୫ ସିଏସଆର୍ ପ୍ରକଳ୍ପ ପାଇଁ ଏମସିଏଲ ର ୨୨.୬୪ କୋଟି ଟଙ୍କାର ଅନୁଦାନ —ଜିଲା ପ୍ରଶାସନ ସହିତ ବୁଝାମଣା ପତ୍ର ସ୍ୱାକ୍ଷର

ସମ୍ବଲପୁର,୧୫/୧୦/୨୦୨୬ (ଓଡ଼ିଶା ସମାଚାର)- ମହାନଦୀ କୋଲଫିଲ୍ଡସ ଲିମିଟେଡ୍ ନିଜର କର୍ପୋରେଟ୍ ସାମାଜିକ ଉତରଦାୟିତ୍ୱ ପଦକ୍ଷେପ ଅଧୀନରେ ସୁନ୍ଦରଗଡ଼ ଜିଲାରେ ୨୨.୬୪ କୋଟି ଟଙ୍କା ବ୍ୟୟରେ ୫ଟି ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ସୁନ୍ଦରଗଡ଼ ଜିଲା ପ୍ରଶାସନ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିଛି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ କଙ୍କା ବନ୍ଧ (୪.୩୨ କୋଟି), ବ୍ରାହ୍ମଣୀ ବନ୍ଧ (୩.୯୮ କୋଟି) ଏବଂ ଅବଦୁଲ ହୁସେନ୍ ବନ୍ଧ (୨.୬୯ କୋଟି) ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ; ହେମଗିର ବ୍ଲକର ଖଣି ପ୍ରଭାବିତ ଅଂଚଳରେ ମଧୁର ଜଳ ମତ୍ସ୍ୟଚାଷର ପ୍ରୋତ୍ସାହନ (୩.୮୧ କୋଟି); ଏବଂ ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଖରୀଗୁଡ଼ିକର ସଂସ୍କାର, ଉନ୍ନତିକରଣ ଓ ନିର୍ମାଣ କାର୍ଯ୍ୟ (୭.୮୪ କୋଟି) ସାମିଲ ରହିଛି । ଜିଲା ପ୍ରଶାସନ ଦ୍ୱାରା ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ପାଇଁ ଏମସିଏଲର ମହାପ୍ରବନ୍ଧକ (ସିଏସଆର) ଏବଂ ସୁନ୍ଦରଗଡ଼ ଜିଲାପାଳଙ୍କ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

“ମିଶନ୍ ଅମୃତ ସରୋବର’ର ଉଦ୍ଧେଶ୍ୟ ରଖି, ଜଳାଶୟଗୁଡ଼ିକର ପୁନରୁଦ୍ଧାର ଦ୍ୱାରା ଜଳ ସଂରକ୍ଷଣକୁ ସୁଦୃଢ଼ କରିବା, ଭୂତଳ ଜଳର ପୁନରୁଦ୍ଧାର କରିବା ଏବଂ ସ୍ଥାନୀୟ ପରିବେଶରେ ସୁଧାର ଆଣିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପଦକ୍ଷେପଗୁଡ଼ିକ ସାଧାରଣ ନାଗରିକଙ୍କ ସୁବିଧା ବୃଦ୍ଧି କରିବା ସହ ଆମୋଦ-ପ୍ରମୋଦ, କ୍ଷୁଦ୍ର ପର୍ଯ୍ୟଟନ ଏବଂ ସ୍ଥାନୀୟ ଅର୍ଥନୈତିକ କାର୍ଯ୍ୟକଳାପ ପାଇଁ ସୁଯୋଗ ସୃଷ୍ଟି କରିବ । ସୁରକ୍ଷା ବାନ୍ଧ, ଚାଲିବା ରାସ୍ତା, ଗାଧୋଇବା ପାହାଚ, ପଥର ପ୍ୟାକିଂ, ରେଲିଂ, ବସିବା ସ୍ଥାନ, ବୈଦ୍ୟୁତିକ ସଂଯୋଗ ଏବଂ ଉଦ୍ୟାନ କୃଷିର ବିକାଶ ଆଦି କାର୍ଯ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ରହିଛି । ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନାର ଉଦେଶ୍ୟ ଅନୁଯାୟୀ ପ୍ରସ୍ତୁତ କରାଯାଇଥିବା ମଧୁର ଜଳ ଆଭ୍ୟନ୍ତରୀଣ ମତ୍ସ୍ୟଚାଷ ପ୍ରକଳ୍ପ ଦ୍ୱାରା ୭୦୦ରୁ ଅଧିକ କ୍ଷୁଦ୍ର ଚାଷୀ ଏବଂ କୃଷକ ଉତ୍ପାଦକ ସଂଗଠନର ସଦସ୍ୟପ୍ରମୁଖ ଲାଭବାନ ହେବେ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *