ବାଇକ ଉପରେ ଚଢିଗଲା ଯାତ୍ରାପାର୍ଟି ଟ୍ରକ

ମୃତୁ୍ୟ ମୁଖରୁ ଅଳ୍ପକେ ବର୍ତିଲେ ଯୁବକ

କେନ୍ଦ୍ରାପଡ଼ା, ୨୦/୦୪/୨୦୨୫(ଓଡ଼ିଶା ସମାଚାର)-  କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦୁହୁରିଆ ନିକଟସ୍ଥ ଜୀବନବୀମା କାର୍ଯ୍ୟାଳୟ ସମ୍ମୁଖରେ ଏକ ଯାତ୍ରାପାର୍ଟି ଟ୍ରକ ଏକ ବାଇକ ଉପରେ ଚଢିଯାଇଛି । ବାଇକ ଉପରେ ବସିଥିବା ଯୁବକ ଜଣକ ମୃତୁ୍ୟ ମୁଖରୁ ଅଳ୍ପକେ ବର୍ତି ଯାଇଛନ୍ତି । କିନ୍ତୁ ସେ ଆହତ ହୋଇ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ଯୁବକ ଜଣକ ହେଉଛନ୍ତି ଛାଞ୍ଚୁଣିଆ ଗ୍ରାମର ଖଗେଶ୍ୱର ସାହୁ(୩୮) । ସେହିପରି ଟ୍ରକଟି ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଉପରେ ମାଡି ଯାଇ ଥାନ୍ତା । ସେ ମଧ୍ୟ ଅଳ୍ପକେ ବର୍ତି ଯାଇଥିବା ବେଳେ ତାଙ୍କ ସାଇକେଲଟି ଭାଙ୍ଗି ଚୁରମାର ହୋଇଯାଇଛି ।

ଏଥିସହ ନିକଟରେ ଥିବା ଉଦୟନଗର ଗ୍ରାମର ନରେନ୍ଦ୍ର ପାଣିଙ୍କ ଏକ ଷ୍ଟେସନାରୀ ଦୋକାନ ଉପରେ ଟ୍ରକ ଚଢି ଯାଇଥିଲା । ଦୋକାନଟି ମଧ୍ୟ ଭାଙ୍ଗିରୁଜି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଯୋଗକୁ ଦୋକାନୀ ଜଣଙ୍କ ଦୋକାନରେ ନଥିଲେ । ଯଦି ଦୋକାନରେ ଥାନ୍ତେ ତେବେ  ତାଙ୍କ ଉପରେ ମଧ୍ୟ ଟ୍ରକ ଚଢି ଯାଇଥାନ୍ତା । ଦୁର୍ଘଟଣା ଖବର ପାଇ ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଂଚି ଟ୍ରକକୁ ଜବତ କରି ଥାନାକୁ ନେଇଯାଇଥିଲା । ଖବର ନେବାରୁ ଜଣାପଡିଛି ଯାତ୍ରା ପୃଥ୍ୱୀରାଜର ଏକ ଟ୍ରକ ଯାତ୍ରାପାର୍ଟି ସାମଗ୍ରୀ ବୋଝେଇ କରି ଜଗତସିଂହପୁର ଅଭିମୁଖେ ଯାଉଥିଲା ।

ଡ୍ରାଇଭରର ଅସାବଧାନତା କାରଣରୁ ଟ୍ରକଟି ପ୍ରଥମେ ରାସ୍ତା କଡ଼ରେ ଥିବା ଏକ ଷ୍ଟେସନାରୀ ଦୋକାନ ଉପରକୁ ମାଡି ଯାଇଥିଲା । ସେହି ଦୋକାନ ନିକଟରେ ବାଇକ ରଖି ଜଣେ ଯୁବକ ଏହା ଉପରେ ବସିଥିଲେ । ଟ୍ରକଟି ତାଙ୍କ ଆଡକୁ ମାଡି ଯାଇଥିଲା । ଫଳରେ ସେ ଘଟଣା ସ୍ଥଳରୁ ଦୌଡି ପଳାଇଥିଲେ । କିନ୍ତୁ ଟ୍ରକଟି ବାଇକ ଉପରେ ଚଢିଯାଇ ବାଇକ ଟିକୁ ୩୦ ମିଟର ଦୂର ପର୍ଯ୍ୟନ୍ତ ଘୋଷାରି ନେଇଥିଲା । ସେହିପରି ଦୋକାନ ନିକଟରେ ଥିବା ଏକ ସାଇକଲ ଉପରେ ଟ୍ରକ ଚଢି ଯାଇଥିଲା । ଜଣେ ବୃଦ୍ଧ ଚାଷୀ ସାଇକଲ ରଖି ନିକଟସ୍ଥ ଦୋକାନକୁ କିଛି ସାମଗ୍ରୀ କିଣିବାକୁ ଯାଇଥିଲେ ।

ସେ ମଧ୍ୟ ଅଳ୍ପକେ ବର୍ତି ଯାଇଥିଲେ । ଦୋକାନର ସମସ୍ତ ସାମଗ୍ରୀ ନଷ୍ଟ ହୋଇଯାଇଛି । ଅପରପକ୍ଷରେ ଦିନବେଳା ସହରରେ ଭାରୀଯାନ ଚଳପ୍ରଚଳ ହୋଇପାରିବ ନାହିଁ ବୋଲି ଜିଲାପାଳ ଯେଉଁ ନିର୍ଦ୍ଧେଶ ଜାରି କରିଥିଲେ ତାହାକୁ କେହି ପାଳନ କରୁନାହାଁନ୍ତି ।  ଯାହା ଫଳରେ ଏହିଭଳି ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ କହିଥିଲେ । ଟ୍ରକକୁ ଆଣି ଆମେ ଥାନାରେ ରଖିଛୁ । କିନ୍ତୁ ଟ୍ରକ ଓ ଚାଳକଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ କେହି ଅଭିଯୋଗ କରି ନଥିବାରୁ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିନୁ ବୋଲି  କହିଛନ୍ତି କେନ୍ଦ୍ରାପଡା ସଦର ଥାନାର ତଦନ୍ତକାରୀ ଅଧିକାରୀ ପୋଲିସ ସବ୍ଇନିସପେକ୍ଟର ବିଶ୍ୱଭୂଷଣ ସାହାଣୀ ।

Leave a Reply

Your email address will not be published. Required fields are marked *