ଅସମୟରେ ଅସହାୟ ଲୋକଙ୍କୁ ସହାୟତା କରିବା ପ୍ରକୃତ ମାନବିକତା : ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀ

ଗୁରୁଜୀଙ୍କ ଦ୍ୱାରା ସାଇ ଫାଉଣ୍ଡେସନକୁ ୧ ଲକ୍ଷ ଟଙ୍କା ଏବଂ କର୍ଳଟ ରୋଗାକ୍ରାନ୍ତଙ୍କ ପାଇଁ ଆଉ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ
ଦୃଷ୍ଟିବାଧିତ ଝିଅକୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କଲେ ଗୁରୁଜୀ
ଭୁବନେଶ୍ୱର, ୧୪/୮/୨୦୨୪ (ଓଡ଼ିଶା ସମାଚାର)- ଅସମୟରେ ଅସହାୟ ଲୋକଙ୍କୁ ସହାୟତା କରିବା ପ୍ରକୃତ ଈଶ୍ୱରୀୟତା ବା ମାନବିକତା ବୋଲି ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀ କହିଛନ୍ତି । ଆଜି ପୂର୍ବାହ୍ନରେ ସତ୍ୟନଗରସ୍ଥିତ ହୋଟେଲ ଲାଇଫ ରେ ‘ସାଇ’ (ସୋ ଏମ ଆଇ) ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ ସମାରୋହରେ ଯୋଗଦେଇ ଗୁରୁଜୀ ଡଃ ଶତପଥୀ ଏହା କହିଥିଲେ । ଏହି ଅବସରରେ କ୍ଷୁଧା ମୁକ୍ତି ଅଭିଯାନରେ ମାଗଣା ଭୋଜନ କରାଉଥିବା ସାଇ ଫାଉଣ୍ଡେସନକୁ ଗୁରୁଜୀ ଡଃ ଶତପଥୀ ଶିରିଡ଼ି ସାଇ ଗ୍ଲୋବାଲ ଫାଉଣ୍ଡେସନ ପକ୍ଷରୁ ଏକ ଲକ୍ଷ ଟଙ୍କା ସହାୟତା ଏବଂ କର୍କଟ ରୋଗାକ୍ରାନ୍ତ ଶିଶୁମାନଙ୍କ ଚିକିତ୍ସା ନିମନ୍ତେ ଆଉ ୧ ଲକ୍ଷ ଟଙ୍କା ସହାୟତା ସିବିଏସ କଲଚରାଲ ଫାଉଣ୍ଡେସନ୍ ପକ୍ଷରୁ ପ୍ରଦାନ କରିଥିଲେ । ଏହା ସହିତ ସୁନ୍ଦର ସଂଗୀତ ପରିବେଷଣ କରିଥିବା କଟକର ଆଶା ନାମକ ଜଣେ ଦୃଷ୍ଟି ବାଧିତ ଝିଅକୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ନିଜ ତରଫରୁ ପ୍ରଦାନ କରିଥିଲେ ।
ସାଇ (ସୋ ଏମ ଆଇ) ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱରସ୍ଥିତ ଏମ୍ସରେ ଚିକିତ୍ସାଧୀନ ଥିବା ୬ଶହ ଓ କଟକ ଏସସିବି ମେଡ଼ିକାଲରେ ୨୫୦ ରୋଗୀଙ୍କ ସହାୟକମାନଙ୍କୁ ପ୍ରତିଦିନ ମାଗଣା ଖାଦ୍ୟ ଯୋଗାଇଦିଆଯାଉଥିବା ଉଲ୍ଲେଖନୀୟ ବୋଲି ଗୁରୁଜୀ କହିଥିଲେ । ସେହିପରି ନିଶାଗ୍ରସ୍ତ ବ୍ୟକ୍ତିମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସେମାନଙ୍କୁ ଜୀବିକା ଯୋଗାଇଦେବାରେ ଅନୁଷ୍ଠାନର ଭୂମିକାର ସେ ଉଚ୍ଚପ୍ରଶଂସା କରିଥିଲେ । କୋଭିଡ଼ ସମୟରେ ପୀଡ଼ିତ ବ୍ୟକ୍ତି ଏବଂ ପୁଲିସ ଓ ଟ୍ରାଫିକ କର୍ମଚାରୀମାନଙ୍କୁ ଖାଦ୍ୟ ପୁଡ଼ିଆ ଯୋଗାଇ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଏହି ଅନୁଷ୍ଠାନ । ଶିରିଡ଼ି ସାଇ ଗ୍ଲୋବାଲ ଫାଉଣ୍ଡେସନ ପକ୍ଷରୁ ମଧ୍ୟ ସେହି ସମୟରେ ପୁଲିସ କର୍ମଚାରୀମାନଙ୍କୁ ମାଗଣା ଖାଦ୍ୟ ପୁଡ଼ିଆ ପ୍ରଦାନ କରାଯାଇଥିବା କଥା ଗୁରୁଜୀ ଉଲ୍ଲେଖ କରିଥିଲେ । ଏହି ଅବସରରେ ଜୟଦେବକୃତ ଗୀତଗୋବିନ୍ଦ ଉପରେ ଆୟୋଜିତ ମହାବାହୁ ୱେବ ସିରିଜର ପାଇଲଟ ଏପିସୋଡ଼କୁ ଗୁରୁଜୀ ଉନ୍ମୋଚନ କରିଥିଲେ । ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଅନ୍ୟତମ ଅତିଥି ଭାବରେ ଯୋଗଦେଇଥିଲେ । ଗୁରୁଜୀ ଡଃ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ରାଜ୍ୟ ଗୁଇନ୍ଦା ବିଭାଗ ନିର୍ଦ୍ଧେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଏଥିରେ ଯୋଗଦେଇ କହିଲେ ଯେ ୨୦୧୯ ଅଗଷ୍ଟରୁ ଏ ପର୍ଯ୍ୟନ୍ତ ଏହି ଅନୁଷ୍ଠାନ ପକ୍ଷରୁ ୨୦ ଲକ୍ଷ ଲୋକଙ୍କୁ ମାଗଣା ଖାଦ୍ୟ ଯୋଗାଇ ଦିଆଯାଇଛି । କମିଶନରେଟ ପୁଲିସ ସହାୟତାରେ ବସ୍ତିକୁ ଚାଲ ଯୋଜନାରେ ବସ୍ତିବାସିନ୍ଦାଙ୍କ ପାଇଁ ସ୍ଥାୟୀ ଜୀବିକାର ବ୍ୟବସ୍ଥା ନିମନ୍ତେ ପଦକ୍ଷେପ ନିଆଯାଉଛି । ଅନୁଷ୍ଠାନର ଅଧ୍ୟକ୍ଷ ସୋନାଲି ମହାନ୍ତି କାର୍ଯ୍ୟକ୍ରମ ସଂଚାଳନ କରିଥିବାବେଳେ ପ୍ରତିଷ୍ଠାତା ପିନାକୀ ମହାନ୍ତିଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ । ଉତ୍ସବରେ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ, କଳକାର ଏବଂ ସମାଜର ବିଭିନ୍ନ ଶ୍ରେଣୀର ପ୍ରତିଷ୍ଠିତ ବ୍ୟକ୍ତିମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *