ଚାଲାଣ ବେଳେ ଗୋରୁ ବୋଝେଇ ଟ୍ରକ ଜବତ : ୭୦ ଗୋରୁ ଉଦ୍ଧାର, ୩ ଅଟକ

ନିରାକାରପୁର, ୧୬/୦୨/୨୦୨୪ (ଓଡ଼ିଶା ସମାଚାର)- ଦୈନଦିନ ବିଭିନ୍ନ ତରିକାରେ ଗୋରୁ ଚାଲାଣକାରୀ ମାଫିଆମାନେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶହ ଶହ ସଂଖ୍ୟାରେ ଗୋରୁ ଅନ୍ୟ ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଉଛନ୍ତି। ଏହି ଚାଲାଣ ରେ ଏକ ବିରାଟ ରାକେଟ କାର୍ଯ୍ୟ କରୁଛି। ଟ୍ରକ, କଣ୍ଟେନରରେ ଗାଈଗୋରୁଙ୍କୁ ଅତି ଦୟନୀୟ ଭାବେ ନେଉଥିଲେ ବି ଏହା ଉପରେ ଠୋସ ପଦକ୍ଷେପ ଗ୍ରହଣ କରି ଗୋରୁ ଚାଲାଣ କୁ ପ୍ରଶାସନ ରୋକିବାରେ ବିଫଳ ହେଉଛି। କେବଳ କିଛି ଜାଗାରେ ବିଶ୍ବହିନ୍ଦୁ ପରିଷଦ,ବଜରଙ୍ଗ ଦଳ ଓ ଅନ୍ୟ କିଛି ହିନ୍ଦୁ ସଙ୍ଗଠନ ର ପ୍ରୟାସରେ ଗୋରୁ ଗାଡି ଧରିବାରେ ପ୍ରଶାସନ ସଫଳତା ଲାଭ କରୁଛି। ଏବେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଂଚଳରେ ବ୍ୟାପକ ଗୋରୁ ଚାଲାଣ କାରବାର ବୃଦ୍ଧି ପାଇ ଥିବାବେଳେ ଏହି ଅଞ୍ଚଳ ରୁ ଗୋରୁ ବୋଝେଇ ଗାଡି ଜଂକିଆ ଥାନା ଅଞ୍ଚଳ ଦେଇ ୧୬ ନଂ ଜାତୀୟ ରାଜପଥ ରେ ଅନ୍ୟ ରାଜ୍ୟକୁ ଚାଲାଣ କରିବାରେ ମାଫିଆ ମାନେ ସଫଳ ହେଉଛନ୍ତି। କୌଣସି ବିଶେଷ ସୂତ୍ରରୁ ଖବର ପାଇ ଖୋରଧା ଏସ ପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶରେ ଏଡିପିଓ  ଦିଲ୍ଲୀପ କୁମାର ଦାସଙ୍କ ନେତୃତ୍ୱରେ   ଜଂକିଆ ଥାନା ଆଇଆଇସି ପ୍ରଜ୍ଞା ରିତମ୍ଭରା କର ଗୁରୁବାର ବିଳମ୍ବିତ ରାତିରେ ସଦଳବଳେ ଜଂକିଆ ନିକଟରେ ଚଢ଼ାଉ କରି ଏକ ଗୋରୁ ବୋଝେଇ  ଆଇଚର ଗାଡ଼ି ନଂ ( ଟିଏସ  ୧୧ ୟୁସି ୯୧୭୫) ଜବତ କରୁଛନ୍ତି। ଏହି ଗୋରୁ ବୋଝେଇ ଗାଡି ଟି ବେଗୁନିଆ ଥାନା ଜମୁସାହି ଅଞ୍ଚଳ ରୁ ଆସୁଥିବାବେଳେ ଏହା ଆନ୍ଧ୍ର ପ୍ରଦେଶ ଯାଉଥିବାର ସୂଚନା ମିଳିଛି।ଏହି ଟ୍ରକରେ ସମୁଦାୟ ୭୦ ଟି ଗୋରୁ ଅତି ଦୟନୀୟ ଅବସ୍ଥାରେ ଚାଲାଣ କରାଯାଉଥିଲା। ଡ୍ରାଇଭର କୁ ମିଶାଇ ଗାଡ଼ିରେ ଥିବା ୩ ଜଣକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଅଟକ ଡ୍ରାଇଭର ନାମ ତେଲେଙ୍ଗାନା ର ସଭାବତ ସୁରେଶ, ମାଫିଆ ବେଗୁନିଆ କୁସପଲ୍ଲା   ଗ୍ରାମର ଏସ କେ ନୌସାଦ ଓ ସୁମନ୍ତ ପଟ୍ଟନାୟକ ବୋଲି ଜଣାପଡିଛି। ଜବତ ଗୋରୁ ମାନଙ୍କୁ ଭୁବନେଶ୍ୱର ସିଜୁଆ ଗୋଶାଳା ଛଡ଼ା ଯାଇଥିବାବେଳେ ଗାଡ଼ିକୁ ଜବତ କରି ଜଂକିଆ ଥାନାରେ ରଖାଯାଇଛି।

Leave a Reply

Your email address will not be published. Required fields are marked *