ଼ିଥିଲେ ।
ବିଶିଷ୍ଟ ରାଜନୀତିଜ୍ଞ, ସୁସାହିତି୍ୟକ ତଥା ଭାଷା ସୁରକ୍ଷା ସମ୍ମିଳନୀର କର୍ଣ୍ଣଧାର ସ୍ୱର୍ଗତ ବୈଷ୍ଣବ ପରିଡ଼ାଙ୍କ ୮୩ତମ ଜୟନ୍ତୀ ସମାରୋହ ଅବସରରେ ଆଜି ଏହା ପ୍ରକାଶ କରିଛନ୍ତି ବିଶିଷ୍ଟ ସାହିତି୍ୟକ ଶ୍ରୀଯୁକ୍ତ ଦାଶ ବେନହୁର । ‘ଆମ ଭାଷା ଓ ଆମ ଅସ୍ମିତା’ ଶୀର୍ଷକ ତୃତୀୟ ବୈଷ୍ଣବ ପରିଡ଼ା ସ୍ମାରକୀ ବକ୍ତୃତା ପ୍ରଦାନ କରି ଶ୍ରୀଯୁକ୍ତ ବେନହୁର କହିଲେ ଯେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସ୍ୱର୍ଗତ ବୈଷ୍ଣବ ପରିଡ଼ାଙ୍କ ଅବଦାନକୁ ଏ ଜାତି ସବୁଦିନ ମନେ ରଖିବ । ସ୍ଥାନୀୟ ଲୋହିଆ ଏକାଡେମୀ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି ସମାରୋହରେ ବିଶିଷ୍ଟ ସାହିତି୍ୟକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ୱର୍ଗତ ବୈଷ୍ଣବ ପରିଡ଼ାଙ୍କ ରାଜନୈତିକ ଓ ଭାଷା ସୁରକ୍ଷା ସମ୍ପର୍କିତ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇଥିଲେ ଭୁବନେଶ୍ୱର ମହାନଗର ନିଗମର ମହାନଗରପାଳ ଶ୍ରୀମତୀ ସୁଲୋଚନା ଦାସ । ବିଶିଷ୍ଟ ସାହିତି୍ୟକ ଡ. ବାସୁଦେବ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ବିଶିଷ୍ଟ ଗାନ୍ଧିବାଦୀ, ସମାଜସେବୀ ଓ ସ୍ତମ୍ଭକାର ଶ୍ରୀଯୁକ୍ତ ପଦ୍ମ ଚରଣ ନାୟକଙ୍କୁ ‘ପ୍ରଥମ ବୈଷ୍ଣବ ପରିଡ଼ା ସ୍ମୃତି ସମ୍ମାନ-୨୦୨୪’ ପ୍ରଦାନ କରାଯାଇଥିଲା । ସମ୍ମାନ ସ୍ୱରୂପ ସ୍ମୃତି ଫଳକ ଓ ୧୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ନିକଟରେ ପରଲୋକ ଗମନ କରିଥିବା ବିଶିଷ୍ଟ ସାହିତି୍ୟକ ଶ୍ରୀଯୁକ୍ତ ସାତକଡି ହୋତାଙ୍କ ସ୍ମୃତି ଉଦ୍ଧେଶ୍ୟରେ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ବୈଷ୍ଣବ ପରିଡ଼ା ସ୍ମୃତିନ୍ୟାସର ଉପସଭାପତି ଶ୍ରୀଯୁକ୍ତ ନଟବର ମହାନ୍ତି ଏଥିରେ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସ୍ମୃତିନ୍ୟାସର ସମ୍ପାଦକ ଶ୍ରୀ ଅମିତାଭ ଖିଲାର । ସମାରୋହରେ ଉପସ୍ଥିତ ଥିଲେ ବୈଷ୍ଣବ ପରିଡ଼ା ସ୍ମୃତିନ୍ୟାସର ଆବାହିକା ଡ. ସ୍ୱର୍ଣ୍ଣଲତା ପରିଡ଼ା, କନ୍ୟା ଲୁନିତା ବାରିକ, ପୁତ୍ର ସୌମିକ ପରିଡ଼ା ଓ ପୁତ୍ରବଧୂ ।

Leave a Reply

Your email address will not be published. Required fields are marked *